ୟୁପିଆଇ କାରବାରରୁ ପ୍ରସ୍ତାବିତ ଶୁଳ୍କ ପ୍ରତ୍ୟାହାର ଦାବୀ
ଆସିକା (ୱାଇଏନ୍ଏସ୍) : ଆସନ୍ତା ଅକ୍ଟୋବର ମାସ ୧୫ ତାରିଖରୁ ୟୁପିଆଇ ପେମେଣ୍ଟରେ ପରିବର୍ତ୍ତନ ହେବାକୁ ଯାଉଛି । ୟୁପିଆଇ ମାଧ୍ୟମରେ ୨ ହଜାର ଟଙ୍କାରୁ ଅଧିକ କାରବାର ଉପରେ ପ୍ରସ୍ତାବିତ ୦.୪ ପ୍ରତିଶତ ଏମ୍ଡିଆର୍ ଶୁଳ୍କ (ବ୍ୟବସାୟୀ ରିହାତି ଦର ବା ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍) ନିଷ୍ପତିକୁ ପ୍ରତ୍ୟାହାର ଦାବୀରେ ଆସିକା ବଣିକ ସଂଘର ଉପଦେଷ୍ଟା ଇ.ଅରୁଣ କୁମାର ପାତ୍ର, ସଭାପତି ୟୁ.ସଂଜୟ କୁମାର ପାତ୍ର, ଉପସଭାପତି ମନୋଜ କୁମାର ମୁନି, ସଂପାଦକ କେ.ସତ୍ୟନାରାୟଣ ପାତ୍ର, ସହସଂପାଦକ ପି.ରାଜା ପାତ୍ର, ପୂର୍ବତନ ସଭାପତି ଅରୁଣ କୁମାର ଗୁପ୍ତା, ସକ୍ରିୟ ସଦସ୍ୟ ଶଙ୍କର ମୁନି, ଗୋଲକ ପ୍ରଧାନ, ଶତ୍ରୁଘ୍ନ ନାହାକ, ଇ.ଜିତେନ୍ଦ୍ର ପାତ୍ରଙ୍କ ସମେତ ବହୁ ସଦସ୍ୟ ଆସିକା ତହସିଲଦାର ସଙ୍ଗୀତା ସେଣଙ୍କ ଜରିଆରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିବା ଜଣାପଡିଛି । ୟୁପିଆଇ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀଙ୍କ ପାଇଁ ସହଜ ଓ ସରଳ ଉପାୟରେ ଡିଜିଟାଲ୍ ପେମେଣ୍ଟ ଭାବେ ଅଧିକ ଗ୍ରହଣୀୟ ହେବାରେ ଲାଗିଛି । ଏଥିରେ ବ୍ୟବସାୟୀ ରିହାତି ଦର ବା ଏମ୍ଡିଆର୍ ଲାଗୁ ହେଲେ ବ୍ୟବସାୟୀଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡିବା ସହ ଡିଜିଟାଲ୍ କାରବାର ବିଶେଷ ଭାବେ ପ୍ରଭାପିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ୟୁପିଆଇ ବ୍ୟବସାୟୀଙ୍କ କ୍ଷେତ୍ରରେ ଦୈନନ୍ଦିନ କାରବାରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି । ଛୋଟ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ଖୁଚୁରା ବିକ୍ରେତା ଓ ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ଏବଂ ଗ୍ରାହକମାନେ ପ୍ରାୟତଃ ୟୁପିଆଇ ବ୍ୟବହାର କରୁଛନ୍ତି । କାରଣ ଏହା ସରଳ ଏବଂ ଦ୍ରୁତ ଓ ସୁବିଧାଜନକ ଅଟେ । ପ୍ରତିଦିନ ଶହ ଶହ ଡିଜିଟାଲ୍ ପେମେଣ୍ଟ ଗ୍ରହଣ କରୁଥିବା ବ୍ୟବସାୟୀମାନଙ୍କ ପାଇଁ ପ୍ରସ୍ତାବିତ ଏମ୍ଡିଆର୍ ଶୁଳ୍କ ଏକ ବୋଝ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଯଦି ଏମ୍ଡିଆର୍ ଶୁଳ୍କ ଉପରେ ଜିଏସ୍ଟି ମଧ୍ୟ ଲାଗୁ ହୁଏ ତେବେ ମୋଟ ଖର୍ଚ୍ଚ ଆହୁରି ବଢିଯିବ । ସୀମିତ ଲାଭାଂଶରେ କାରବାର କରୁଥିବା କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ପ୍ରସ୍ତାବିତ ଏମ୍ଡିଆର୍ ଶୁଳ୍କ ଏକ ଅତିରିକ୍ତ ଆର୍ଥିକ ବୋଝ ହେବ । ୟୁପିଆଇ ପେମେଣ୍ଟ ପାଇଁ ବ୍ୟବସାୟୀଙ୍କ ଉପରେ ୨ ହଜାର ଟଙ୍କାରୁ ଅଧିକ କାରବାର କ୍ଷେତ୍ରରେ ପ୍ରସ୍ତାବିତ ୦.୪ ପ୍ରତିଶତ ଶୁଳ୍କ ଦ୍ୱାରା ବହୁ ବ୍ୟବସାୟୀ ଓ ଗ୍ରାହକଙ୍କୁ ଆଗାମୀ ଦିନରେ ପୁନର୍ବାର ନଗଦ ବ୍ୟବହାର କରିବାକୁ ଉତ୍ସାହିତ ହେବା ସମ୍ଭାବନାକୁ ମଧ୍ୟ ଏଡାଇ ହେଉନାହିଁ । ତେଣୁ ୨ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ୟୁପିଆଇ କାରବାର ଉପରେ ପ୍ରସ୍ତାବିତ ୦.୪ ପ୍ରତିଶତ ଏମ୍ଡିଆର୍ ଶୁଳ୍କକୁ ପ୍ରତ୍ୟାହାର ପାଇଁ ଅନୁରୋଧ କରାଯାଇଛି । ଡିଜିଟାଲ୍ ଇଣ୍ଡିଆ ଏବଂ କ୍ୟାସ୍ଲେସ୍ ଅର୍ଥନୀତିକୁ ସଫଳ କରିବାରେ ବ୍ୟବସାୟୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିଶେଷକରି ଛୋଟ ବ୍ୟବସାୟୀମାନେ ମଧ୍ୟ ଗ୍ରାହକଙ୍କୁ ଡିଜିଟାଲ୍ ପେମେଣ୍ଟ ବା ୟୁପିଆଇ ମାଧ୍ୟମରେ କାରବାର କରିବାକୁ ପ୍ରୋତ୍ସାହିତ କରୁଛନ୍ତି । ୟୁପିଆଇ ମାଧ୍ୟମରେ ପ୍ରତିଦିନ ବହୁ ସଂଖ୍ୟାର ଆର୍ଥିକ କାରବାର ହେଉଛି । ଏଭଳି ସ୍ଥିତିରେ ୟୁପିଆଇ କାରବାର ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରାଗଲେ ଛୋଟ ଓ ମଧ୍ୟମ ବ୍ୟବସାୟୀମାନେ ବିଶେଷ ଭାବେ ପ୍ରଭାବିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ବ୍ୟବସାୟୀଙ୍କ ଉପରେ ଅତିରିକ୍ତ ବୋଝ ନ ପକାଇବା ସହ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥାକୁ ଅଧିକ ସହଜ ଓ ସୁଲଭ ଏବଂ ସରଳ ରଖିବା ପାଇଁ ୟୁପିଆଇ କାରବାର ଉପରେ ଶୁଳ୍କ ନ ଲଗାଇବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେବାକୁ ଆସିକା ବଣିକ ସଂଘର ଉପଦେଷ୍ଟା ଇ.ଅରୁଣ କୁମାର ପାତ୍ର, ପୂର୍ବତନ ସଭାପତି ଅରୁଣ କୁମାର ଗୁପ୍ତା, ସଭାପତି ୟୁ.ସଂଜୟ କୁମାର ପାତ୍ର, ଉପସଭାପତି ମନୋଜ କୁମାର ମୁନି, ସଂପାଦକ କେ.ସତ୍ୟନାରାୟଣ ପାତ୍ର, ସହସଂପାଦକ ପି.ରାଜା ପାତ୍ର, ସକ୍ରିୟ ସଦସ୍ୟ ଶଙ୍କର ମୁନି, ଗୋଲକ ପ୍ରଧାନ, ଶତ୍ରୁଘ୍ନ ନାହାକ, ଇ.ଜିତେନ୍ଦ୍ର କୁମାର ପାତ୍ର, ଅଜିତ୍ କୁମାର ଦାଶ, ଡି.ଦ୍ୱାରିକାନାଥ ପାତ୍ର, ଏସ୍.ଅନିଲ୍ କୁମାର ପୃଷ୍ଟି, ପି.ଜିତେଶ୍ କୁମାର ପାତ୍ର, ଉପେନ୍ଦ୍ର ରେଡି, ପି.ପ୍ରଭାକର ପାତ୍ର, ପି.ସୁଧାକର ପାତ୍ର, ପି.ଶିବପ୍ରସାଦ ରାଓ, ଟି.ସଂଜୀବ ପାତ୍ର, କୃଷ୍ଣଚନ୍ଦ୍ର ନାୟକ, ଟୁନା ପାତ୍ର, ମୁନା ପାତ୍ର, କେ.ଧୀରେଶ୍ କୁମାର ପାତ୍ର, ଭାସ୍କର ଆଚାରୀ, ହୁସେନ୍ ସରିଫ୍ଙ୍କ ସମେତ ବହୁ ସଦସ୍ୟ ଅନୁରୋଧ କରିଛନ୍ତି ।


