ଗଞ୍ଜାମ ଜିଲ୍ଲାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ
ଛତ୍ରପୁର, (ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ଆଜି ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାର ସମସ୍ତ ମତଦାନ କେନ୍ଦ୍ର ଏବଂ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ କାର୍ଯ୍ୟାଳୟ ସ୍ତରରେ ଏହି ତାଲିକା ପ୍ରଦର୍ଶିତ କରାଯାଇଛି।
ଏହି ସମଗ୍ର ସଂଶୋଧନ ପ୍ରକ୍ରିୟାକୁ ସଫଳତାର ସହ ସମ୍ପନ୍ନ କରିବାରେ ବୁଥ୍ସ୍ତରୀୟ ଅଧିକାରୀ, ବୁଥ୍ସ୍ତରୀୟ ଏଜେଣ୍ଟ, ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ଓ ନିର୍ବାଚନ କର୍ମଚାରୀ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି। ଏଥିସହ ଜିଲ୍ଲାର ଭୋଟରମାନେ ମଧ୍ୟ ଏହି ପ୍ରକ୍ରିୟାରେ ସକ୍ରିୟ ସହଯୋଗ କରିଛନ୍ତି। ଗଣତନ୍ତ୍ରର ଏହି ମହତ୍ୱପୂର୍ଣ୍ଣ ପ୍ରକ୍ରିୟାରେ ସହଯୋଗ କରିଥିବା ସମସ୍ତ ଅଂଶୀଦାର ଏବଂ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କରେ ଜନସଚେତନତା ଓ ପ୍ରଚାର-ପ୍ରସାର କରିଥିବା ଗଣମାଧ୍ୟମର ସମସ୍ତ ପ୍ରତିନିଧିଙ୍କୁ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ସାଧୁବାଦ ଜଣାଇଛନ୍ତି।ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ପରେ ଗଞ୍ଜାମ ଜିଲ୍ଲାର ୧୩ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ ୨୮,୧୦,୯୫୧ ଜଣ ଭୋଟର ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଛନ୍ତି। ନିର୍ବାଚନମଣ୍ଡଳୀ ଅନୁଯାୟୀ ୧୨୩-ଭଞ୍ଜନଗରରେ ୨,୨୫,୫୧୦ ଜଣ, ୧୨୪-ପୋଲସରାରେ ୨,୩୫,୫୮୩ ଜଣ, ୧୨୫-କବିସୂର୍ଯ୍ୟନଗରରେ ୨,୨୩,୬୦୭ ଜଣ, ୧୨୬-ଖଲ୍ଲିକୋଟରେ ୨,୧୫,୮୮୫ ଜଣ, ୧୨୭-ଛତ୍ରପୁରରେ ୨,୨୩,୭୦୩ ଜଣ, ୧୨୮-ଆସିକାରେ ୧,୮୯,୩୦୧ ଜଣ, ୧୨୯-ସୋରଡ଼ାରେ ୨,୨୬,୪୧୭ ଜଣ, ୧୩୦-ସାନଖେମୁଣ୍ଡିରେ ୨,୧୧,୫୫୪ ଜଣ, ୧୩୧-ହିଞ୍ଜିଳିରେ ୨,୧୭,୨୫୮ ଜଣ, ୧୩୨-ଗୋପାଳପୁରରେ ୨,୧୨,୯୮୭ ଜଣ, ୧୩୩-ବ୍ରହ୍ମପୁରରେ ୨,୨୨,୭୩୪ ଜଣ, ୧୩୪-ଦିଗପହଣ୍ଡିରେ ୨,୦୭,୮୪୭ ଜଣ ଏବଂ ୧୩୫-ଚିକିଟିରେ ୧,୯୮,୫୬୫ ଜଣ ଭୋଟର ରହିଛନ୍ତି। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ଖସଡ଼ା ତାଲିକା ପ୍ରକାଶ ପୂର୍ବରୁ ଜିଲ୍ଲାର ୧୩ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ ୨୯,୯୯,୭୮୨ ଜଣ ଭୋଟର ଥିଲେ। ଚୂଡ଼ାନ୍ତ ତାଲିକାରେ ମୋଟ ୧,୮୮,୮୩୧ ଜଣଙ୍କ ନାମ ବାଦ ପଡ଼ିଛି ବୋଲି ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଚୂଡ଼ାନ୍ତ ତାଲିକା ପ୍ରକାଶ ପୂର୍ବରୁ ଭଞ୍ଜନଗରରେ ୨,୩୭,୮୯୩ ଜଣ, ପୋଲସରାରେ ୨,୪୭,୧୬୧ ଜଣ, କବିସୂର୍ଯ୍ୟନଗରରେ ୨,୩୮,୬୨୨ ଜଣ, ଖଲ୍ଲିକୋଟରେ ୨,୩୧,୨୧୯ ଜଣ, ଛତ୍ରପୁରରେ ୨,୩୫,୭୭୫ ଜଣ, ଆସିକାରେ ୨,୦୦,୫୬୧ ଜଣ, ସୋରଡ଼ାରେ ୨,୩୪,୫୩୦ ଜଣ, ସାନଖେମୁଣ୍ଡିରେ ୨,୩୫,୪୧୫ ଜଣ, ହିଞ୍ଜିଳିରେ ୨,୩୩,୭୩୨ ଜଣ, ଗୋପାଳପୁରରେ ୨,୨୯,୪୬୦ ଜଣ, ବ୍ରହ୍ମପୁରରେ ୨,୩୨,୧୪୨ ଜଣ, ଦିଗପହଣ୍ଡିରେ ୨,୨୪,୯୯୦ ଜଣ ଏବଂ ଚିକିଟିରେ ୨,୧୮,୨୮୨ ଜଣ ଭୋଟର ଥିଲେ। ଏହି ସଂଶୋଧନ ପ୍ରକ୍ରିୟାରେ ଯୁବ ଭୋଟରଙ୍କ ପଞ୍ଜୀକରଣକୁ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି। ଚୂଡ଼ାନ୍ତ ତାଲିକାରେ ୧୮ରୁ ୧୯ ବର୍ଷ ବୟସ ବର୍ଗର ୧୯,୮୪୯ ଜଣ ଯୁବ ଭୋଟର ପଞ୍ଜୀକୃତ ହୋଇଛନ୍ତି। ଏହି ବୟସ ବର୍ଗରେ ଛତ୍ରପୁରରେ ସର୍ବାଧିକ ୨,୨୧୫ ଜଣ, ସୋରଡ଼ାରେ ୧,୮୯୯ ଜଣ ଏବଂ ପୋଲସରାରେ ୧,୮୫୩ ଜଣ ଯୁବ ଭୋଟର ରହିଛନ୍ତି। ସେହିପରି, ୨୦୨୫-୨୬ ବର୍ଷ ପାଇଁ ମତଦାନ କେନ୍ଦ୍ରଗୁଡ଼ିକର ପୁନଃବିନ୍ୟାସ କରାଯାଇଛି। ପୂର୍ବରୁ ଜିଲ୍ଲାରେ ୩,୧୨୪ଟି ମତଦାନ କେନ୍ଦ୍ର ଥିବାବେଳେ ଭୋଟରମାନଙ୍କ ସୁବିଧା ଏବଂ ମତଦାନ ପ୍ରକ୍ରିୟାକୁ ଅଧିକ ସୁଗମ କରିବା ଉଦ୍ଦେଶ୍ୟରେ ୮୫୧ଟି ଅତିରିକ୍ତ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ଫଳରେ ପୁନଃବିନ୍ୟାସ ପରେ ଜିଲ୍ଲାର ମୋଟ ମତଦାନ କେନ୍ଦ୍ର ସଂଖ୍ୟା ୩,୯୭୫କୁ ବୃଦ୍ଧି ପାଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା, ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ସମୀର କୁମାର ଜେନା, ଡେପୁଟି କଲେକ୍ଟର (ନିର୍ବାଚନ) ଡଃ ଅରୁଣ କୁମାର ଖଣ୍ଡା ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


