ପିଇଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ନଗଦ ୨ ଲକ୍ଷ ଟଙ୍କା ସହ ସୁନାଗହଣା ଜବତ
କଟକ,(ଓ୍ବାଇଏନଏସ): ପଦ୍ମପୁର ଉପଖଣ୍ଡ ଗାଇସିଲେଟ୍ ବ୍ଲକର କଟାବାହାଲ ପଞ୍ଚାୟତର ପଞ୍ଚାୟତ ଏକ୍ସଟେନସନ୍ ଅଫିସର (ପିଇଓ) କାର୍ତ୍ତିକେଶ୍ୱର ବେହେରାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି । ସମ୍ବଲପୁର ଡିଭିଜନ୍ ଭିଜିଲାନ୍ସ ଟିମ୍ ପକ୍ଷରୁ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, କାର୍ତ୍ତିକେଶ୍ୱର ବେହେରାଙ୍କ ସହ ସମ୍ପର୍କିତ କଟାବାହାଲ ପଞ୍ଚାୟତ କାର୍ଯ୍ୟାଳୟ ଓ ଗାଇସିଲେଟ୍ ବ୍ଲକ କାର୍ଯ୍ୟାଳୟରେ ମଧ୍ୟ ଭିଜିଲାନ୍ସ ଟିମ୍ ପକ୍ଷରୁ ଯାଞ୍ଚ କରାଯାଇଛି । ଚଢ଼ାଉ ସମୟରେ ନଗଦ ପ୍ରାୟ ୨ ଲକ୍ଷ ଟଙ୍କା, ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନାଗହଣା, ବିଭିନ୍ନ ବ୍ୟାଙ୍କର ଏଟିଏମ୍ କାର୍ଡ, ଚେକ୍ ବୁକ୍ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ଜଣାପଡ଼ିଛି । ଏହି ଚଢ଼ାଉରେ କାର୍ତ୍ତିକେଶ୍ବର ବେହେରାଙ୍କ ପୈତୃକ ଘର ସମେତ ୬ଟି ସ୍ଥାନରେ ରେଡ୍ ଚାଲିଛି। କାର୍ତ୍ତିକେଶ୍ବରଙ୍କ ଏ ଯାଏ ୩୦ ଟି ପ୍ଲଟ ଠାବ ହୋଇଛି। ଗାଏସିଲେଟରେ ଦ୍ୱିମହଲା କୋଠା ସହ ଏକ ନିର୍ମାଣାଧୀନ ୪ ମହଲା କୋଠା, କନ୍ଦାଗଡ଼ାରେ ଏକ ମାର୍କେଟ କମ୍ପେ୍ଲକ୍ସ, ଗୋଦାମ ଘର ମଧ୍ୟ ଭିଜିଲାନ୍ସ ଠାବ କରିଛି। ଗାଏସିଲେଟ ଓ କନ୍ଦାଗଡ଼ାରେ ୩୦ଟି ପ୍ଲଟ ଠାବ ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। ତାଙ୍କ ଘରୁ ମିଳିଲା ୨ ଲକ୍ଷ ୯୮ ହଜାର ଟଙ୍କା। ମୋଟ ସମ୍ପତ୍ତିର ମୂଲ୍ୟାୟନ ଜାରି ରହିଛି। ଭିଜିଲାନ୍ସ ଟିମ୍ ବିଭିନ୍ନ ଦସ୍ତାବିଜ ଓ ସମ୍ପତ୍ତି ସମ୍ପର୍କିତ କାଗଜପତ୍ର ଯାଞ୍ଚ କରୁଥିବା ବେଳେ ଚଢ଼ାଉର କାରଣ ଓ ଜବତ ସାମଗ୍ରୀ ସମ୍ପର୍କରେ ବିଭାଗ ପକ୍ଷରୁ ଅଧିକ ତଥ୍ୟ ଅପେକ୍ଷା କରାଯାଉଛି। ଏହି ଚଢ଼ାଉରେ ଜବତ ହୋଇଥିବା ସମ୍ପତ୍ତି ଓ ଦସ୍ତାବିଜର ଉତ୍ସ ନେଇ ମଧ୍ୟ ତଦନ୍ତ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ଟିମ୍ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି । ତଦନ୍ତ ପରେ ଚଢ଼ାଉର ପୂର୍ଣ୍ଣ କାରଣ, ଜବତ ସମ୍ପତ୍ତିର ମୂଲ୍ୟ ଏବଂ ମାମଲା ସମ୍ପର୍କିତ ଅଧିକ ତଥ୍ୟ ସ୍ପଷ୍ଟ ହେବ ।


