ଅସ୍ତରଙ୍ଗ ମେଡିକାଲରେ ନୂତନ ସୁପରିଟେଣ୍ଡେଣ୍ଟଙ୍କ ଯୋଗଦାନ
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ ):ବହୁ ଚର୍ଚିତ ପୁରୀ ଜିଲ୍ଲା ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଆସିଛି ଖୁସି ଖବର। ଦୀର୍ଘ ଦିନର ଅବ୍ୟବସ୍ଥା ଓ ଅଭିଯୋଗ ପରେ ଶେଷରେ ମେଡିକାଲକୁ ମିଳିଛି ନୂତନ ମୁଖ୍ୟ। ସେପ୍ଟେମ୍ବର ୧ ତାରିଖରେ ନୂତନ ସୁପରିଟେଣ୍ଡେଣ୍ଟ ଭାବେ ଶିଶୁରୋଗ ବିଶେଷଜ୍ଞ ଡା. ସୁବ୍ରତ କୁମାର ମହାପାତ୍ର ଯୋଗ ଦେଇଛନ୍ତି। ତାଙ୍କ ଯୋଗଦାନ ପରେ ସ୍ଥାନୀୟ ଅଞ୍ଚଳରେ ଆଶା ସଞ୍ଚାର ହୋଇଛି ଯେ ଏବେ ମେଡିକାଲର ଚିତ୍ର ବଦଳିବ। ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ବାରମ୍ବାର ଅଭିଯୋଗ ଆସୁଥିଲା। ସରକାରୀ ନିରାମୟ ଔଷଧ ରୋଗୀଙ୍କୁ ମିଳୁନଥିଲା, ଫଳରେ ରୋଗୀ ବାହାରୁ ଅଧିକ ଦାମରେ ଔଷଧ କିଣିବାକୁ ବାଧ୍ୟ ହେଉଥିଲେ। କର୍ମଚାରୀମାନେ ସଠିକ ସମୟରେ ମେଡିକାଲକୁ ଆସୁନଥିଲେ, ବାୟୋମେଟ୍ରିକ ବ୍ୟବସ୍ଥା ସଠିକ ଭାବେ କାର୍ଯ୍ୟ କରୁନଥିଲା। ଏହାଛଡା ପୂର୍ବତନ ଅଧିକାରୀ ଡା. ସଞ୍ଜୟ ପ୍ରଧାନ ଦୀର୍ଘ ୧୦ ବର୍ଷ ଧରି ଗୋଟିଏ ସ୍ଥାନରେ ରହିବା ପରେ ମଧ୍ୟ ମେଡିକାଲର ଉନ୍ନତି ହୋଇପାରିନଥିଲା। ଜଣେ ବି ବିଶେଷଜ୍ଞ ଡାକ୍ତର ନଥିବାରୁ ଗର୍ଭବତୀ ମହିଳା ଓ ଶିଶୁମାନେ ଅଧିକ ହଇରାଣ ହେଉଥିଲେ। ଏହି ସମସ୍ୟା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଶାସନ ପଦକ୍ଷେପ ନେଇଛି। ନୂତନ ସୁପରିଟେଣ୍ଡେଣ୍ଟ ଡା. ସୁବ୍ରତ କୁମାର ମହାପାତ୍ର ହେଉଛନ୍ତି ଜଣେ ଶିଶୁରୋଗ ବିଶେଷଜ୍ଞ। ତାଙ୍କ ଯୋଗଦାନ ଅସ୍ତରଙ୍ଗ ଭଳି ଉପାନ୍ତ ଅଞ୍ଚଳ ପାଇଁ ବଡ ଉପହାର। କାରଣ ଏଠାରେ ଦୀର୍ଘ ଦିନ ଧରି ଜଣେ ବି ଶିଶୁରୋଗ ବିଶେଷଜ୍ଞ ନଥିଲେ। ଏବେ ଶିଶୁ ଓ ମାତୃ ମୃତ୍ୟୁ ହାର କମିବ ବୋଲି ଆଶା କରାଯାଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ନୂତନ ଅଧିକାରୀ ଜଣେ ମିଷ୍ଟଭାଷୀ, ପରିଶ୍ରମୀ ଓ ରୋଗୀ ସେବା ମନୋଭାବ ରଖିଥିବା ଡାକ୍ତର। ସେ ଯୋଗ ଦେବା ଦିନଠାରୁ ମେଡିକାଲରେ ସମୟାନୁବର୍ତ୍ତିତା ଓ ଶୃଙ୍ଖଳା ଫେରିଛି। ଔଷଧ ବଣ୍ଟନ, ବାୟୋମେଟ୍ରିକ ଓ କର୍ମଚାରୀ ଉପସ୍ଥିତି ଉପରେ ସେ କଡା ନଜର ରଖିଛନ୍ତି ବୋଲି କହିଛନ୍ତି ସମାଜସେବୀ ଦୁଷ୍ମନ୍ତ କୁମାର ପରିଡା। ଅସ୍ତରଙ୍ଗ ବାସୀଙ୍କ ଆଶା ଏବେ ନୂତନ ସୁପରିଟେଣ୍ଡେଣ୍ଟ ଡା. ମହାପାତ୍ରଙ୍କ ଉପରେ ଯେ ସେ ପୁରୁଣା ସମସ୍ୟାର ସମାଧାନ କରି ଅସ୍ତରଙ୍ଗ ମେଡିକାଲକୁ ଏକ ମଡେଲ ମେଡିକାଲ କରିବେ।


