ଶ୍ରୀ ମନ୍ଦିରରେ ଶ୍ରୀ ରାଧାଷ୍ଟମୀ

ସନ୍ତୋଷ କୁମାର ଦାଶ
ପୁରୀ ଶ୍ରୀ ମନ୍ଦିର ରେ ବର୍ଷ ସାରା ବିଭିନ୍ନ ଉତ୍ସବ ପାଳିତ ହୋଇଥାଏ। ଭାଦ୍ରବ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ରେ ପାଳିତ ହୋଇଥାଏ ଶ୍ରୀ ରାଧାଷ୍ଟମୀ ଉତ୍ସବ। ରାଧାରାଣୀ ଏହି ଦିନ ଜନ୍ମ ଗ୍ରହଣ କରିଥିବାରୁ କୃଷ୍ଣ ଭକ୍ତ ଓ ବୈଷ୍ଣବ ମାନେ ଏହି ଦିନ ଟିକୁ ବଡ଼ ଧୁମ୍ ଧାମରେ ପାଳନ କରିଥାନ୍ତି।ଭକ୍ତ ମାନଙ୍କର ବିଶ୍ୱାସ ରହିଛି
ଯେ,ରାଧାରାଣୀ ଙ୍କୁ ପୂଜା କଲେ ପ୍ରଭୁ ଶ୍ରୀ କୃଷ୍ଣ ସନ୍ତୁଷ୍ଟ ହୋଇଥାନ୍ତି। ପୁରାଣ କୁହେ ରାଧାରାଣୀ ଏହି ଦିନ ରାଣୀ କିର୍ତ୍ତିଦା ଙ୍କ ଠାରୁ ଜନ୍ମ ଗ୍ରହଣ କରି ଥିଲେ ଆଉ ତାଙ୍କ ପିତା ଥିଲେ ରାଜା ବୃଷଭାନୁ। ଆଉ କିଛି ବୈଷ୍ଣବ ଭକ୍ତ ଙ୍କ ମତରେ ରାଧାରାଣୀ ଆଯୋନି ସମ୍ଭୂତା। ରାଣୀ କିର୍ତ୍ତିଦା ଦିନେ ରାଜ ଉଦ୍ୟାନ ପୁଷ୍କରିଣୀ ରେ ସ୍ନାନ କରୁ ଥିବାବେଳେ ଦେଖିଲେ ଏକ ନୀଳ ପଦ୍ମ ଉପରେ କୁନି ସୁନ୍ଦରୀ ଝିଅ ଟିଏ ହାତ ଗୋଡ଼ ହଲାଇ ଖେଳୁଛି। ତାକୁ ରାଣୀ କିର୍ତ୍ତିଦା ସାଙ୍ଗରେ ଆଣି ନିଜ ଝିଅ ଭାବେ ପାଳିଥିଲେ। ଆଉ କିଛି ଭକ୍ତ କୁହନ୍ତି ପ୍ରଭୁ ଶ୍ରୀ କୃଷ୍ଣ ଙ୍କ ଦକ୍ଷିଣ ଅଙ୍ଗ ରୁ ଶ୍ରୀ ରାଧାରାଣୀ ଙ୍କ ସୃଷ୍ଟି ହୋଇଥିଲା। ପ୍ରଭୁ ଶ୍ରୀ କୃଷ୍ଣ ଙ୍କ ଜନ୍ମ ଦିନ କୁ ବୈଷ୍ଣବ ଭକ୍ତ ଓ କୃଷ୍ଣ ପ୍ରେମୀ
ମାନେ ଜନ୍ମାଷ୍ଟମୀ ଉତ୍ସବ ଭାବେ ପାଳନ କରୁଥିବା ବେଳେ ଶ୍ରୀ ରାଧାରାଣୀ ଙ୍କ ଜନ୍ମ ଦିନ କୁ ରାଧାଷ୍ଟମୀ ଉତ୍ସବ ଭାବେ ପାଳନ କରିଥାନ୍ତି। ବୈଷ୍ଣବ ମାନଙ୍କ ମତରେ
କୃଷ୍ଣ ଭକ୍ତି ପ୍ରାପ୍ତି ର ମାଧ୍ୟମ ହେଉଛି
ଶ୍ରୀ ରାଧା ଙ୍କ ସ୍ତୁତି ଓ ପୂଜନ। ପୁରାଣ ରେ ଉଲ୍ଲେଖ ରହିଛି ରାଧାରାଣୀ ଙ୍କୁ ସମସ୍ତ ଦେବାଦେବୀ ମାନେ ମହାଭିଷେକ କରାଇଥିଲେ। ଅଭିଷେକ ଉତ୍ସବ ପରେ ଦେବୀ ସାବିତ୍ରୀ ଶ୍ରୀ ରାଧା ଙ୍କୁ ସ୍ଵର୍ଣ୍ଣ ପଦ୍ମ ମାଳ,ଶଚ୍ଚି ଦେବୀ ସ୍ଵର୍ଣ୍ଣ ସିଂହାସନ,
ଦେବୀ ମନୋରମା ରତ୍ନ ଖଚିତ ଅଳଙ୍କାର, ଦେବୀ ଗୌରୀ ଛତ୍ର, ଦେବୀ ନବା ନୁପୁର ଉପହାର ଭାବେ ପ୍ରଦାନ କରିଥିଲେ।ଶ୍ରୀ ରାଧାରାଣୀ ଙ୍କ ର ଲଳିତା, ବିଶାଖା, ଚିତ୍ରା, ସୁଲେଖା,ରଙ୍ଗ ଦେବୀ,ତୁଙ୍ଗ ବିଦ୍ୟା, ଚମ୍ପକ ଲତା, ଇନ୍ଦୁଲେଖା ନାମରେ ଅଷ୍ଟ ସଖୀ ଥିଲେ। ରାଧାଷ୍ଟମୀ ତିଥି ରେ ଶ୍ରୀ ରାଧାରାଣୀ ଙ୍କୁ ଭକ୍ତି ଓ ନିଷ୍ଠାର ସହିତ ପୂଜାର୍ଚ୍ଚନା କଲେ ପ୍ରଭୁ ଶ୍ରୀ କୃଷ୍ଣ ଙ୍କ ଆଶ୍ରିବାଦ ପ୍ରାପ୍ତ ହୋଇଥାଏ ବୋଲି ବିଭିନ୍ନ ପୁରାଣ ରେ ଉଲ୍ଲେଖ ରହିଛି। ରାଧାଷ୍ଟମୀ ଦିନ ଶ୍ରୀ ରାଧା ଙ୍କ ଜନ୍ମୋତ୍ସବ ଅବସରରେ ପୁରୀ ଶ୍ରୀ ମନ୍ଦିର ରେ ସ୍ଵତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ।
ସକାଳ ଧୂପ ଶେଷ ହେବା ପରେ ମହାଲକ୍ଷ୍ମୀ ଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଆଜ୍ଞାମାଳ ଲାଗି ହୋଇ ଥାଏ। ସାତ ପାହାଚ ନିକଟରେ ଥିବା ସୁସଜ୍ଜିତ ପାଲିଙ୍କି ରେ ଲକ୍ଷ୍ମୀ ଠାକୁରାଣୀ ଙ୍କୁ ବିଜେ କରାଯିବା ପରେ ଜଗମୋହନ ରେ ମା ଙ୍କ ମାଜଣା, ଶୀତଳ ଭୋଗ, ବନ୍ଦାପନା ନୀତି ଅନୁଷ୍ଠିତ ହୋଇଥାଏ। ମଧ୍ୟାହ୍ନ ଧୂପ ପରେ ମା ମହାଲକ୍ଷ୍ମୀ ଙ୍କୁ ସିଂହାସନ ଉପରେ ବିଜେ କରାଯାଏ। ପରେ ସେବାୟତ ମାନେ ମା ଲକ୍ଷ୍ମୀ ଓ ମା ସରସ୍ଵତୀ ଙ୍କୁ ଆଣି ଖଟ ଶେଯ ଘରେ ବିଜେ କରାଇ ଥାନ୍ତି। ମହାପ୍ରଭୁ ଙ୍କ ଆଜ୍ଞାମାଳ ପାଇ ଶ୍ରୀ ସୁଦର୍ଶନ ଘଣ୍ଟା ଧ୍ଵନୀ, ତୁହୁଡ଼ି , ଛତ୍ର ସହ ପଟୁଆର ରେ ଶ୍ରୀ କ୍ଷେତ୍ର ପରିଭ୍ରମଣ କରିଥାନ୍ତି।ଚାରି ଆଶ୍ରମ,ବିଭିନ୍ନ ମଠ,ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ମାନଙ୍କ ପକ୍ଷରୁ ଶ୍ରୀ ସୁଦର୍ଶନ ପ୍ରଭୁ ଙ୍କୁ ପଂକ୍ତି ଭୋଗ ଅର୍ପଣ କରା ଯାଇଥାଏ। ଶ୍ରୀ ସୁଦର୍ଶନ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପ୍ରତିନିଧି ଭାବେ ଯାଇ ଶ୍ରୀ ମନ୍ଦିର ଭଣ୍ଡାର ର ହିସାବ ରକ୍ଷକ ଦାୟୀତ୍ବ ରେ ଥିବା ପ୍ରଭୁ ଜମ୍ବେଶ୍ଵର ଙ୍କ ମନ୍ଦିର କୁ ଯାଇ ତାଙ୍କ ଠାରୁ ହିସାବ ପତ୍ର ବୁଝି ଶ୍ରୀ ମନ୍ଦିର କୁ ଫେରିଥାନ୍ତି। ତା ପରେ ଚାରିବାଡ ରେ ମହାସ୍ନାନ ବିଧି ସହ ଶ୍ରୀ ବିଗ୍ରହ ମାନଙ୍କ ବନ୍ଦାପନା ନୀତି ଅନୁଷ୍ଠିତ ହୋଇଥାଏ। ଶ୍ରୀ ମନ୍ଦିର ରେ ଶେଷ ହୋଇଥାଏ ରାଧାଷ୍ଟମୀ ଉତ୍ସବ। ଜୟ ଶ୍ରୀ ରାଧାରାଣୀ। ଜୟ ଜଗନ୍ନାଥ ସ୍ଵାମୀ ।।
ତୁଳସୀପୁର। ପୁରୀ
୯୪୩୯୩୬୧୮୮୮


