ଅବହେଳିତ ଅବସ୍ଥାରେ ମା’ ଉକୁଳେଇ ପୀଠ

କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ଅସ୍ତରଙ୍ଗର ମାଟିରେ ଏମିତି ଏକ ଜାଗ୍ରତ ପୀଠ ଅଛି, ଯେଉଁଠି ବିଜ୍ଞାନ ହାର ମାନେ, ବିଶ୍ୱାସ ଜିତେ। ସେ ହେଉଛି ମା’ ଉକୁଳେଇ ପୀଠ। କୁହାଯାଏ, ଏଠାରେ ମା’ଙ୍କ ଝୁଣା ଧୂପର ଧୂଆଁ ପାଇଲେ ଦୀର୍ଘ ଦିନର ଜ୍ୱର ଭଲ ହୁଏ, ଆଉ ମନ୍ଦିର ପାଖରେ ଥିବା ସିଦ୍ଧ ପୁଷ୍କରିଣୀରେ ଥରେ ବୁଡ ପକାଇଲେ ଦୁରାରୋଗ୍ୟ ରୋଗ ଭଲ ହୁଏ। ଏହି ଅଲୌକିକ ବିଶ୍ୱାସକୁ ନେଇ ପ୍ରତିଦିନ ଶହ ଶହ ଭକ୍ତ ଛୁଟି ଆସନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କେନ୍ଦ୍ରାପଟି ପଞ୍ଚାୟତ ଜିଉନ୍ତୀ ଗାଁ ନିକଟବର୍ତ୍ତୀ ଉକୁଳେଇ ଅଞ୍ଚଳରେ ଥିବା ଏହି ପ୍ରାଚୀନ ପୀଠକୁ। କାକଟପୁରରୁ ଅସ୍ତରଙ୍ଗ ମୁଖ୍ୟ ରାସ୍ତା ପାର୍ଶ୍ୱରେ ପଡୁଥିବା ଏହି ପୀଠ ଅସ୍ତରଙ୍ଗ ଅଞ୍ଚଳର ଆରାଧ୍ୟା ଦେବୀ ଭାବେ ପୂଜିତ।କିନ୍ତୁ ଏହି ବିଶ୍ୱାସ ପଛରେ ଲୁଚି ଅଛି ଏକ କୋହଭରା କାହାଣୀ। ଯେଉଁ ମା’ ଲୋକଙ୍କ ରୋଗ ଭଲ କରୁଛନ୍ତି, ସେହି ମା’ଙ୍କ ଘର ଆଜି ଭଙ୍ଗା। ପୀଠରେ ନାହିଁ ଗୋଟିଏ ରୋଷେଇ ଘର ଯେଉଁଠି ଭୋଗ ରନ୍ଧା ହେବ, ନାହିଁ ମା’ ଭଉଣୀଙ୍କ ପାଇଁ ଗୋଟିଏ ଶୌଚାଳୟ, ନାହିଁ ରାତିରେ ଆଲୋକୀକରଣ, ନାହିଁ ପରିକ୍ରମା ପାଇଁ ପକ୍କା ରାସ୍ତା, ନାହିଁ ଭକ୍ତଙ୍କ ବିଶ୍ରାମ ସ୍ଥଳ। ପବିତ୍ର ସିଦ୍ଧ ପୁଷ୍କରିଣୀ କଚରା ଓ ଅପରିଷ୍କାରରେ ପୋତି ହୋଇ ଚତୁର୍ପାର୍ଶ୍ୱ ଅଳିଆ ଗଦା ପାଲଟିଛି। ଫଳରେ ବହୁ ଦୂରରୁ ଆସୁଥିବା ଭକ୍ତ ନିରାଶ ହୋଇ ଫେରୁଛନ୍ତି। ଏହି ସମସ୍ୟାକୁ ଦେଖି ଅସ୍ତରଙ୍ଗ ବ୍ଲକ ମାଳଦା ଗ୍ରାମର ସାମାଜିକ କର୍ମୀ ଅମୀୟ ରଞ୍ଜନ ବାରିକ। ସେ କେବଳ ସାମାଜିକ ଗଣମାଧ୍ୟମରେ ଲେଖି ଚୁପ୍ ରହିଲେନି, ପ୍ରମାଣ ଯୋଗାଡ କଲେ। ମନ୍ଦିରର ଜମିର ପରିଚୟ ବାହାର କଲେ – ମୌଜା ଜିଉନ୍ତୀ, ଖାତା ନଂ ୪୭୧, ପ୍ଲଟ ନଂ ୧୯୩୭ ଏବଂ ଅସ୍ତରଙ୍ଗ ଥାନା ଠାରୁ ଅଳ୍ପ କିଛି ମିଟର ଦୂରରେ।ସେ ପରିଶିଷ୍ଟ-୧ ରେ ଗର୍ଭଗୃହର ଫଟୋ, ପରିଶିଷ୍ଟ-୨ ରେ ପରିସରର ଦୁରାବସ୍ଥା ଏବଂ ପରିଶିଷ୍ଟ-୩ ରେ ରାଜସ୍ୱ କାଗଜର ଫଟୋ ସହ ଗତ ୪ ସେପ୍ଟେମ୍ବର ୨୦୨୬ରେ ସିଧା ଉପ-ମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ପର୍ଯ୍ୟଟନ ବିଭାଗ, ପୁରୀ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ।
ଆଶ୍ଚର୍ଯ୍ୟ କଥା, ମାତ୍ର ୬ ଦିନ ଭିତରେ ଏହାର ଫଳ ମିଳିଥିଲା। ପୁରୀ ଜିଲ୍ଲା ପର୍ଯ୍ୟଟନ ବିକାଶ ଅଧିକାରୀ ଗତ ୧୦ ସେପ୍ଟେମ୍ବର ୨୦୨୬ରେ ପତ୍ର ସଂଖ୍ୟା ୧୭୮୪ ଜାରି କରି ଅସ୍ତରଙ୍ଗ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଏବଂ ଅସ୍ତରଙ୍ଗ ତହସିଲଦାର ଙ୍କୁ ପୀଠର ପ୍ରାଥମିକ ସମ୍ଭାବ୍ୟତା ପ୍ରତିବେଦନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ମାରକ ସଂଖ୍ୟା ୧୭୮୫, ୧୭୮୬, ୧୭୮୭ ରେ ଏହାର ନକଲ କୋଣାର୍କ ପର୍ଯ୍ୟଟନ ଅଧିକାରୀ ଏବଂ ପୁରୀ ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ଅଧିକାରୀଙ୍କୁ ପଠାଯାଇଛି। କିନ୍ତୁ ଏହି ପୀଠ ପ୍ରକୃତରେ ଅସ୍ତରଙ୍ଗ ବ୍ଲକ ଓ ତହସିଲ ଠାରୁ ମାତ୍ର ୨ ରୁ ୩ କିଲୋମିଟର ଦୂରରେ ରହିଥିଲେ ବି ଏତେ ବର୍ଷ ଅବହେଳିତ କାହିଁକି ହେଲା ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରୁଛନ୍ତି। ଏବେ ଯଦି ସରକାର ସିଦ୍ଧ ପୁଷ୍କରିଣୀର ପୁନରୁଦ୍ଧାର, ରୋଷେଇ ଘର, ଶୌଚାଳୟ, ଆଲୋକୀକରଣ ଓ ପରିକ୍ରମା ମାର୍ଗ କରନ୍ତି, ତେବେ ଏହି ଅଲୌକିକ ପୀଠ ପୁରୀ ଜିଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ହେବ। ଏହା କେବଳ ଫାଇଲରେ ରହିଯିବ ନା ବାସ୍ତବରେ ବିକାଶ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି ବୋଲି ସ୍ଥାନୀୟ ବାସିନ୍ଦା ଆଶା ପ୍ରକଟ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ