ଭାଗବତ ବାଣୀ ଜୀବନ ଦର୍ଶନ

ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ
ଭାରତୀୟ ସନାତନ ଧର୍ମ ହେଉଛି ଦେବତ୍ୱର ଧର୍ମ। ଯେ ସର୍ଵଦା ବିଶ୍ୱର କଲ୍ୟାଣ ପାଇଁ କେବଳ ଦେଇଚାଲିଛି। ଏହାର ପବିତ୍ର ଗ୍ରନ୍ଥ ସମୂହ ଅମୃତ ସମାନ ଏବଂ ମାନବ ସମାଜର ଦିଗ୍ଦର୍ଶକ ଅଟନ୍ତି। ଏହି ପାବନ ଗ୍ରନ୍ଥ ମଧ୍ୟରୁ ସର୍ବଶ୍ରେଷ୍ଠ ହେଉଛନ୍ତି ” ଶ୍ରୀମଦ୍ଭାଗବତ ମହାପୁରାଣ “। ଯାହା ଭାବ, ଜ୍ଞାନ, ବୈରାଗ୍ୟ ଓ ତତ୍ତ୍ୱର ମାର୍ଗ ପ୍ରଦର୍ଶନ କରିବା ସହ ଜୀବନ ଦର୍ଶନର ଏକ ଉତ୍ତମ ନିଦର୍ଶନ। ଯାହାକୁ ଜଗତ ଜନଙ୍କ ମଙ୍ଗଳ ପାଇଁ କୃଷ୍ଣ ଦ୍ୱୈପାୟନ ବେଦବ୍ୟାସ, ସମସ୍ତ ଶାସ୍ତ୍ରର ନିର୍ଯ୍ୟାସକୁ ନେଇ ଏ ଗ୍ରନ୍ଥକୁ ସଂସ୍କୃତ ଭାଷାରେ ରଚନା କରିଥିଲେ। ଏହି ମହାପୁରାଣକୁ ଭଗବାନଙ୍କ ସାକ୍ଷାତ ସ୍ୱରୂପ ବୋଲି ମଧ୍ୟ କୁହାଯାଏ। ଯାହାକୁ ନିତ୍ୟ ପାଠ କରୁଥିଲେ ଭକ୍ତ ଏବଂ ବିଜ୍ଞ ଦାର୍ଶନିକ ତଥା ଓଡ଼ିଆର ସନ୍ଥ ଅତିବଡ଼ି ଜଗନ୍ନାଥ ଦାସ । ସେ ଓଡ଼ିଆ ଜାତିକୁ ଭକ୍ତି ଓ ଜୀବନ ଦର୍ଶନରେ ପ୍ରେରିତ କରିବା ନିମନ୍ତେ ଏହି ସଂସ୍କୃତ ଭାଗବତକୁ ଓଡ଼ିଆ ଭାଷାରେ ଭାବାନୁବାଦ କରିଥିଲେ । ସେବାଠାରୁ ଆଜିପର୍ଯ୍ୟନ୍ତ ଏହାର ବାଣୀ ଆଲୋକ ବର୍ତ୍ତିକା ହୋଇ ପଥ ପ୍ରଦର୍ଶନ କରି ଚାଲିଛି।
ଓଡ଼ିଆ ଭାଗବତକୁ କିଛି ଲୋକ କେବଳ ଏକ ଧାର୍ମିକ ଗ୍ରନ୍ଥ ବୋଲି କହନ୍ତି, ପରନ୍ତୁ ଏହା ଓଡ଼ିଆ ଜାତିର ପ୍ରାଣସ୍ପନ୍ଦନ ଏବଂ ଏକ ମହାନ ଜୀବନ ଦର୍ଶନ। ଯାହା ଅତିସରଳ ଓ ସାର୍ବଜନୀନ ଭାଷାରେ ଜୀବନର ସତ୍ୟତାକୁ ନବାକ୍ଷରୀ ବୃତ୍ତ ବା ଗୁଜ୍ଜରୀ ରାଗରେ ରଚନା କରାଯାଉଛି। ଏହି ସରଳ ଛନ୍ଦ ଯୋଗୁଁ ଜଣେ ସାଧାରଣ ନିରକ୍ଷର ବ୍ୟକ୍ତି ମଧ୍ୟ ଏହାକୁ ସହଜରେ ମନେ ରଖିପାରିବ। ଯାହାଫଳରେ ସେ ଜୀବନର ଗଭୀର ତତ୍ତ୍ୱ ଓ ଜନ୍ମ-ମୃତ୍ୟୁର ରହସ୍ୟ ଏବଂ ସଂସାରର ନଶ୍ୱରତାକୁ ବୁଝିପାରିବ। ଏହି ଭାଗବତର ଅମୂଲ୍ୟ ବାଣୀ, ସମସ୍ତ ଶ୍ରେଣୀର ଲୋକଙ୍କ ହୃଦୟକୁ ଏଥିପାଇଁ ଛୁଇଁଥାଏ। ଏଥି ମଧ୍ୟରୁ ଗୋଟିଏ ହେଉଛି :- “ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେହେଁ ମରଇ।” ଏହି ପଦଟି ମନେ ପକାଇଦିଏ ଯେ, ମରଜଗତରେ ମୃତ୍ୟୁ ଅନିବାର୍ଯ୍ୟ, ତେଣୁ ମଣିଷକୁ ଅହଂକାର, କ୍ରୋଧ, ଲୋଭ ଏବଂ ଈର୍ଷା ଭଳି ଖରାପ ଗୁଣରୁ ଦୂରେଇ ରହିବାକୁ ହେବ। ତାହାସହ ସମସ୍ତଙ୍କୁ ଉତ୍ତମ ବ୍ୟବହାର କରିବା କଥାକୁ ସୂଚାଇ ଥାଏ। କେବଳ ଦୁର୍ଗୁଣ ଓ ସୁଗୁଣ ବିଷୟରେ ସୀମିତ ରହିନାହିଁ ଏହାର ବାଣୀ, କିପରି କର୍ମ କରିବାକୁ ହେବ , କେଉଁ କର୍ମ କରିବା ଦ୍ୱାରା ମଣିଷ ତାର କେଉଁ ପ୍ରକାର ଫଳ ପାଇଥାଏ ତାହାକୁ ମଧ୍ୟ କୁହାଯାଇଛି:- “ଯେସନେ କର୍ମ କରେ ପ୍ରାଣୀ, ତେସନେ ଫଳ ଦେବେ ଆଣି”। ଅର୍ଥାତ୍ – ଭଲ କାମ କଲେ ସୁଫଳ ଏବଂ ଖରାପ କାମ କଲେ କୁଫଳ ମିଳିବା ନିଶ୍ଚିତ। ଏହି ଦର୍ଶନ ମଣିଷକୁ ସମାଜରେ ପାପ କାମରୁ ନିବୃତ୍ତ ରହି ସତକର୍ମ କରିବା ପାଇଁ ପ୍ରେରଣା ଦେଇଥାଏ। ସେଭଳି “ପୂର୍ବେ ଯେ ପ୍ରାଣୀ ଯାହା କରେ, ସେ କର୍ମ ଭୋଗେ ନିରନ୍ତରେ” ଏବଂ “ପ୍ରାଣୀର ଭଲ ମନ୍ଦ ବାଣୀ ମରଣ କାଳେ ତାହା ଜାଣି “। ଏହାର ଅର୍ଥ ମନୁଷ୍ୟ ପୂର୍ବରୁ ଯେଉଁ କର୍ମ କରିଥାଏ, ତାର ପରିଣାମ ବା ଭୋଗ ତାକୁ ସଦାସର୍ବଦା ନିଶ୍ଚିତ ଭାବେ ଭୋଗିବାକୁ ପଡିଥାଏ ଏବଂ ବ୍ୟକ୍ତିର ମୃତ୍ୟୁ ହେବାପରେ ଇହ ଲୋକରେ ଲୋକମାନେ ତାର ବ୍ୟକ୍ତିତ୍ୱକୁ ନେଇ କଥା ହୋଇଥାନ୍ତି। ତେଣୁ ସଦା ସର୍ବଦା ସତ୍ କର୍ମ କରିବା ସହିତ ନିଜର ସମସ୍ତ କର୍ମକୁ ଆଶା ବା ଅହଂକାର ନ ରଖି ଭଗବାନଙ୍କ ଚରଣରେ ସମର୍ପଣ କରିବା ଆବଶ୍ୟକ, ତେବେ ଯାଇ ଏ ଜୀବ ସଂସାରର ସମସ୍ତ ପାପ-ପୁଣ୍ୟ ବନ୍ଧନରୁ ମୁକ୍ତ ହୋଇପାରିବ। ସେହିପରି ଭାଗବତର ମୁଖ୍ୟ ଆଧାର ହେଉଛି ଭକ୍ତି। ଶ୍ରୀକୃଷ୍ଣଙ୍କ ଚରିତ୍ର ଏବଂ ଲୀଳା ମାଧ୍ୟମରେ ଭଗବାନଙ୍କ ପ୍ରତି ନିଷ୍କାମ ଭକ୍ତି ଓ ସମର୍ପଣ ଭାବ ଜାଗ୍ରତ କରାଇଛି। କେବଳ ବାହ୍ୟ ଆଡ଼ମ୍ବର ବା ପୂଜାପାଠ ନୁହେଁ, ବରଂ ଶୁଦ୍ଧ ମନରେ ଅହଂକାର ଶୂନ୍ୟ ହୋଇ ଭଗବାନଙ୍କୁ ସ୍ମରଣ କଲେ ମୁକ୍ତି ମିଳିଥାଏ ବୋଲି ଏହିପରି କୁହାଯାଇଛି:- “ଉଦ୍ଧବ ମନେ ରଖିଥିବୁ, ମୁଁ ମଲେ ମୋତେ ତୁ ପାଇବୁ”।
ଏହି ମହାପୁରାଣରେ କେବଳ ଜ୍ଞାନ, କର୍ମ ଓ ଭକ୍ତି କଥା କୁହାଯାଇନାହିଁ, ଅପିତୁ ଗୁରୁ ଏବଂ ସାଧୁଜନ ସଙ୍ଗର କଥାକୁ ଅତି ନିଖୁଣ ଭାବରେ ବର୍ଣ୍ଣନା କରାଯାଇଛି। ଆମେ ଜାଣିଛେ ଜନ୍ମ ଅଛି ମାନେ ନିଶ୍ଚିତ ମୃତ୍ୟୁ ରହିଛି । ତେଣୁ ଉତ୍ତମ ଲୋକଙ୍କ ସାନ୍ନିଧ୍ୟରେ ରହି ନିଜର ଚରିତ୍ରକୁ ଉନ୍ନତ କରିବା ଆଵଶ୍ୟକ। ଏଥି ପାଇଁ ଲୋଡାପଡେ ଜଣେ ସଦଗୁରୁଙ୍କ ଆଶ୍ରୟ, ଯେ କି ଅଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନର ଆଲୋକ ବର୍ତ୍ତିକା ହୋଇ ମାର୍ଗ ପ୍ରଦର୍ଶନ କରିଥାନ୍ତି। ଏଣୁ କୁହାଯାଇଛି:-“ଜନ୍ମିଲେ ମରିବେ ନିଶ୍ଚୟ, ଗୁରୁ ଚରଣେ କର ଆଶ୍ରୟ”। ଏହି ଭାଗବତର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ହେଉଛି ‘ଅବଧୂତ ସମ୍ବାଦ’। ଏଥିରେ ଯଦୁ ମହାରାଜା ଓ ଅବଧୂତଙ୍କ କଥୋପକଥନ ମାଧ୍ୟମରେ ଦର୍ଶାଯାଇଛି ଯେ, କେବଳ ମଣିଷ ନୁହେଁ, ପ୍ରକୃତିର ପ୍ରତ୍ୟେକ ଉପାଦାନ ଆମର ଗୁରୁ ହୋଇପାରିବେ। ଅବଧୂତ ପୃଥିବୀ, ପବନ, ଆକାଶ, ଜଳ, ନିଆଁ, ଏପରିକି ବାଘ, ମାଛି ଓ ବେଶ୍ୟା ଆଦି ୨୪ ଜଣଙ୍କୁ ଗୁରୁ କରି ସେମାନଙ୍କଠାରୁ ଜୀବନ ଜୀଇଁବାର ସତ୍ୟ ଶିଖିଥିଲେ। ଏହା ଆମକୁ ଶିଖାଏ ଯେ ଜ୍ଞାନ ଆହରଣ ପାଇଁ କୌଣସି ସୀମା ବନ୍ଧନ ନାହିଁ।
ଭାଗବତ କେବଳ ଆଧ୍ୟାତ୍ମିକତା ଶିଖାଏ ନାହିଁ, ବରଂ ଏକ ସୁସ୍ଥ ସମାଜ ଗଠନରେ ସାହାଯ୍ୟ କରେ। ପିତାମାତାଙ୍କ ପ୍ରତି କର୍ତ୍ତବ୍ୟ, ଭାଇ-ଭଉଣୀଙ୍କ ନିମନ୍ତେ ସ୍ନେହ ଏବଂ ଅତିଥି ସେବା ଆଦି ପାରିବାରିକ ମୂଲ୍ୟବୋଧକୁ ଏହା ସମ୍ମାନ ଦିଏ। ସମାଜରେ ସମସ୍ତେ ସମାନ ଏବଂ ସମସ୍ତଙ୍କ ମଧ୍ୟରେ ଭଗବାନ ବିଦ୍ୟମାନ, ଏହି ଭାବନା ଦ୍ୱାରା ଜାତିଗତ ଭେଦଭାବ ଦୂର କରିବାକୁ ଯାଇ ଶିକ୍ଷା ଦିଆଯାଇଛି ଯେ:- “ସକଳ ଘଟେ ନାରାୟଣ , ଅନାଦି ପରମ କାରଣ”। ତେଣୁ ଏହି ଶାସ୍ତ୍ରକୁ ଇହଲୋକ ଓ ପରଲୋକର କଲ୍ୟାଣକାରୀ ଶାସ୍ତ୍ର ଏବଂ ପରମହଂସ ସଂହିତା ବୋଲି ମଧ୍ୟ କୁହାଯାଇଛି। ଏହାର ପ୍ରତ୍ୟେକଟି ଅକ୍ଷର ର ମହତ୍ତ୍ଵ ମଧ୍ୟ ରହିଛି। ଯଥା:- ‘ଭା’ ରେ ଭାବ, ‘ଗ’ ରୁ ଜ୍ଞାନ, ‘ବ’ ରୁ ବ୍ରହ୍ମ ଏବଂ ‘ତ’ ରୁ ତତ୍ତ୍ୱ ବୁଝାଏ। ଅତଃ କୁହାଯାଇଛି: “ପରମ ଶାସ୍ତ୍ର ଭାଗବତ, ଅଭ୍ୟାସ କରୁଥିବ ନିତ୍ୟ”। ସଂକ୍ଷେପରେ କହିବାକୁ ଗଲେ, ଓଡ଼ିଆ ଭାଗବତ ହେଉଛି ଜୀବନ ଜୀଇଁବାର ଏକ ସହଜ କଳା। ଏହା ମଣିଷକୁ ସୁଖରେ ଅହଂକାରୀ ନ ହୋଇ ଏବଂ ଦୁଃଖରେ ଭାଙ୍ଗି ନ ପଡ଼ିବାକୁ ଶକ୍ତି ଦେଇଥାଏ। ଆଜିର ବ୍ୟସ୍ତବହୁଳ ଓ ମାନସିକ ଚାପଗ୍ରସ୍ତ ଜୀବନରେ ଭାଗବତ ବାଣୀର ଅତ୍ୟନ୍ତ ପ୍ରାସଙ୍ଗିକତା ରହିଛି। ଏହା କେବଳ ଓଡ଼ିଶାର ଏକ ସାହିତ୍ୟିକ ସମ୍ପଦ ନୁହେଁ, ବରଂ ମାନବ ଜାତି ପାଇଁ ଏକ ଅମୂଲ୍ୟ ଜୀବନ ଦର୍ଶନ।
ବରିଷ୍ଠ ଦର୍ଶନ ଅଧ୍ୟାପକ
ସଂସ୍କୃତ ମହାବିଦ୍ୟାଳୟ
କବିସୂର୍ଯ୍ୟ ନଗର, ଗଞ୍ଜାମ
୯୮୬୧୩୩୪୮୬୮


