ଅଭିଯୁକ୍ତଙ୍କୁ ବାରମ୍ବାର ଥାନାରୁ ଜାମିନ ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ଏସପିଙ୍କୁ ଦାବି
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ, ପାଟକୁରା ଓ ଜମ୍ବୁ ସାମୁଦ୍ରିକ ଥାନା ଅଞ୍ଚଳରେ ଦଳିତ ସୂଚନା ଅଧିକାର କର୍ମୀଙ୍କୁ ଘରେ ପସି ଆକ୍ରମଣ କରିବା ଘଟଣାର ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଅଭିଯୁକ୍ତମାନଙ୍କୁ ବାରମ୍ବାର ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ିଦେଉଛି। ଫଳରେ ଅପରାଧୀ ମାନେ ଅଧିକ ଉତ୍ସାହିତ ହୋଇ ଆକ୍ରମଣ କରୁଥିବା ନେଇ ଏସପି ସିଦ୍ଧାର୍ଥ କଟ୍ଟାରିଆଙ୍କ ନିକଟରେ ଅଭିଯୋଗ ହୋଇଛି। ଆଜି ରାଜ୍ୟ ସୂଚନା ଅଧିକାର ଅଭିଯାନ(ଓସା )ର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ ଓ କେନ୍ଦ୍ରାପଡ଼ା ଜିଲ୍ଲା ଆବାହକ ପ୍ରତାପ ଚନ୍ଦ୍ର ମହାନ୍ତିଙ୍କ ସମେତ ସୂଚନା ଅଧିକାର କର୍ମୀ ତଥା ପାଟକୁରା ଥାନାର ପୀଡିତ ରମାକାନ୍ତ ମାହାଳି, ମାର୍ଶାଘାଇ ଥାନାର ପୀଡିତ ଜନକର ଜେନା, ମାନସ ଆଚାର୍ଯ୍ୟ ଓ ଜମ୍ବୁ ସାମୁଦ୍ରିକ ଥାନାର ପୀଡିତ ଅମିତାଭ ଚାନ୍ଦଙ୍କ ସମେତ ସୂଚନା ଅଧିକାର କର୍ମୀ ପ୍ରବେଶ ମହାପାତ୍ର, ଆଳୟ ସାମନ୍ତରାୟ, ସୁମନ୍ତ ସେଠୀ ପ୍ରମୁଖ ଏସପି ଶ୍ରୀ କଟ୍ଟାରିଆଙ୍କୁ ତାଙ୍କ ଜଜାଙ୍ଗସ୍ଥିତ କାର୍ଯ୍ୟାଳୟରେ ଭେଟି ଏଭଳି ଅଭିଯୋଗ କରିଥିଲେ। କିଭଳି ଭାବେ ଜଣେ ଅଭିଯୁକ୍ତକୁ ବାରମ୍ବାର ଥାନାରୁ ଜାମିନ ଦିଆଯାଉଛି ଏବଂ ସେ ଉତ୍ସାହିତ ହୋଇ ଅଧିକ ଆକ୍ରମଣ କରୁଛି ତାହାର ତଦନ୍ତ କରାଯିବ ବୋଲି ଏସପି ଶ୍ରୀ କଟ୍ଟାରିଆ ସେମାନଙ୍କୁ ପ୍ରତିଶୃତି ଦେଇଥିବା ଜଣାପଡିଛି।


