ଚୌଦ୍ୱାର ଜେଲ୍ ଅଧୀକ୍ଷକ ସୁଜିତଙ୍କୁ ଖସାଇବାକୁ ଉଦ୍ୟମ!
କଟକ, (ଓ୍ବାଇଏନଏସ): କଟକ ‘ଚୌଦ୍ୱାର ଜେଲ୍ର ଅଧୀକ୍ଷକ ସୁଜିତ ରାଉଳଙ୍କ ନାଁରେ ଯେଉଁ ମାମଲା କରିଛ ତାହାକୁ ପ୍ରତ୍ୟାହାର କରିନିଅ । ତୁମ ଉପରେ ଯେଉଁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଛି ତାହା ଉଠାଇ ନିଆଯିବ । ତୁମେ ପୁଣି ଚୌଦ୍ୱାର ମଣ୍ଡଳ କାରଗାରରେ ଜେଲର୍ ଭାବେ ଚାକିରି ଫେରି ପାଇବ’ । – ଚୌଦ୍ୱାର ସର୍କଲ୍ ଜେଲ୍ର ପୂର୍ବତନ ଜେଲର୍ ସନ୍ତୋଷିନୀ ଦାଶଙ୍କୁ ଏହି ମର୍ମରେ ବୁଝାଯିବା ସହ ଏଭଳି ଢଙ୍ଗରେ ତାଙ୍କ ଉପରେ ଚାପ ପକାଯାଉଛି, ପ୍ରଲୋଭିତ କରାଯାଉଛି । ଖୋଦ୍ ଜେଲ୍ ବିଭାଗର ବରିଷ୍ଠ ଅଧିକାରୀମାନେ ଏଭଳି ଚାପ ପକାଉଛନ୍ତି ବୋଲି ଶ୍ରୀମତୀ ଦାଶ ଥାନାରେ ସିଧାସଳଖ ଅଭିଯୋଗ କରିବା ପରେ ସବୁ ମହଲରେ ଆଲୋଡ଼ନ ଖେଳିଯାଇଛି । ଶ୍ରୀମତୀ ଦାଶଙ୍କ ଅଭିଯୋଗକ୍ରମେ ଗୋଟିଏ ମାମଲାର ତଦନ୍ତ ଚାଲିଥିବା ବେଳେ, ସେ ମାମଲାକୁ ପ୍ରଭାବିତ କରିବା ପାଇଁ ଏଭଳି ଚାପ ପଡ଼ୁଥିବା ଦର୍ଶାଇ ସନ୍ତୋଷିନୀ ଚୌଦ୍ୱାର ଥାନାରେ ସାନି ଅଭିଯୋଗ କରିବା ପୁଲିସ ଓ ଜେଲ୍ ପ୍ରଶାସନକୁ ଅକଳରେ ପକାଇ ଦେଇଛି । ଯେଉଁ ଜାଲିଆତି ମାମଲାରେ ରବିବାର ଜେଲ୍ ଅଧୀକ୍ଷକ ସୁଜିତ ରାଉଳ ଗିରଫ ହୋଇଛନ୍ତି, ସେହି ୩୫/୨୦୨୬ ମାମଲାକୁ ପ୍ରତ୍ୟାହାର କରିନେବା ପାଇଁ ତାଙ୍କ ଉପରେ ଚାପ ପଡ଼ୁଥିବା ମାମଲାର ଅଭିଯୋଗକାରିଣୀ ସନ୍ତୋଷିନୀ ଗତକାଲି (ସେପ୍ଟେମ୍ବର ୨୦ ତାରିଖ) ରାତି ପ୍ରାୟ ୧୧ଟା ୧୫ରେ ଥାନାରେ ଏହି ଏତଲା ଦେଇଛନ୍ତି । ଅର୍ଥାତ୍ ସୁଜିତ ରାଉଳ ଭୁବନେଶ୍ୱରରୁ ଗିରଫ ହେବାର ପ୍ରାୟ ପ୍ରାୟ ୪ ଘଣ୍ଟା ପରେ ଏହି ଏତଲା ଦିଆଯାଇଛି । ତେବେ ଏହି ଏତଲାକୁ ଚୌଦ୍ୱାର ଥାନା ପୁଲିସ ଗ୍ରହଣ କରି କେବଳ ଷ୍ଟେସନ୍ ଡାଏରୀ କରିଛି । ଏଯାବତ ମାମଲା ରୁଜୁ ହୋଇନି । ସନ୍ତୋଷିନୀ ଆହୁରି ଅଭିଯୋଗ କରିଛନ୍ତି ଯେ, ମୋତେ ଭୟଭୀତ କରାଯିବା ସହ ଆପତ୍ତିଜନକ ମେସେଜ୍ ଦିଆଯାଉଛି । ବିଭାଗୀୟ ଅଧିକାରୀଙ୍କ ମାଧ୍ୟମରେ ସୁଜିତଙ୍କ ବିରୋଧରେ ଥିବା ଅଭିଯୋଗ ପ୍ରତ୍ୟାହାର କରିବାକୁ ଚାପ ପକାଯାଉଛି । ମୁଁ ଏହି ଚାପ ସତ୍ତେ୍ୱ କୌଣସି ପ୍ରକାର ସାଲିସ କରିବାକୁ ରାଜି ନାହିଁ । ବରଂ ପୁଲିସର ତଦନ୍ତରେ ସହଯୋଗ କରିବାକୁ ମୁଁ ସବୁବେଳେ ପ୍ରସ୍ତୁତ । ଏମିତିକି ମୋ ପାଖରେ ରହିଥିବା ସମସ୍ତ ଦସ୍ତାବିଜ ପୁଲିସକୁ ପ୍ରଦାନ କରିବାକୁ ରାଜି ଥିବା ସନ୍ତୋଷିନୀ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି । ଏତଲା ନେଇ ଚୌଦ୍ୱାର ଥାନା ପୁଲିସର ପ୍ରତିକ୍ରିୟା ମିଳିପାରିନି ।ଅନ୍ୟପଟେ ଗତକାଲି ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ସୁଜିତଙ୍କ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ଚୌଦ୍ୱାର ଜେଲ୍କୁ ପଠାଯାଇଥିଲା । ସ୍ଥାନୀୟ ଥାନା ପୁଲିସ ଗଣମାଧ୍ୟମଠାରୁ ତାଙ୍କୁ ଦୂରେଇ ରଖିବା ପାଇଁ ଦୀର୍ଘ ସମୟ ଉଦ୍ୟମ କରି ରାତି ପ୍ରାୟ ୩ଟା ବେଳେ ସୁଜିତଙ୍କୁ ଧରି ଜେଲ୍ରେ ପହଞ୍ଚିଥିଲା । ସେଠାରେ ସୁଜିତଙ୍କଠାରୁ ଗଣମାଧ୍ୟମ ପ୍ରତିନିଧି ପ୍ରତିକ୍ରିୟା ନେବାକୁ ଚାହିଁଥିଲେ, ମାତ୍ର ସେ କିଛି କହିନଥିଲେ । ଜେଲ୍ର ମୁଖ୍ୟ ଗେଟ୍ ପାଖକୁ ଗଣମାଧ୍ୟମକୁ ବାରଣ କରାଯାଇଥିବା ବେଳେ ତାଙ୍କ ପରିବାର ଲୋକ ଥିବା ୨ଟି ଗାଡ଼ିକୁ କିନ୍ତୁ ଯିବାକୁ ଅନୁମତି ମିଳିଥିଲା। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ସୁଜିତଙ୍କୁ ଏବେ ଚୌଦ୍ୱାର ଜେଲ୍ର ମେଡିକାଲ୍ ୱାର୍ଡରେ ରଖାଯାଇଛି । ସାଧାରଣ ବିଚାରାଧୀନ ବନ୍ଦୀ ଭାବେ ତାଙ୍କୁ ଜେଲ୍ରେ ରଖାଯାଇଛି । ସାଧାରଣ ବନ୍ଦୀଙ୍କ ଖାଦ୍ୟପେୟ ମଧ୍ୟ ଦିଆଯାଉଥିବା ଜେଲ୍ ସୂତ୍ରରୁ ଜଣାପଡ଼ିଛି । ଆଜି ଦିନରେ ତାଙ୍କୁ ଜେଲ୍ ଖାଦ୍ୟ ଦିଆଯାଇଥିବା ସୂଚନା ମିଳିଛି । ଏହି କ୍ରମରେ ସୋମବାର ହଠାତ୍ ଆଉ ଏକ ବିସ୍ମୟକର କଥା ଦେଖିବାକୁ ମିଳିଛି । ଦୀର୍ଘ ଦିନ ହେବ ଚୌଦ୍ୱାର ଜେଲ୍ ଆସୁନଥିବା ଜେଲ୍ ଡିଜି ସୁଶାନ୍ତ ନାଥ ଆଜି ଅପରାହ୍ନରେ ଜେଲ୍ରେ ଆସି ପହଞ୍ଚିଥିଲେ । ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ସେ ଜେଲ୍ ଭିତରେ ରହି ଫେରିଥିିଲେ । ଏହି ସମୟରେ କିଛି ଗଣମାଧ୍ୟମ ପ୍ରତିନିଧି ତାଙ୍କଠାରୁ ପ୍ରତିକ୍ରିୟା ନେବାକୁ ଚାହୁଁଥିଲେ ମଧ୍ୟ ସେ କାହାକୁ କିଛି ନକହି ଚାଲିଯାଇଥିଲେ । ତେବେ ଆଜି ହଠାତ୍ କାହିଁକି ସେ ଜେଲ୍ ଆସିଥିଲେ ତାହା ସ୍ପଷ୍ଟ ହୋଇନି । ଇତିମଧ୍ୟରେ ଅଧୀକ୍ଷକ ସୁଜିତ ରାଉଳ ଗିରଫ ହେବାର ୨୪ ଘଣ୍ଟାରୁ ଅଧିକ ସମୟ ବିତିଥିଲେ ବି ତାଙ୍କ ଉପରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇନି । ଏମିତିକି ସୁଜିତଙ୍କୁ ଅଧୀକ୍ଷକ ପଦରୁ ମଧ୍ୟ ହଟାଯାଇନି । ଯାହାକୁ ନେଇ ନାନା ପ୍ରଶ୍ନ ଉଠିଲାଣି । ପୂରା ଘଟଣା ଜେଲ୍ ପ୍ରଶାସନକୁ ବଡ଼ ଅଡୁଆରେ ପକାଇଲାଣି ।


