ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଅଭିଭାବକ ସଂଘ ପକ୍ଷରୁ ପ୍ରତିଭା ସମ୍ମାନ ସମାରୋହ
ଆସିକା (ୱାଇଏନ୍ଏସ୍) :କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୪-୨୫ ଏବଂ ୨୦୨୫-୨୬ ଦଶମ ଶ୍ରେଣୀ ପରୀକ୍ଷାରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ଆସିକା ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟସ୍ତରରେ ଭଲ ମାର୍କ ରଖି ବିଦ୍ୟାଳୟ ଟପ୍ପର ହୋଇଥିବା ୬ ଜଣ ମେଧାବୀ ବିଦ୍ୟାର୍ଥୀଙ୍କୁ ଏକ ସ୍ୱତନ୍ତ୍ର ପ୍ରତିଭା ସମ୍ମାନ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅଭିଭାବକ ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିବା ଜଣାପଡିଛି। ଆସିକା ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଅଭିଭାବକ ସଂଘର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଶିକ୍ଷାନୁଷ୍ଠାନ ପରିସରରେ ସଂଘର ପୂର୍ବତନ ସଭାପତି ପ୍ରଶାନ୍ତ କୁମାର କରଙ୍କ ସଂଯୋଜନା ଓ ସଭାପତି ସୁଦେଷ୍ଣା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆସିକା ପିଏମ୍ଶ୍ରୀ କେନ୍ଦୀୟ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମରେ ସଂଘର ପୂର୍ବତନ ସଭାପତି ପ୍ରଶାନ୍ତ କୁମାର କର, ସଭାପତି ସୁଦେଷ୍ଣା ପଟ୍ଟନାୟକ, ସଂପାଦକ ଅରୁଣ କୁମାର ସେଠୀ, କୋଷାଧ୍ୟକ୍ଷ ସୁକାନ୍ତ କୁମାର ପଟ୍ଟନାୟକ, ଉପସଭାପତି ଶ୍ୟାମସୁନ୍ଦର ପାଢୀ, ପୂର୍ବତନ ସଂପାଦକ ସନ୍ତୋଷ କୁମାର ସେଠୀ, ଯଜ୍ଞସେନୀ ପ୍ରଧାନ, ଦିଲୀପ କୁମାର ସାହୁ, କୃଷ୍ଣ ସେଠୀ, ପ୍ରଭାତ କୁମାର ଗୌଡ ପ୍ରମୁଖ ଯୋଗଦେଇ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୪-୨୫ ଓ ୨୦୨୫-୨୬ ଦଶମ ଶ୍ରେଣୀ ପରୀକ୍ଷାରେ କୃତିତ୍ୱର ସହ ଉର୍ତ୍ତିର୍ଣ୍ଣ ହୋଇ ଆସିକା ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟସ୍ତରରେ ଟପ୍ପର ହୋଇଥିବା ମେଧାବୀ ବିଦ୍ୟାର୍ଥୀ ଏଲ୍.ଆଶିତୋଷ ଆଚାରୀ, ଅଂଶୁମାନ୍ ମହାନ୍ତି, ଅନିରୁଦ୍ଧ ମହାନ୍ତି, ସନ୍ଧ୍ୟାରାଣୀ ପ୍ରଧାନ, ଅଂଶୁମାନ୍ ସାହୁ, ଶୁଭମ୍ ପାଣିଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ କୃତି ବିଦ୍ୟାର୍ଥୀମାନେ ନିଜ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ôଚବା ପାଇଁ ଦୃଢତାର ସହ ଆଗେଇବାକୁ ପରାମର୍ଶ ଦେଇ କହିଲେ ଯେ ଜୀବନ ମୂଲ୍ୟବୋଧକୁ ହୃଦୟଙ୍ଗମ କରି ଦିବ୍ୟଗୁଣ ଧାରଣ କରିବା ଦ୍ୱାରା ଜୀବନର ମହନୀୟତା ପ୍ରତିପାଦିତ ହୋଇଥାଏ ତେଣୁ ଜୀବନର ସାର୍ଥକତା ପ୍ରମାଣିତ କରିବାକୁ ହେଲେ ସଫଳତାର ସ୍ରୋତକୁ ଆହୁରି ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେବା ସହ ଅବିରତ ପ୍ରୟାସ, କଠିନ ପରିଶ୍ରମ ଏବଂ ଉଚ୍ଚକୋଟୀର ଯୋଜନା ଓ ଚିନ୍ତାଧାରା ହିଁ ଜଣେ ବିଦ୍ୟାର୍ଥୀକୁ ଆଗକୁ ବଢିବା ପାଇଁ ପ୍ରେରଣା ଓ ସହାୟକ ହୋଇଥାଏ । ଏହି ଅବସରରେ ଆସିକା ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ବଳରାମ ମହାନ୍ତିଙ୍କୁ ମଧ୍ୟ ଅଭିଭାବକ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବା ଦେଖିବାକୁ ମିଳିଥିଲା । ଏହି ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମରେ ଅଭିଭାବକ ସଂଘର ବହୁ ସଦସ୍ୟ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।


