ମହାନଦୀରେ ଗାଧୋଇବା ବେଳେ ଅଘଟଣ; ଭାସିଗଲେ ୩ ସାଙ୍ଗ, ଜଣେ ନାବାଳକ ନିଖୋଜ
କଟକ, (ଓ୍ବାଇଏନଏସ): ମହାନଦୀରେ ଗାଧୋଇବା ବେଳେ ଅଘଟଣ। କଟକ ଜଗତପୁର ବାଲିସାହି ନିକଟ ମହାନଦୀରେ ଗାଧୋଇବା ବେଳେ ୩ ସାଙ୍ଗ ଭାସିଯାଇଥିଲେ। ଅଗ୍ନିଶମ ବାହିନୀ ଦୁଇଜଣଙ୍କୁ ଉଦ୍ଧାର କରିଥିବା ବେଳେ ଜଣେ ନାବାଳକ ନିଖୋଜ ଅଛନ୍ତି। ସୂଚନା ଅନୁସାରେ, ନାବାଳକମାନେ ମହାନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇବା ସମୟରେ ହଠାତ୍ ୩ ଜଣ ନଦୀ ସ୍ରୋତରେ ଭାସିଯାଇଥିଲେ। ଘଟଣା ଜଣାପଡ଼ିବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଉଦ୍ଧାରକାରୀ ଦଳ ୨ ଜଣ ନାବାଳକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ତେବେ ଅନ୍ୟ ଜଣେ ନାବାଳକଙ୍କ ପତ୍ତା ମିଳିନାହିଁ। ନିଖୋଜ ନାବାଳକ ଜଣକ କଟକ ଜଗତପୁର ବାଲିସାହି ଅଞ୍ଚଳର ବୋଲି ଜଣାପଡ଼ିଛି। ନିଖୋଜ ନାବାଳକଙ୍କୁ ଖୋଜିବା ପାଇଁ ମହାନଦୀରେ ଅଗ୍ନିଶମ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି। ନଦୀର ପ୍ରଖର ସ୍ରୋତ ଯୋଗୁଁ ଉଦ୍ଧାରକାରୀ ଦଳକୁ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ୁଛି। ଘଟଣାକୁ ନେଇ ନିଖୋଜ ନାବାଳକଙ୍କ ପରିବାରରେ ଚିନ୍ତାର ବାତାବରଣ ଦେଖାଦେଇଛି।


