ଭାଗଚାଷୀଙ୍କ ପାଇଁ ଆଇନ ପ୍ରଣୟନ ଏବଂ ଭୂ-ବନ୍ଦୋବସ୍ତକାର୍ଯ୍ୟକାରୀ କରିବାକୁ ଦାବି
ଛତ୍ରପୁର, (ଓ୍ବାଇଏନଏସ): ଭାଗଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ସ୍ୱତନ୍ତ୍ର ଭାଗଚାଷୀ ଆଇନ ପ୍ରଣୟନ ସହ ଭୂ-ବନ୍ଦୋବସ୍ତ ପ୍ରକ୍ରିୟା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି କରିଛି ଋଷିକୂଲ୍ୟା ରୟତ ମହାସଭା। ଏନେଇ ଛତ୍ରପୁରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମହାସଭା ପକ୍ଷରୁ ଭାଗଚାଷୀ ଓ ଚାଷୀଙ୍କ ବିଭିନ୍ନ ସମସ୍ୟା ଉପସ୍ଥାପନ କରାଯାଇଥିଲା। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ମହାସଭା ଚେତାବନୀ ଦେଇଛି। ନିଜ ନାମରେ ପଟ୍ଟା ଥିବା ଜମିଧାରୀ କେବଳ ପ୍ରକୃତରେ ଚାଷୀ ନୁହନ୍ତି। ନିଜ ଜମିରେ ଚାଷ କରୁଥିବା ବ୍ୟକ୍ତିଙ୍କ ସହ ଭାଗଚାଷୀମାନେ ମଧ୍ୟ ପ୍ରକୃତ ଚାଷୀ। ତେଣୁ ଭାଗଚାଷୀଙ୍କୁ ଚିହ୍ନଟ କରି ସେମାନଙ୍କୁ ସରକାରୀ ସୁବିଧା ଯୋଗାଇବା ପାଇଁ ସ୍ୱଚ୍ଛ ବ୍ୟବସ୍ଥା କରାଯିବା ଆବଶ୍ୟକ।କୃଷି କାର୍ଯ୍ୟ ଆରମ୍ଭ ପୂର୍ବରୁ ଜମିଧାରୀ ଓ ଭାଗଚାଷୀଙ୍କ ସହମତିରେ ନିର୍ଦ୍ଦିଷ୍ଟ ଫର୍ମ ପୂରଣ କରାଯାଇ ପଞ୍ଚାୟତ କାର୍ଯ୍ୟାଳୟରେ ଦାଖଲ ବ୍ୟବସ୍ଥା କରିବାକୁ ମହାସଭା ଦାବି କରିଛି। ଏହି ପ୍ରକ୍ରିୟା ପଞ୍ଚାୟତ, ସମବାୟ ସମିତି ଓ କୃଷି ବିଭାଗ କର୍ମଚାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରାଯିବା ସହ ନିଜ ଜମିରେ ଚାଷ କରୁଥିବା ଚାଷୀଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଫର୍ମ ବ୍ୟବସ୍ଥା କରିବାକୁ କୁହାଯାଇଛି।
ଗଞ୍ଜାମ ଜିଲ୍ଲାରେ ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ଚାଷୀ ଭାଗଚାଷୀ ଥିବା ଦାବି କରି ମହାସଭା କହିଛି ଯେ, ଭାଗଚାଷୀଙ୍କ ଜମି ସମ୍ପର୍କିତ ସମସ୍ତ ତଥ୍ୟ ସହ ଆନ୍ଧ୍ରପ୍ରଦେଶ ଢାଞ୍ଚାରେ ଜମି ପାସ୍ବୁକ୍ ପ୍ରଦାନ କରାଯାଉ। ରାଜ୍ୟରେ ପ୍ରାୟ ୫୫ ଲକ୍ଷ ଚାଷୀ ଥିବା ବେଳେ ମାତ୍ର ୧୪ ଲକ୍ଷ ଚାଷୀ ସମବାୟ ସଦସ୍ୟ ଥିବାରୁ ସମସ୍ତ ଚାଷୀଙ୍କୁ ସମବାୟ ସଦସ୍ୟ କରିବାକୁ ମଧ୍ୟ ଦାବି ହୋଇଛି। ସେହିପରି ଚାଷୀଙ୍କ ଉତ୍ପାଦିତ ଧାନ, ଫଳ ଓ ପନିପରିବା ଆଦି ସରକାର ଉଚିତ ମୂଲ୍ୟରେ କ୍ରୟ କରିବା ସହ ପଞ୍ଚାୟତସ୍ତରରେ ଶୀତଳଭଣ୍ଡାର ସ୍ଥାପନ, ଚାଷୀଙ୍କୁ ଜମି ଓ ଘରର ପଟ୍ଟା ପ୍ରଦାନ ଏବଂ ଭୂ-ବନ୍ଦୋବସ୍ତ ପ୍ରକ୍ରିୟା ତୁରନ୍ତ ଆରମ୍ଭ କରିବାକୁ ମହାସଭା ଦାବି କରିଛି। ଦୀର୍ଘ ପ୍ରାୟ ୫୦ ବର୍ଷ ଧରି ରାଜ୍ୟରେ ଭୂ-ବନ୍ଦୋବସ୍ତ ହୋଇନଥିବାରୁ ଏହାକୁ ଶୀଘ୍ର କାର୍ଯ୍ୟକାରୀ କରି ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ପଟ୍ଟା ଦେବାକୁ କୁହାଯାଇଛି। ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜିକରଣରେ ରେକର୍ଡ ସୃଷ୍ଟି ହୋଇଥିବାରୁ ସରକାର ଓ ଜିଲ୍ଲା ପ୍ରଶାସନକୁ ମହାସଭା ପକ୍ଷରୁ ଧନ୍ୟବାଦ ଦିଆଯାଇଛି। ତେବେ ଜିଲ୍ଲାର ପ୍ରାୟ ୫୦ ପ୍ରତିଶତ ଜମି ଭାଗଚାଷୀମାନେ ଚାଷ କରୁଥିବା ସତ୍ତ୍ୱେ ଜଟିଳ ନିୟମ ଯୋଗୁଁ ଅନେକ ଭାଗଚାଷୀ ପଞ୍ଜିକରଣ କରି ନପାରି ଧାନ ବିକ୍ରିରୁ ବଞ୍ଚିତ ହେବା ଆଶଙ୍କା ରହିଛି ବୋଲି ମହାସଭା କହିଛି। ସାମ୍ବାଦିକ ସମ୍ମିଳନୀରେ ଋଷିକୂଲ୍ୟା ରୟତ ମହାସଭାର ଜିଲ୍ଲା ସମ୍ପାଦକ ସିମାଞ୍ଚଳ ନାହାକ, ଉପଦେଷ୍ଟା କୈଳାଶ ପଲାଇ, ବରିଷ୍ଠ ସମାଜସେବୀ ତଥା କଂଗ୍ରେସର ଛତ୍ରପୁର ବିଧାୟକ ପ୍ରାର୍ଥୀ ଭାଗୀରଥି ବେହେରା, ହାଇକୋର୍ଟ ଆଡଭୋକେଟ ବିନୋଦ ପାଣିଗ୍ରାହୀ ଓ ବରିଷ୍ଠ ଆଇନଜୀବୀ ବିଜୟ କୁମାର ପଲାଇଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ।


