ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କୁ ହାଇକୋର୍ଟରୁ ସାମୟିକ ଆଶ୍ୱସ୍ତି
କଟକ, (ଓ୍ବାଇଏନଏସ): ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଅଭିଯୁକ୍ତ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ହାଇକୋର୍ଟରୁ ସାମୟିକ ଆଶ୍ୱସ୍ତି ମିଳିଛି। ପାରଳାଖେମୁଣ୍ଡି ଏସ୍ଡିଜେଏମ୍ ଅଦାଲତରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ପୂର୍ବରୁ ଧାର୍ଯ୍ୟ ସମୟସୀମାକୁ ହାଇକୋର୍ଟ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ତେବେ ଏହି ସମୟ ମଧ୍ୟରେ ହାଇକୋର୍ଟରେ ଦାଖଲ ହେବାକୁ ଥିବା ଅଗ୍ରିମ ଜାମିନ ଆବେଦନରେ ଯଦି ତାଙ୍କୁ କୌଣସି ଅନ୍ତରୀଣ ସୁରକ୍ଷା ନମିଳେ, ତେବେ ଅକ୍ଟୋବର ୩୦ ସୁଦ୍ଧା ତାଙ୍କୁ ପାରଳାଖେମୁଣ୍ଡି ଏସ୍ଡିଜେଏମ୍ ଅଦାଲତରେ ହାଜର ହେବାକୁ ପଡ଼ିବ।ପୂର୍ବରୁ ସେପ୍ଟେମ୍ବର ୩ ତାରିଖରେ ହାଇକୋର୍ଟ ବିଦ୍ୟାଭାରତୀଙ୍କ ବ୍ୟକ୍ତିଗତ ହାଜିରାରୁ ଛାଡ଼ ପାଇଁ ଦାଖଲ ହୋଇଥିବା ଆବେଦନକୁ ଖାରଜ କରିଥିଲେ। ଏଥିସହ ଅକ୍ଟୋବର ୧ ତାରିଖ ସୁଦ୍ଧା ପାରଳାଖେମୁଣ୍ଡି ଏସ୍ଡିଜେଏମ୍ ଅଦାଲତରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଆଦେଶକୁ ଚ୍ୟାଲେଞ୍ଜ କରି ବିଦ୍ୟାଭାରତୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।ସୁପ୍ରିମକୋର୍ଟ ତାଙ୍କୁ ହାଇକୋର୍ଟରେ ଅଗ୍ରିମ ଜାମିନ ପାଇଁ ଆବେଦନ କରିବାର ସୁଯୋଗ ଦେଇ ମାମଲାର ଶୁଣାଣି ସମାପ୍ତ କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ହାଇକୋର୍ଟରେ ଅଗ୍ରିମ ଜାମିନ ଆବେଦନ ଦାଖଲ ପ୍ରକ୍ରିୟା ଜାରି ରହିଥିବା ବିଦ୍ୟାଭାରତୀଙ୍କ ପକ୍ଷର ଆଇନଜୀବୀ ହାଇକୋର୍ଟଙ୍କୁ ଅବଗତ କରାଇଥିଲେ। ଅଗ୍ରିମ ଜାମିନ ଆବେଦନର ବିଚାର ଶେଷ ହେବା ପର୍ଯ୍ୟନ୍ତ ନିମ୍ନ ଅଦାଲତରେ ହାଜର ହେବାର ସମୟସୀମା ବଢ଼ାଇବାକୁ ସେ ଅନୁରୋଧ କରିଥିଲେ। ଏହି ଯୁକ୍ତିକୁ ବିଚାରକୁ ନେଇ ହାଇକୋର୍ଟ ହାଜର ହେବାର ସମୟସୀମାକୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ହାଇକୋର୍ଟଙ୍କ ଏହି ଆଦେଶରେ ବିଦ୍ୟାଭାରତୀଙ୍କୁ ମାମଲାରୁ କୌଣସି ପ୍ରକାର ମୁକ୍ତି ମିଳିନାହିଁ। ଅଗ୍ରିମ ଜାମିନ ଆବେଦନରେ ଅଦାଲତ ଯଦି କୌଣସି ଅନ୍ତରୀଣ ସୁରକ୍ଷା ପ୍ରଦାନ ନକରନ୍ତି, ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ତାଙ୍କୁ ପାରଳାଖେମୁଣ୍ଡି ଏସ୍ଡିଜେଏମ୍ ଅଦାଲତରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହେବ। ୨୦୨୧ ଜୁଲାଇ ୧୧ ତାରିଖ ରାତିରେ ପାରଳାଖେମୁଣ୍ଡିରେ ନିଯୁକ୍ତ ଯୁବ ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର ତାଙ୍କ ସରକାରୀ ବାସଭବନରେ ଗୁରୁତର ଭାବେ ପୋଡ଼ି ଯାଇଥିଲେ। ଘଟଣା ପରେ ତାଙ୍କୁ ପ୍ରଥମେ ସ୍ଥାନୀୟ ଚିକିତ୍ସାଳୟକୁ ନିଆଯାଇଥିଲା। ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ତେବେ ପରଦିନ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ହୋଇଥିଲା। ଘଟଣାର କିଛି ଦିନ ପରେ ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର ଥାନାରେ ଏତଲା ଦାଖଲ କରି ହତ୍ୟା ଅଭିଯୋଗ ଆଣିଥିଲେ। ଏତଲାରେ ସେ ତାଙ୍କ ବୋହୂ ବିଦ୍ୟାଭାରତୀ, ତତ୍କାଳୀନ ଡିଏଫ୍ଓ ଏବଂ ରୋଷେୟାଙ୍କ ନାମ ଉଲ୍ଲେଖ କରିଥିଲେ। ଏଥିସହ ତତ୍କାଳୀନ ଡିଏଫ୍ଓ ଓ ବିଦ୍ୟାଭାରତୀଙ୍କ ମଧ୍ୟରେ ବିବାହ ବାହିର ସମ୍ପର୍କ ଥିବା ନେଇ ମଧ୍ୟ ଅଭିଯୋଗ କରାଯାଇଥିଲା। ଏହି ଅଭିଯୋଗଗୁଡ଼ିକର ତଦନ୍ତ ସମୟରେ ଯାଞ୍ଚ କରାଯାଇଥିଲା। ତେବେ ଏହାକୁ ନେଇ ପକ୍ଷଭେଦ ରହିଥିବା ସହ ମାମଲାର ବିଭିନ୍ନ ପ୍ରସଙ୍ଗ ଅଦାଲତର ବିଚାରାଧୀନ ରହିଛି। ଘଟଣାକୁ ନେଇ ରାଜ୍ୟବ୍ୟାପୀ ଆଲୋଚନା ଓ ଜନଆକ୍ରୋଶ ପରେ ରାଜ୍ୟ ସରକାର ୨୦୨୧ ଅଗଷ୍ଟରେ ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ। କ୍ରାଇମବ୍ରାଞ୍ଚ ତଦନ୍ତ ପରେ ଅଗ୍ନିକାଣ୍ଡକୁ ଦୁର୍ଘଟଣା ବୋଲି ଦର୍ଶାଇଥିଲା। ଏହାର ଆଧାର ଭାବେ ସୌମ୍ୟରଞ୍ଜନଙ୍କ କଥିତ ମୃତ୍ୟୁକାଳୀନ ବୟାନକୁ ଦର୍ଶାଯାଇଥିଲା। ତଦନ୍ତ ଅନୁସାରେ, ସେ କିରୋସିନରେ କାଗଜ ପୋଡ଼ୁଥିବା ସମୟରେ ଖସିପଡ଼ି ନିଆଁରେ ପୋଡ଼ିଯାଇଥିବା କଥା କହିଥିବା ଉଲ୍ଲେଖ କରାଯାଇଥିଲା। କ୍ରାଇମବ୍ରାଞ୍ଚ ତଦନ୍ତ ପରେ ବିଦ୍ୟାଭାରତୀଙ୍କ ବିରୋଧରେ ଅବହେଳାଜନିତ ଅଭିଯୋଗ ସମ୍ପର୍କିତ ଧାରାରେ ମାମଲା ଆଗକୁ ବଢ଼ାଇଥିଲା। ଅନ୍ୟପକ୍ଷରେ ତତ୍କାଳୀନ ଡିଏଫ୍ଓ ଓ ରୋଷେୟାଙ୍କ ବିରୋଧରେ ପ୍ରମାଣ ନଥିବା ଦର୍ଶାଇ ସେମାନଙ୍କୁ ତଦନ୍ତରୁ ବାଦ ଦିଆଯାଇଥିଲା। ତେବେ ପରିବାର ପକ୍ଷରୁ କ୍ରାଇମବ୍ରାଞ୍ଚର ତଦନ୍ତ ନିଷ୍କର୍ଷକୁ ଗ୍ରହଣ କରାଯାଇନଥିଲା।


