ପୁଣି ଘୁଞ୍ଚିଲା ମହାନଦୀ ବିବାଦ ଶୁଣାଣି, ଆସନ୍ତା ୨୧ରେ ପରବର୍ତ୍ତୀ ଶୁଣାଣି
କଟକ, (ଓ୍ବାଇଏନଏସ): ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ପୁଣି ଘୁଞ୍ଚିଛି । ଆସନ୍ତା ସେପ୍ଟେମ୍ବର ୨୮ ତାରିଖରେ ଟ୍ରିବ୍ୟୁନାଲରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘଦିନ ଧରି ଚାଲିଆସୁଥିବା ଏହି ଜଳ ବିବାଦର ସମାଧାନ ଆଲୋଚନା ଓ ଭାତୃତ୍ୱପୂର୍ଣ୍ଣ ମନୋଭାବରେ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । କୋର୍ଟ କିମ୍ବା ଟ୍ରିବ୍ୟୁନାଲ ମାଧ୍ୟମରେ ଜଳ ବିବାଦର ସ୍ଥାୟୀ ସମାଧାନ ହେବା ଅପେକ୍ଷା ଦୁଇ ରାଜ୍ୟ ମଧ୍ୟରେ ଆଲୋଚନା ଓ ସହଯୋଗ ମାଧ୍ୟମରେ ସମାଧାନର ବାଟ ଖୋଜିବା ଉପରେ ଗୁରୁତ୍ୱ ରହିଛି । କେନ୍ଦ୍ରୀୟ ଜଳ ଆୟୋଗ ବା ସିଡ଼ବ୍ଲୁସି ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଓ ଛତିଶଗଡ଼ର ବୈଷୟିକ ଟିମ୍ ମଧ୍ୟରେ ଦୁଇଥର ବୈଠକ ହୋଇସାରିଛି । ଆସନ୍ତା ସେପ୍ଟେମ୍ବର ୨୧ରେ ପରବର୍ତ୍ତୀ ବୈଠକ ହେବାକୁ ଥିବା ସୂଚନା ମିଳିଛି । ଉଭୟ ରାଜ୍ୟର ସ୍ୱାର୍ଥ ଓ ଜଳ ସୁରକ୍ଷାକୁ ଦୃଷ୍ଟିରେ ରଖି କେଉଁ ଆଧାରରେ ଜଳ ବଣ୍ଟନ କରାଯିବ, ସେନେଇ ଆଗାମୀ ଦିନରେ ସିଡ଼ବ୍ଲୁସି ପକ୍ଷରୁ ଏକ ରୂପରେଖା ପ୍ରସ୍ତୁତ ହୋଇପାରେ । ମହାନଦୀ ଜଳ ବିବାଦରେ ଓଡ଼ିଶାର ସ୍ୱାର୍ଥକୁ ସର୍ବାଗ୍ରେ ରଖି ସମାଧାନର ବାଟ ବାହାର କରିବାକୁ ସରକାର ଉଦ୍ୟମ କରୁଥିବା କୁହାଯାଇଛି ।


