ତହସିଲରେ ୱାରସ ସଂଶୋଧନ ପଟ୍ଟାର ସାମୂହିକ ବିତରଣ
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ତହସିଲ ଅଧିନରେ ୱାରସ ସଂଶୋଧନ (କଲମ-୨) ସମ୍ବନ୍ଧୀୟ ପଟ୍ଟାର ସାମୂହିକ ବିତରଣ କାର୍ଯ୍ୟକ୍ରମ ଆଜି କେନ୍ଦ୍ରାପଡ଼ା ତହସିଲ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟର ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀମାନଙ୍କୁ ପଟ୍ଟା ବଣ୍ଟନ କରିଥିଲେ। ୱାରସ ସଂଶୋଧନ ପ୍ରକ୍ରିୟା ମାଧ୍ୟମରେ ଜମିଜମା ସମ୍ବନ୍ଧୀୟ ଅଧିକାରକୁ ସୁନିଶ୍ଚିତ କରିବା ସହ ହିତାଧିକାରୀମାନଙ୍କୁ ସରକାରୀ ରେକର୍ଡରେ ସଠିକ୍ ଭାବେ ଅନ୍ତର୍ଭୁକ୍ତ କରିବା ଦିଗରେ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଉଥିବା ଜିଲ୍ଲାପାଳ ପ୍ରକାଶ କରିଥିଲେ। ଆଜିର କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ତହସିଲ ଅଧିନରେ ପ୍ରାୟ ୩ ହଜାରରୁ ଅଧିକ ପଟ୍ଟା ହିତାଧିକାରୀମାନଙ୍କୁ ବଣ୍ଟନ କରାଯାଇଛି। ଏହା ଫଳରେ ଦୀର୍ଘଦିନ ଧରି ୱାରସ ସଂଶୋଧନ ଓ ଜମି ରେକର୍ଡ ସମ୍ବନ୍ଧୀୟ ପ୍ରକ୍ରିୟାରେ ଥିବା ହିତାଧିକାରୀମାନେ ନିଜ ଅଧିକାରର ସ୍ୱୀକୃତି ପାଇପାରିଛନ୍ତି। ଜିଲ୍ଲାପାଳ ହିତାଧିକାରୀମାନଙ୍କ ସହ ଆଲୋଚନା କରି ପଟ୍ଟା ପାଇବା ପରେ ଜମି ସମ୍ବନ୍ଧୀୟ ରେକର୍ଡ, ଅଧିକାର ଓ ଅନ୍ୟାନ୍ୟ ଆବଶ୍ୟକୀୟ ଦସ୍ତାବିଜ ସୁରକ୍ଷିତ ରଖିବା ସହିତ ଆବଶ୍ୟକ ସରକାରୀ ସେବା ପାଇଁ ରାଜସ୍ୱ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ତହସିଲଦାର କୁଇନି ଜେନା, ଅତିରିକ୍ତ ତହସିଲଦାରଙ୍କ ସମେତ ତହସିଲ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ। ପଟ୍ଟା ବଣ୍ଟନ ପ୍ରକ୍ରିୟାକୁ ସୁଚାରୁ ଓ ସ୍ୱଚ୍ଛ ଭାବେ ସମ୍ପନ୍ନ କରିବା ପାଇଁ ତହସିଲ ପ୍ରଶାସନ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଥିଲା। ବହୁ ସଂଖ୍ୟକ ହିତାଧିକାରୀ ଏହି ସାମୂହିକ ପଟ୍ଟା ବିତରଣ କାର୍ଯ୍ୟକ୍ରମରୁ ଉପକୃତ ହୋଇଥିଲେ। ଜମିଜମା ସମ୍ବନ୍ଧୀୟ ରେକର୍ଡର ସଠିକ୍ ସଂଶୋଧନ ଓ ହିତାଧିକାରୀଙ୍କ ଅଧିକାର ସୁନିଶ୍ଚିତ କରିବା ଦିଗରେ ଏଭଳି ପଦକ୍ଷେପ ଜାରି ରହିବ ବୋଲି ତହସିଲ ପକ୍ଷରୁ କୁହାଯାଇଛି।


