ଆଜି ବିଶ୍ୱ ବାଉଁଶ ଦିବସ: ପ୍ଲାଷ୍ଟିକ ମାଡରେ ହଜିଯିବ କି ବାଉଁଶ ଶିଳ୍ପ

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ):ପ୍ରଦୂଷଣ ମୁକ୍ତ ପରିବେଶ ପାଇଁ ସରକାର ପ୍ଲାଷ୍ଟିକ ବର୍ଜନ ନାରା ଦେଉଥିବା ବେଳେ ପ୍ରକୃତ ପରିବେଶ ବନ୍ଧୁ ବାଉଁଶ କାରିଗର ଆଜି ଅସହାୟ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କରଞ୍ଜପୁର ଗୋପାଳପୁର ଓ କେନ୍ଦ୍ରାପଟି ଗ୍ରାମର ୨୦ରୁ ଅଧିକ ପରିବାରର କୌଳିକ ବୃତ୍ତି ଏବେ ଲୋପ ପାଇବାକୁ ବସିଲାଣି। ସରକାରୀ ପ୍ରୋତ୍ସାହନ ନ ମିଳିବାରୁ ଶହ ଶହ କାରିଗର ମୂଲ ମଜୁରୀ ଲାଗିବାକୁ ବାଧ୍ୟ ହେଉଛନ୍ତି। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ ପର୍ବରେ ବାଉଁଶର ବ୍ୟବହାର ରହିଛି। ଘର ଛପର, ବ୍ରତ, ବିବାହ, ତୋରଣ ସବୁଥିରେ ବାଉଁଶ ନହେଲେ ଚଳେନି। ଏହି ଦୁଇ ଗାଁର ଲୋକେ ବଂଶାନୁକ୍ରମେ ଟୋକେଇ, କୁଲା, ଡାଲା, ବାଉଁଶିଆ, ଛୋଟ ତୋରଣ ତିଆରି କରି ଆସୁଛନ୍ତି। ହେଲେ ପ୍ଲାଷ୍ଟିକର ବହୁଳ ବ୍ୟବହାର ସେମାନଙ୍କ ପେଟ ଉପରେ ଲାତ ମାରିଛି। ବଜାରରେ ୨୦ ଟଙ୍କିଆ ପ୍ଲାଷ୍ଟିକ ଡାଲା ଆଗରେ ୧୫୦ ଟଙ୍କିଆ ବାଉଁଶ ଡାଲା ହାରିଯାଉଛି। କାରିଗର ଶିବ ମଲ୍ଲିକ କୁହନ୍ତି, ଗୋଟିଏ ବାଉଁଶ କିଣିବାକୁ ୨୫୦ରୁ ୩୦୦ ଟଙ୍କା ପଡୁଛି। ସାରା ଦିନ ଖଟି ଦୁଇଟି ଟୋକେଇ କଲେ ବି ୨୦୦ ଟଙ୍କା ଲାଭ ହେଉନି। ତେଣୁ ଏହି କାମ ଛାଡି ଅଧିକାଂଶ ଯୁବକ ବାହାରକୁ ମଜୁରୀ ଖଟିବାକୁ ଯାଉଛନ୍ତି। ସେ ଆହୁରି କୁହନ୍ତି, ବେତ ଶିଳ୍ପ ଭଳି ବାଉଁଶରୁ ଯଦି ଆଧୁନିକ ସୋଫା, ଝୁଲା, ଟୁଲ ତିଆରି ପାଇଁ ସରକାର ତାଲିମ ଦିଅନ୍ତେ, ତେବେ ବ୍ୟବସାୟ ବଢନ୍ତା। ଆମକୁ କୁଟୀର ଶିଳ୍ପ ମାନ୍ୟତା ମିଳିଲେ ସରକାରୀ ଋଣ ଓ ମେସିନ ମିଳନ୍ତା। ଏବେ ଆମେ ଅର୍ଡର ପାଇଲେ ହିଁ କାମ କରୁଛୁ, ନହେଲେ ଅସ୍ତରଙ୍ଗ ହାଟରେ ବୁଲି ବିକୁଛୁ। ରାଜ୍ୟ ସରକାର ଯଦି ଏଥି ପ୍ରତି ଦୃଷ୍ଟି ଦିଅନ୍ତେ, ତେବେ ପରିବେଶ ବଞ୍ଚନ୍ତା ଓ ଆମେ ବି ବଞ୍ଚିଯାଆନ୍ତୁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ