ମାଲଗୋଦାମରେ ଝଲସିବ ରାଜସ୍ଥାନର ଗ୍ରାଣ୍ଡ୍ ପ୍ୟାଲେସ୍ ର ତୋରଣ
କଟକ, (ଓ୍ବାଇଏନଏସ): କଟକ ସହରର ଗଣପର୍ବ ଦଶହରା ପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଚାନ୍ଦି ମେଢ଼ର ସୂକ୍ଷ୍ମ କାରୁକାର୍ଯ୍ୟ ପାଇଁ ପ୍ରସିଦ୍ଧ କଟକ ଦଶହରା ପର୍ବରେ କିଛି ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ତୋରଣ ନିର୍ମାଣ କରାଯାଉଛି । ପ୍ରତିବର୍ଷ ପରି ଚଳିତବର୍ଷ ମାଲ୍ଗୋଦାମ ପୂଜା କମିଟି ପକ୍ଷରୁ ସ୍ୱତନ୍ତ୍ର ଭାବେ ପୂଜା ଆୟୋଜନ ହେଉଥିବା ବେଳେ ତୋରଣରେ ଏବର୍ଷ ରାଜସ୍ଥାନର ଗ୍ରାଣ୍ଡ୍ ପ୍ୟାଲେସ୍ ଶୋଭା ପାଇବ । ଗଣେଶ ପୂଜାରେ ତୋରଣ ପାଇଁ ଶୁଭଖୁଣ୍ଟି ସ୍ଥାପନ ହୋଇଥିବା ବେଳେ ଖୁବ୍ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ । ଏହାସହ ଆଲୋକ ସଜ୍ସଜାକୁ ଗୁରୁତ୍ୱ ଦେଇ ଏଥର ଆକର୍ଷଣୀୟ ଟନେଲ ଲାଇଟ୍ ଲଗାଇବାକୁ କମିଟି ପକ୍ଷରୁ ସ୍ଥିର ହୋଇଛି । ସହରରେ ଥିବା ୧୫୦ରୁ ଅଧିକ ପୂଜା କମିଟି ପକ୍ଷରୁ ପୂଜା ଆୟୋଜନ ହେଉଥିବା ଏହା ମଧ୍ୟରେ ମାଲ୍ଗୋଦାମ ପୂଜା କମିଟି ଅନ୍ୟତମ । ଦୀର୍ଘ ବର୍ଷ ଧରି କମିଟି ପକ୍ଷରୁ ପୂଜା ଆୟୋଜନ ହେଉଥିବା ବେଳେ ତୋରଣ ପାଇଁ ମାଲ୍ଗୋଦାମର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ପ୍ରଶସ୍ତ ଜାଗା ଥିବାରୁ ପ୍ରତିବର୍ଷ ଏଠାରେ ଭିନ୍ନ ଭିନ୍ନ ଆକୃତିର ତୋରଣ ନିର୍ମାଣ ହେଉଥିବା ବେଳେ ଚଳିତବର୍ଷ ରାଜସ୍ଥାନର ଗ୍ରାଣ୍ଡ ପ୍ୟାଲେସ୍ ତୋରଣ ନିର୍ମାଣ ହେବ । ଏଥିପାଇଁ ଶୁଭଖୁଣ୍ଟି ପଡ଼ିବା ସହ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ତୋରଣର ଉଚ୍ଚତା ୫୫ ଫୁଟ୍ ହେବାକୁ ଥିବା ବେଳେ ଲମ୍ବ ୭୦ ଫୁଟ୍ କରାଯିବ । ଏହି ପ୍ୟାଲେସ୍ ଚିତ୍ରରେ ଏକ ରାଜମହଲ ପ୍ରାସାଦ ପରି ଦେଖା ଯାଉଥିବା ବେଳେ କଟକ ଜଗତପୁରର କାରିଗରମାନେ ଏହି ତୋରଣକୁ ନିର୍ମାଣ କରୁଛନ୍ତି । ଯାହା ଚଳିତବର୍ଷ କମିଟି ପକ୍ଷରୁ ସବୁଠୁ ବଡ଼ ଆକର୍ଷଣ ହେବାକୁ ଯାଉଛି । ଏହାସହ ସାଜସଜ୍ଜାକୁ ଅଧିକ ଗୁରୁତ୍ୱ ଦେଇ ଆଲୋକୀକରଣରେ ଟନେଲ ଲାଇଟ୍ ଲଗାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ କମିଟି ପକ୍ଷରୁ ପ୍ରାୟ ୪୦ ଲକ୍ଷ ଟଙ୍କାର ବଜେଟ୍ ହୋଇଥିବା ବେଳେ କେବଳ ତୋରଣରେ ୧୪ରୁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି । ଏହା ସହ ପୂଜାରେ ମେଲୋଡି ସହ ବିନା ଡିଜେରେ ବ୍ୟାଣ୍ଡ୍ ଏବଂ ପାରମ୍ପରିକ ବାଦ୍ୟରେ ଭସାଣି ହେବ ବୋଲି କୁହାଯାଇଛି। କମିଟିର ରୀତିନୀତି ଅନୁଯାୟୀ ସୂର୍ଯ୍ୟାସ୍ତ ପୂର୍ବରୁ ବିସର୍ଜନ ସରିବ ।


