ବ୍ଳକ୍ସ୍ତରୀୟ ଦୌଡ ଓ ଖେଳକୁଦ ପ୍ରତିଯୋଗିତା ଆରମ୍ଭ
ଆସିକା (ୱାଇଏନ୍ଏସ୍) : ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଓ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ପରାମର୍ଶ କ୍ରମେ ଶୁକ୍ରବାର ଠାରୁ କଲେଜଛକ ସ୍ଥିତ ସରକାରୀ ଟେକନିକାଲ୍ ହାଇସ୍କୁଲ ପରିସରରେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ୧୩ଟି କ୍ଳଷ୍ଟରର ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୪ ବର୍ଷରୁ କମ୍ ଓ ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ବର୍ଗରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ନେଇ ବ୍ଳକ୍ସ୍ତରୀୟ ଦୌଡ ଓ ଖେଳକୁଦ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ତଥା କ୍ରୀଡା ସଂଗଠନର ସଭାପତି ସୁଜିତ୍ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବ୍ଳକ୍ସ୍ତରୀୟ ଦୌଡ ଓ ଖେଳକୁଦ ପ୍ରତିଯୋଗିତାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ସରୋଜ କୁମାର ପାଢୀ, ଜିଲ୍ଲା ପରିଷଦ ସଦସ୍ୟା ତଥା ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟକାରୀ ସଭାନେତ୍ରୀ ଶ୍ରୀମତୀ ଅନିମା ପରିଡା, ସମାଜସେବୀ ଭଗବାନ ସାହୁ, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଭଂଜ ବେହେରା ଓ ଶିବରାମ ବେହେରା, ଆସିକା ଉତ୍କଳ ଆୟୁର୍ବେଦିକ ସମବାୟ ଫାର୍ମାସୀ ଲିର ପୂର୍ବତନ ସଂପାଦକ ତଥା ସମବାୟବିତ୍ ନିରଞ୍ଜନ ମହାନ୍ତି, ପ୍ରଧାନଶିକ୍ଷକ ପରମାନନ୍ଦ ଜାନି, ଅଶୋକ କୁମାର କହଁର, ଗୌରୀଶଙ୍କର ଗୌଡ, ରଜନୀରାଣୀ ଦାଶ, କ୍ରୀଡା ସଂଗଠନର ସଂପାଦକ ତଥା ବରିଷ୍ଠ କ୍ରୀଡା ଶିକ୍ଷକ କୈଳାଶ ଚନ୍ଦ୍ର ଗୌଡ ପ୍ରମୁଖ ଯୋଗଦେଇ ପାଠପଢା ସହିତ ଛାତ୍ରଛାତ୍ରୀଙ୍କ ଶାରୀରିକ ଓ ମାନସିକ ସମନ୍ୱୟ ରକ୍ଷା କ୍ଷେତ୍ରରେ କ୍ରୀଡାର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରି ଖେଳାଳୀମାନେ କ୍ରୀଡା କ୍ଷେତ୍ରରେ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରି ଭଲ ଖେଳାଳୀ ହେବାକୁ ଆହ୍ୱାନ କରିଥିଲେ । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀମାନଙ୍କୁ ନେଇ କଲେଜଛକ ସ୍ଥିତ ସରକାରୀ ଟେକନିକାଲ୍ ହାଇସ୍କୁଲ ପରିସରରେ ଆରମ୍ଭ ହୋଇଥିବା ଦୁଇଦିବସୀୟ ଏହି ବ୍ଳକ୍ସ୍ତରୀୟ ଦୌଡ ଓ ଖେଳକୁଦ ପ୍ରତିଯୋଗିତାର ପ୍ରଥମ ଦିନରେ ପ୍ରାୟ ୨୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ମାନେ କନିଷ୍ଠ ଓ ବରିଷ୍ଠ ବର୍ଗରେ ଖୋଖୋ, କବାଡି, ଯୋଗ ସମେତ ବିଭିନ୍ନ ଖେଳରେ ଭାଗ ନେଇଥିଲେ । ଏହି ବ୍ଳକ୍ସ୍ତରୀୟ ଦୌଡ ଓ ଖେଳକୁଦ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଆଗାମୀ କିଛିଦିନ ପରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ସୁଯୋଗ ଦିଆଯିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ଏହି ବ୍ଳକ୍ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଆରମ୍ଭ ପୂର୍ବରୁ ଖେଳାଳୀମାନେ କଲେଜଛକ ନିକଟସ୍ଥ ଶ୍ରୀରାମ ମନ୍ଦିରରୁ ଏକ ମଶାଲ୍ ଶୋଭାଯାତ୍ରାରେ ବାହାରି ଖେଳପଡିଆରେ ପହଞ୍ଚିବା ପରେ କ୍ରୀଡାଧ୍ୱଜା ଉତ୍ତୋଳନ କାର୍ଯ୍ୟ ସମାପନ ପରେ ଖେଳକୁଦ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଆସିକା କଲେଜଛକ ସ୍ଥିତ ସରକାରୀ ଟେକନିକାଲ୍ ହାଇସ୍କୁଲ ପରିସରରେ ଆରମ୍ଭ ହୋଇଥିବା ଏହି ବ୍ଳକସ୍ତରୀୟ ଖେଳକୁଦ ପ୍ରତିଯୋଗିତାକୁ ସୁପରିଚାଳନା କରିବା ଦିଗରେ କ୍ରୀଡାଶିକ୍ଷକ ଜି.ଆନନ୍ଦ ପାତ୍ର, ମନୋରଂଜନ ପଣ୍ଡା, ନବଘନ ବାଡତ୍ୟା, ମଦନ ମୋହନ ବାଡତ୍ୟା, ସ୍ୱଦେଶ କୁମାର ଦଳେଇ, ଏସ୍କେ ୟୁସୁଫ୍, ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ପରମାନନ୍ଦ ଜାନି, ସହକାରୀ ଶିକ୍ଷକ ରାମଚନ୍ଦ୍ର ପ୍ରଧାନ, ଲକ୍ଷ୍ମୀ ଜେନା, ଦେବାଶିଷ୍ ପାଣିଗ୍ରାହୀ, ସର୍ମିଷ୍ଠା ସାହୁ, ସୁମିତ୍ରା କାର୍ଜି, ରୁଚି ନାହାକ, ଇପ୍ସିତା ମଲିକ, ମିତାଞ୍ଜଳୀ ପଣ୍ଡା, ଭଗବାନ ସ୍ୱାଇଁ, ବଳରାମ ବେହେରା, ରାହୁଳ ପଟ୍ଟନାୟକ, ଶୁଭାଶିଷ୍ ନାହାକ, ସିଦ୍ଧାନ୍ତ ସେଠୀ, କର୍ମଚାରୀ ରବିନ୍ଦ୍ର କୁମାର ସ୍ୱାଇଁ ଓ ବାସୁଦେବ ପ୍ରଧାନ ଏବଂ ଜୟଦେବ ରାଉତଙ୍କ ସମେତ ଶିକ୍ଷାବିଭାଗର ବହୁ କର୍ମଚାରୀ ଓ ଶିକ୍ଷକ ଏବଂ କ୍ରୀଡାଶିକ୍ଷକ ସହଯୋଗ କରୁଥିବା ଲକ୍ଷ୍ୟ କରାଯାଇଛି । ଆସିକା ବ୍ଳକ ଅଧୀନସ୍ଥ କଲେଜଛକ ସ୍ଥିତ ଟେକନିକାଲ୍ ହାଇସ୍କୁଲ ଖେଳ ପଡିଆରେ ଆରମ୍ଭ ହୋଇଥିବା ଏହି ଦୁଇଦିବସୀୟ ବ୍ଳକ୍ସ୍ତରୀୟ ଦୌଡ ଓ ଖେଳକୁଦ ପ୍ରତିଯୋଗିତାକୁ ଦେଖିବା ଲାଗି ଆଖପାଖ ଅଞ୍ଚଳର କ୍ରୀଡାପ୍ରେମୀଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା ବେଳେ ପ୍ରଥମ ଦିବସରେ କନିଷ୍ଠ ଓ ବରିଷ୍ଠ ବର୍ଗରେ କବାଡି ଓ ଖୋକୋ ସମେତ ଅନ୍ୟାନ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।


