ଗଭୀର ଅବପାତ ଋପ ନେଲା ଲଘୁଚାପ: ୨୩ ଓ ୨୪ ତାରିଖରେ ଗଞ୍ଜାମ ଜିଲ୍ଲାକୁ ରେଡ୍ ୱାର୍ନିଂ
ଛତ୍ରପୁର,(ଓ୍ବାଇଏନଏସ): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ବର୍ତ୍ତମାନ ଗଭୀର ଅବପାତ ଋପ ନେଇ ବଙ୍ଗୋପସାଗର ଆଡ଼କୁ ଗତି କରିବା ନେଇ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ୱାର୍ନିଂ ଦିଆଯାଇଥିବା ବେଳେ ଥିବା ୨୩ ଏବଂ ୨୪ ତାରିଖ ଦିନ ରେଡ୍ ୱାର୍ନିଂ ଜାରି କରାଯାଇଛି। ଏହି ଗଭୀର ଅବପାତ ଦକ୍ଷୀଣ ଓଡ଼ିଶା – ଉତ୍ତର ଆନ୍ଧ୍ର ପ୍ରଦେଶ ପଥ ଦେଇ ଗତି କରିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଏହାକୁ ନେଇ ଗଞ୍ଜାମ ଜିଲ୍ଲାପାଳ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ପ୍ରସ୍ତୁତିକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ନେଇ ଜିଲ୍ଲାପାଳ ଭି. କିର୍ତ୍ତୀ ୱାସନ କହିଛନ୍ତି। ସମସ୍ତ ବିଭାଗକୁ ଜରୁରୀକାଳୀନ ପରିସ୍ଥିତି ସହ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସାଙ୍ଗକୁ ଘଣ୍ଟା ପ୍ରତି ୭୫ କିମି ବେଗ ପର୍ଯ୍ୟନ୍ତ ପବନ ବହିବାର ଆଶଙ୍କା ରହିଛି। ଏହା ପ୍ରଭାବରେ ଜାଗା ଜାଗାରେ ପାଣି ଜମା ହେବା, ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ରାସ୍ତା ଓ ଅନ୍ୟ ସମ୍ବେଦନଶୀଳ ସ୍ଥାନରେ ଗଛ ଓ ବିଦ୍ୟୁତ ଖୁଣ୍ଟ ପଡ଼ିବା ଆଶଙ୍କା ରହିଛି। ତଳିଆ ଅଞ୍ଚଳରେ ପାଣି ଜମା ହେବାର ମଧ୍ୟ ସମ୍ଭାବନା ରହିଛି। ବଜ୍ରାଘାତରେ ପୂର୍ବରୁ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଏହାକୁ ଏଡ଼ାଇବା ପାଇଁ ଏହି ଗଭୀର ଅବପାତ ସମୟରେ ଘର ବାହାରକୁ ନ ବାହାରିବା, ଖାସ୍ କରି ଚାଷୀଙ୍କୁ ବିଲରେ ଯେଉଁଠାରେ ବଜ୍ରପାତ ହେବାର ସମ୍ଭାବନା ଅଧିକ ଥିବାରୁ ଚାଷ କାମ ପାଇଁ ନଯିବାକୁ ଗଞ୍ଜାମ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଆବଶ୍ୟକ ପଡ଼ିଲେ ସମୁଦ୍ର ଓ ନଦୀ କୂଳ ଅଞ୍ଚଳବାସୀଙ୍କୁ ସ୍ଥାନାନ୍ତରିତ କରିବା ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ ଜରୁରୀକାଳୀନ ସେବା କଣ୍ଟ୍ରୋଲ ରୁମ୍ ଟେଲିଫୋନ ନମ୍ବର ପ୍ରଦାନ କରାଯାଇଛି। କୌଣସି ପ୍ରକାରର ସମସ୍ୟାରେ ନିକଟସ୍ଥ ବିଡିଓ ଏବଂ ତହସିଲଦାର ମାନଙ୍କ ସହ ଯୋଗାଯୋଗ କରିବା ପାଇଁ ମଧ୍ୟ ସେ କହିଛନ୍ତି। ସମ୍ବେଦନଶୀଳ ସ୍ଥାନ ଗୁଡ଼ିକୁ ଚିହ୍ନଟ କରିଯାଇ ସେଠାରେ ସ୍ଵତନ୍ତ୍ର ତଦାରଖ କରିବା ସହିତ ଓଡ୍ରାଫ ଟିମ୍, ପୋଲିସ ବିଭାଗ, ସ୍ୱାସ୍ଥ୍ୟ ସେବା, ବିଦ୍ୟୁତ ବିଭାଗ ସହ ସମସ୍ତ ବିଭାଗ ତତ୍ପର ଅଛନ୍ତି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପୂର୍ତ୍ତ ବିଭାଗ, ଜାତୀୟ ରାଜପଥ ଆଦି ବିଭାଗ ମାନଙ୍କୁ ଜନ୍ତ୍ରପାତି ସହ ପ୍ରସ୍ତୁତ ରହି ଖୁବ ଶୀଘ୍ର ରାସ୍ତାରେ ପଡିଥିବା ଗଛ କିମ୍ବା ବିଦ୍ୟୁତ୍ ଖୁଣ୍ଟକୁ ସଫା କରିବା ଯାଇପାରିବ ଏହାକୁ ନେଇ ତତ୍ପର ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦିଗପହଣ୍ଡି, ସାନଖେମୁଣ୍ଡି, ପାତ୍ରପୁର, ତୁମ୍ବା ଆଦି ତଳିଆ ଅଞ୍ଚଳରେ ପାଣି ଜମା ହେବାର ମଧ୍ୟ ସମ୍ଭାବନା ପୂର୍ବରୁ ଦେଖା ଯାଇଛି। ଏହା ପ୍ରତି ମଧ୍ୟ ପ୍ରଶାସନ ସଜାଗ ରହିଛି ବୋଲି ସେ କହିଛନ୍ତି। କଳିଙ୍ଗା ଘାଟିରେ ଭୂସ୍ଖଳନ ହେବାର ଆଶଙ୍କା ରହିଥିବା ବେଳେ କନ୍ଧମାଳ ଜିଲ୍ଲା ପ୍ରଶାସନ ସହ ସମନ୍ଵୟ ରଖିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଆବଶ୍ୟକ ପଡ଼ିଲେ ବର୍ଷାର ପୂର୍ବାନୁମାନକୁ ନେଇ ସ୍କୁଲ ଓ କଲେଜ ବନ୍ଦ କରିବା ଉପରେ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।


