ଅଶ୍ୱିନୀ ଟ୍ରମା ସେଣ୍ଟରରେ ସାମ୍ବାଦିକ ବାସୁଦେବ ଓ ପତ୍ନୀ ଦୁହିଁଙ୍କୁ ଭେଟିଲେ ଶୁଭେଚ୍ଛୁ
ଧାମନଗର (ଓ୍ବାଇଏନଏସ): ଧାମନଗରର ବରିଷ୍ଠ ସାମ୍ବାଦିକ ସମାଜସେବୀ ବାସୁଦେବ ତ୍ରିପାଠୀ(୬୭) ଏବଂ ତାଙ୍କ ପତ୍ନୀ ତିଳୋତ୍ତମା (୫୮) ଗତ ୯ ତାରିଖ ବୁଧବାର ରାତିରେ ଏକ କାର (ନଂ ଓଡ଼ି୨୨ଏବି-୯୭୭୭) ଯୋଗେ ବାଲେଶ୍ଵର ଅଞ୍ଚଳରୁ ଘରକୁ ଫେରୁଥିବା ସମୟରେ ୧୬ ନମ୍ବର ଜାତୀୟ ରାଜପଥର ମଇତାପୁର ନିକଟରେ କାର ଏକ ଟ୍ରଲର ସହିତ ଧକ୍କା ହୋଇଥିଲା। ସାମ୍ବାଦିକ ବାସୁଦେବ ଏବଂ ତାଙ୍କ ସ୍ତ୍ରୀ ଗୁରୁତର ଭାବେ ଆହତ ହୋଇଥିଲେ। ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।ସଙ୍କଟାପନ୍ନ ଅବସ୍ଥାରେ ଦୁହିଁଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ଉଭୟଙ୍କ ମୁଣ୍ଡ,ଆଖି,ଛାତି,ହାତ ଗୋଡ଼ ଆଦିରେ ଗଭୀର କ୍ଷତ ହୋଇଛି। ଏବେ କଟକର ଏକ ଘରୋଇ ହସ୍ପିଟାଲ ଅଶ୍ୱିନୀ ଟ୍ରମା ସେଣ୍ଟରରେ ଚିକିତ୍ସା ହେଉଛନ୍ତି। ଖବର ପାଇ ଭଦ୍ରକ ଅଞ୍ଚଳ ମୁଲଣା ସାହି ଗ୍ରାମର ସମାଜସେବୀ ଅବସରପ୍ରାପ୍ତ ସରକାରୀ ଅଧିକାରୀ ଆଲହାଜ ମନୱାର ହୋସେନ ଖାଁ,ତାଙ୍କ ପୁତ୍ର ଏକବାଲ ଅହେମ୍ମଦ ଖାଁ,ସାମ୍ବାଦିକ ଗୋଲାମ ଜିଲାନି ହବିବି,ସେକ ଜାଫର ଅଲ୍ଲୀ ହବିବି ପ୍ରମୁଖ ଶନିବାର ସନ୍ଧ୍ୟାରେ କଟକ ସ୍ଥିତ ଘରୋଇ ହସପିଟାଲ ଅଶ୍ୱିନୀ ଟ୍ରମା ସେଣ୍ଟରରେ ପହଞ୍ଚି ଉଭୟଙ୍କୁ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝି ଦୁହିଁଙ୍କ ଆଶୁ ଆରୋଗ୍ୟ କାମନା କରି ଯଥାଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ ଏହାହିଁ ଭଗବାନ ଏବଂ ଆଲ୍ଲାଙ୍କ ନିକଟରେ ପ୍ରାର୍ଥନା କରିବା ସହିତ ଉପସ୍ଥିତ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।


