ଆସିକାରେ କାଗଜକପ୍‍ର ବହୁଳ ବ୍ୟବହାର! ସ୍ୱାସ୍ଥ୍ୟ ସୁରକ୍ଷା ନେଇ ପ୍ରଶ୍ନବାଚୀ?

ଆସିକା (ୱାଇଏନ୍‍ଏସ୍‍) : ସମାଜରେ ବସବାସ କରୁଥିବା ଅଧିକାଂଶ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବହୁ ଯବପୁଢୀ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଟିକିଏ ରିଲାକ୍ସ ପାଇଁ ହେଉ କିମ୍ବା ଅଭ୍ୟାସଗତ ଭାବେ ହେଉ ଯୁବବର୍ଗଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ଚା କଫି ଆଦି ପିଇବାକୁ ଭଲ ପାଆନ୍ତି । ତେଣୁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ରାସ୍ତାପାଶ୍ୱର୍ର ସାହିବସ୍ତି ଓ ଗାଁଗଣ୍ଡାରେ ଶହ ଶହ ଚାଦୋକାନ ଖୋଲିଛି । ଦୀର୍ଘ ବର୍ଷ ତଳେ ଚା ଦୋକାନୀମାନେ ଗ୍ରାହକଙ୍କୁ କାଚ ଗ୍ଳାସରେ ଚା କଫି ଦେଉଥିଲେ । ହେଲେ ସେହି ସ୍ଥାନ ନେଇଛି କାଗଜକପ୍‍ । ଏହା ଚା ଦୋକାନୀଙ୍କ ପାଇଁ ସୁବିଧାଜନକ ହେଉଥିବା ବେଳେ ଗ୍ରାହକଙ୍କ ପାଇଁ ବିପଦ ଆଣୁଛି ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ଏହି ୟୁଜ୍‍ ଏଣ୍ଡ୍‍ ଥ୍ରୋ ବା ଏକକ ବ୍ୟବହାରଯୋଗ୍ୟ ଚା କପ୍‍ ଅଜାଣତରେ ଲୋକଙ୍କୁ ରୋଗ ବାଣ୍ଟୁଛି । କାଗଜ କପ୍‍ରେ ଗରମ ଚା ପିଇବା ଦ୍ୱାରା କ୍ୟାନସ୍‍ର ଭଳି ରୋଗ ହେବାର ଯଥେଷ୍ଟ ଆଶଙ୍କା ରହୁଛି । ସେହିଭଳି ଡାଇରିଆ, ପାଚନ ଶକ୍ତି କ୍ଷୟ, କିଡ୍‍ନୀ ନଷ୍ଟ ହେବାର ମଧ୍ୟ ସମ୍ଭାବନା ଅଧିକ ବୋଲି ମତ ପ୍ରକାଶ ପାଉଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ କାଗଜ କପ୍‍ର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆସିକା ସହରର ଚା ଦୋକାନ ଠାରୁ ଆରମ୍ଭ କରି ଅଧିକାଂଶ ସୁପ୍‍ ଦୋକାନରେ କାଗଜ କପ୍‍ର ବହୁଳ ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି । ତେବେ ଯେଉଁ କାଗଜ କପ୍‍ ଗୁଡିକ ଚା ଓ ସୁପ୍‍ ଦୋକାନରେ ବ୍ୟବହାର ହେଉଛି ତାହା ସ୍ୱାସ୍ଥ୍ୟ ପାଇଁ କେତେ ଯେ ହିତକର ତାହାକୁ ଯାଞ୍ଚ କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନୀରବତାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି । ପ୍ଳାଷ୍ଟିକ ଓ ପଲିଥିନ୍‍ ପରିବର୍ତ୍ତେ କାଗଜ ସ୍ୱାସ୍ଥ୍ୟ ଓ ପରିବେଶ ପାଇଁ ଅନୁକୂଳ କୁହାଯାଉଥିଲା ବେଳେ ଯେଉଁ କାଗଜ କପ୍‍ ଗୁଡିକ ଚା ଓ ଗରମ ସୁପ୍‍ ପିଇବା ପାଇଁ ବ୍ୟବହାର ହେଉଛି ତାହା ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ କ୍ଷତିକାରକ ବୋଲି ଜଣାପଡିଛି । କାଗଜ କପ୍‍ରେ ଗରମ ଚା, କଫି କିମ୍ବା ସୁପ୍‍ ପିଇଲେ ତାହା ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପକାଉଛି ତାହା ଜାଣିବାକୁ କାହା ପାଖରେ ସମୟ ବି ନାହିଁ । ଚା, କଫି ଓ ସୁପ୍‍ ଷ୍ଟଲ୍‍ ଛଡା ବିଭିନ୍ନ ଭୋଜିଭାତ, ସଭାସମିତି ଗୁଡିକରେ ଏହି କାଗଜ କପ୍‍ର ବହୁଳ ବ୍ୟବହାର ହେଉଥିବା ଦେଖିବାକୁ ମିଳିଛି । ଏହି କାଗଜ କପ୍‍ ଗୁଡିକ ମେସିନ୍‍ରେ ତିଆରି ସମୟରେ ହାଇଡ୍ରୋଫେକିର୍‍ର ଏକ ପତଳା ଆବରଣ ଦିଆଯାଇଥାଏ । ଏହା ସହ ଏକ ଏଥିଲିନ୍‍ ନାମକ ଏକ ପ୍ଳାଷ୍ଟିକର ପତଳା ପ୍ରଲେପ ଦିଆଯାଇଥାଏ । ଏହା ଦ୍ୱାରା କାଗଜ କପ୍‍ଟି ଗରମକୁ ସହନ କରିବା ସହ ଶୀଘ୍ର ସିିଝିବାକୁ ଓ ଭାଙ୍ଗିବାକୁ ଦେଇନଥାଏ । ସେହି କାଗଜ କପ୍‍ରେ ଚା, କଫି କିମ୍ବା ସୁପ୍‍ ପିଇବା ସମୟରେ ସେଥିରୁ ପ୍ରାୟ ୭୫ ହଜାର ସୁକ୍ଷ୍ମ ମାଇକ୍ରୋପ୍ଳାଷ୍ଟିକ କଣିକା କ୍ଷରିତ ହୋଇଥାଏ । ଏହା ସାଧାରଣରେ ଆଖିକୁ ଦେଖାଯାଇ ନଥାଏ । ଏହି କାଗଜ କପ୍‍ରେ ଚା, କଫି କିମ୍ବା ଗରମ ସୁପ୍‍ ପିଇଲେ ତାହା ମନୁଷ୍ୟ ଶରୀରର ଖାଦ୍ୟନଳୀକୁ ଯାଇଥାଏ ଓ ମଣିଷ ôଶରୀରର ବିଭିନ୍ନ ସ୍ଥାନରେ ରୋଗ ସୃଷ୍ଟି କରିଥାଏ । ଅପର ପକ୍ଷରେ ଏହି କାଗଜ କପ୍‍କୁ ବ୍ୟବହାର ପରେ ଅଧିକାଂଶ ସମୟରେ ଏଣେତେଣେ ଫୋପାଡି ଦିଆଯାଉଥିବା ଯୋଗୁଁ ଏହି କାଗଜ କପ୍‍କୁ ଖାଇ ରାସ୍ତାରେ ବୁଲୁଥିବା ଗାଈଗୋରୁମାନେ ନାନା ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଦୈନନ୍ଦିନ ଜୀବନରେ ପ୍ରାୟତଃ ବ୍ୟବହାର କରାଯାଉଥିବା ଏହି କାଗଜ କପ୍‍ ଏବେ ଜହର ପାଲଟିଗଲାଣି । ଏହି କାଗଜ କପ୍‍ରେ ଗରମ ଚା, କଫି କିମ୍ବା ସୁପ୍‍ ପିଇଲେ ତାହାର ଜହର ପାଲଟିବା ସହ କ୍ୟାନସ୍‍ର ରୋଗ ଶରୀରରେ ସୃଷ୍ଟି କରିଥାଏ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି । ସେହିଭଳି କାଗଜ କପ୍‍ଗୁଡିକରେ ଏହାର ନିର୍ମାତା, କେବେ ତିଆରି, ବ୍ୟବହାର ଅବଧି କେତେ ଦିନ, କଣ ପାଇଁ ବ୍ୟବହାରଯୋଗ୍ୟ, କେଉଁଥିରୁ ତିଆରି ଆଦି ସବିଶେଷ ତଥ୍ୟ ଦର୍ଶାଯାଇନଥାଏ । ସାଧାରଣ ଜନତା ମଧ୍ୟ ଅଚିନ୍ତାରେ କାଗଜ କପ୍‍ରେ ଚା, କଫି କିମ୍ବା ଗରମ ସୁପ୍‍ ପିଉଥିବା ଦେଖିବାକୁ ମିଳୁଛି । ଶରୀର ପାଇଁ ଏହି କାଗଜ କପ୍‍ ଯେ କେତେ ଭୟଙ୍କର ବିପଦ ଆଣୁଛି ତାହା ହୁଏତ ବହୁ ବ୍ୟକ୍ତି ଅଦ୍ୟାବଧି ଜାଣିନାହାନ୍ତି ଓ ସଚେତନ ବି ହୋଇନାହାନ୍ତି । କେତେକ ଅଞ୍ଚଳରେ ଏହି ବିଷାକ୍ତ କାଗଜ କପ୍‍ର ବହୁଳ ବ୍ୟବହାର ହେଉଥିବା ବେଳେ ସାଂପ୍ରତିକ ପରିସ୍ଥିତିରେ ଏହାର ଭୟାବହତା ସଂକାନ୍ତରେ ଲୋକେ ସଚେତନ ହେବାର ଅଧିକ ଆବଶ୍ୟକତା ରହିଛି ବୋଲି ଆସିକା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର (ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିର) ର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ପରାମର୍ଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ