ଖଣିଜ ଅଧିକାର ପ୍ରଶ୍ନରେ କଂଗ୍ରେସର ମୋର୍ଚ୍ଚା : ୨୧ରେ ରାୟଗଡ଼ାରେ ବିଶାଳ ସମାବେଶ

ଜୟପୁର,(ହେମନ୍ତ ପାଣିଗ୍ରାହୀ) : ଓଡ଼ିଶାର ଖଣିଜ ସମ୍ପଦ ଓ ରାଜ୍ୟର ଅଧିକାରକୁ କେନ୍ଦ୍ର କରି ଏମଏମଡିଆର ଆଇନର ସଂଶୋଧନକୁ ବିରୋଧ କରି କଂଗ୍ରେସ ନିଜ ଆନ୍ଦୋଳନର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ରଣନୀତି ଆରମ୍ଭ କରିଛି। ଏନେଇ ଜୟପୁରରେ କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ବସିଥିଲା।
ବୈଠକରେ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା ଓ ଜିଲ୍ଲା କଂଗ୍ରେସ ସଭାପତି ରୂପକ ତୁରୁକଙ୍କ ସମେତ ବହୁ ପୂର୍ବତନ ବିଧାୟକ, ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ। ବୈଠକରେ ଏମଏମଡିଆର ସଂଶୋଧନକୁ ନେଇ କଂଗ୍ରେସ ନେତାମାନେ ନିଜର ଆପତ୍ତି ଓ ଆଶଙ୍କା ପ୍ରକାଶ କରିଥିଲେ। ଦଳର ଅଭିଯୋଗ ଅନୁଯାୟୀ, ନୂଆ ବ୍ୟବସ୍ଥା ଓଡ଼ିଶାର ଖଣିଜ ସମ୍ପଦ, ରାଜ୍ୟର ଆର୍ଥିକ ଅଧିକାର ଏବଂ ଖଣି ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ସ୍ୱାର୍ଥ ଉପରେ ପ୍ରଭାବ ପକାଇପାରେ। ବିଶେଷକରି ଆଦିବାସୀ ଅଞ୍ଚଳରେ ପେସା ଆଇନ ଅନୁଯାୟୀ ଗ୍ରାମସଭାର ଅଧିକାର ଓ ଭୂମିକାକୁ ନେଇ ମଧ୍ୟ ଦଳ ପ୍ରଶ୍ନ ଉଠାଇଛି। ଏହି ପ୍ରସଙ୍ଗକୁ ନେଇ ଆଗାମୀ ଦିନରେ ଜନମତ ସୃଷ୍ଟି ସହ ବ୍ୟାପକ ପ୍ରତିବାଦ କରିବାକୁ ବୈଠକରେ ଆଲୋଚନା ହୋଇଥିଲା। ଜିଲ୍ଲାସ୍ତରରେ ଆରମ୍ଭ ହୋଇଥିବା ପ୍ରତିବାଦକୁ ରାଜ୍ୟସ୍ତରୀୟ ରୂପ ଦେବା ଲକ୍ଷ୍ୟରେ ଆସନ୍ତା ୨୧ ତାରିଖରେ ରାୟଗଡ଼ାରେ ବିଶାଳ ସମାବେଶ ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଛି। ଏଥିରେ ଦଳର ରାଜ୍ୟସ୍ତରୀୟ ନେତାମାନେ ଯୋଗଦେବାର ସୂଚନା ରହିଛି। ଏହାସହ ଖଣିଜ ସମ୍ପଦ ଭରପୂର ଅଞ୍ଚଳଗୁଡ଼ିକରେ ପର୍ଯ୍ୟାୟକ୍ରମେ ପ୍ରତିବାଦ ଓ ଜନସଚେତନତା କାର୍ଯ୍ୟକ୍ରମ କରିବାକୁ ଦଳ ପକ୍ଷରୁ ଯୋଜନା କରାଯାଇଛି। ଫଳରେ ଏମଏମଡିଆର ସଂଶୋଧନକୁ ନେଇ ଓଡ଼ିଶାରେ ରାଜନୈତିକ ତର୍କ ଓ ପ୍ରତିବାଦ ଆହୁରି ତୀବ୍ର ହେବାର ସଙ୍କେତ ମିଳିଛି। ଜୟପୁରର ଏହି ବୈଠକ ମାଧ୍ୟମରେ କଂଗ୍ରେସ ଆଗାମୀ ଆନ୍ଦୋଳନ ପାଇଁ ନିଜ ସାଂଗଠନିକ ପ୍ରସ୍ତୁତିକୁ ମଜଭୁତ କରିଥିବା ବେଳେ, ରାୟଗଡ଼ା ସମାବେଶ ଉପରେ ଏବେ ରାଜନୈତିକ ମହଲର ନଜର ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ