ମିଳୁନି ଭତ୍ତା, ଦୁର୍ଦ୍ଦଶାରେ ହିତାଧିକାରୀ

ହାଟଡିହି,(ଓ୍ବାଇଏନଏସ): ସାମାଜିକ ସୁରକ୍ଷା ଯୋଜନାରେ ମିଳୁଥିବା ଭତ୍ତା ଅନେକ ଅସହାୟ, ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମଙ୍କ ପାଇଁ ଜୀବନ ଧାରଣର ଏକମାତ୍ର ଆଶା। ମାତ୍ର ଗତ ୪ରୁ ୫ ମାସ ହେଲା ଅନଲାଇନ୍ ମାଧ୍ୟମରେ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ଟଙ୍କା ମିଳୁନଥିବାରୁ ସେମାନେ ନାନା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷରେ, ପଞ୍ଚାୟତ ମାଧ୍ୟମରେ ହାତାହାତି ଭତ୍ତା ପାଉଥିବା ହିତାଧିକାରୀ ନିୟମିତ ଭାବେ ଟଙ୍କା ପାଉଥିବାରୁ ଏହି ଦୁଇ ବ୍ୟବସ୍ଥା ମଧ୍ୟରେ ପାତରଅନ୍ତର ନେଇ ପ୍ରଶ୍ନ ଉଠାଇଛନ୍ତି ଅନଲାଇନ୍ ହିତାଧିକାରୀ।ଗୁରୁବାର ହାଟଡିହି, ମରେଇଗାଁ, ସଡ଼ଙ୍ଗ, ବଡ଼ରମ୍ପାସ ଆଦି ପଞ୍ଚାୟତର ବହୁ ହିତାଧିକାରୀ ଭତ୍ତା ପ୍ରଦାନରେ ଅନିୟମିତତାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଜଣାଇଛନ୍ତି। ଦୀର୍ଘଦିନ ଧରି ଭତ୍ତା ମିଳୁନଥିବାରୁ ଦୈନନ୍ଦିନ ଜୀବନଯାପନ ଓ ଔଷଧ କିଣିବାରେ ସେମାନଙ୍କୁ ଘୋର ଅସୁବିଧା ହେଉଥିବା ସେମାନେ କହିଛନ୍ତି। ହାଟଡିହି ପଞ୍ଚାୟତର ହିତାଧିକାରୀ ଅନନ୍ତ ଚରଣ ନାୟକ ଓ ସୁବାସ ରଣା କହିଛନ୍ତି ଯେ, ଭତ୍ତା ଟଙ୍କା ହିଁ ସେମାନଙ୍କ ଗୁଜୁରାଣ ମେଣ୍ଟାଇବାର ମୁଖ୍ୟ ସାହାରା। ଏହି ଟଙ୍କାରେ ଔଷଧ କିଣିବା ସହ ତେଲ, ଲୁଣ ଓ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ କିଣି ସେମାନେ ଚଳିଥାନ୍ତି। ମାତ୍ର ଦୀର୍ଘ ୪ରୁ ୫ ମାସ ଧରି ଭତ୍ତା ମିଳୁନଥିବାରୁ ଅତ୍ୟନ୍ତ ଅସୁବିଧାରେ ଦିନ କାଟିବାକୁ ପଡ଼ୁଛି। ସେହିପରି ମରେଇଗାଁ ପଞ୍ଚାୟତର ବନ୍ତଳା ଗ୍ରାମର ହିତାଧିକାରୀ କଣ୍ଢେଇ ସାହୁ କହିଛନ୍ତି ଯେ, ପ୍ରତି ମାସର ୧୫ ତାରିଖକୁ ସେ ଅପେକ୍ଷା କରି ରହିଥାନ୍ତି। ଭତ୍ତା ଟଙ୍କା ମିଳିଲେ ଔଷଧ କିଣିବା ସହ ମାସକ ପାଇଁ ଘରର ଆବଶ୍ୟକ ସାମଗ୍ରୀ ଯୋଗାଡ଼ କରିଥାନ୍ତି। କିନ୍ତୁ ଗତ କିଛି ମାସ ହେଲା ଭତ୍ତା ମିଳୁନଥିବାରୁ ତାଙ୍କ ଭଳି ଅନେକ ହିତାଧିକାରୀ ଅସୁବିଧାରେ ପଡ଼ିଛନ୍ତି। ହାତାହାତି ଭତ୍ତା ପାଉଥିବା ଲୋକେ ନିୟମିତ ଟଙ୍କା ପାଉଥିବା ବେଳେ ବ୍ୟାଙ୍କ ଖାତା ମାଧ୍ୟମରେ ଭତ୍ତା ପାଉଥିବା ଲୋକଙ୍କୁ କାହିଁକି ଟଙ୍କା ମିଳୁନାହିଁ ଏବଂ କେବେ ମିଳିବ, ସେ ସମ୍ପର୍କରେ କେହି ସ୍ପଷ୍ଟ ଉତ୍ତର ଦେଉନଥିବା ସେ ଅଭିଯୋଗ କରିଛନ୍ତି। କେବଳ ଗୋଟିଏ କିମ୍ବା ଦୁଇଟି ପଞ୍ଚାୟତ ନୁହେଁ, ହାଟଡିହି ବ୍ଲକର ପ୍ରାୟ ସମସ୍ତ ପଞ୍ଚାୟତରେ ଏଭଳି ସମସ୍ୟା ଦେଖାଦେଇଛି। ବ୍ଲକରେ ମୋଟ ୨୨ ହଜାର ୫୮୮ ଜଣ ହିତାଧିକାରୀ ସାମାଜିକ ସୁରକ୍ଷା ଭତ୍ତା ପାଉଥିବା ବେଳେ ସେଥିମଧ୍ୟରୁ ୭ ହଜାର ୬୫୬ ଜଣଙ୍କୁ ଅନଲାଇନ୍ ମାଧ୍ୟମରେ ଏବଂ ୧୪ ହଜାର ୯୩୨ ଜଣଙ୍କୁ ହାତାହାତି ଭତ୍ତା ପ୍ରଦାନ କରାଯାଉଛି। ତେବେ ଅନଲାଇନ୍ ମାଧ୍ୟମରେ ଭତ୍ତା ପାଉଥିବା ହିତାଧିକାରୀଙ୍କ ମଧ୍ୟରୁ ହଜାରେରୁ ଊର୍ଦ୍ଧ୍ୱ ବିଭିନ୍ନ ସମସ୍ୟା ଯୋଗୁଁ ଭତ୍ତା ପାଇପାରି ନଥିବା ବ୍ଲକ ପକ୍ଷରୁ ଜଣାପଡ଼ିଛି। ଭତ୍ତା ପ୍ରଦାନରେ ଏଭଳି ବିଳମ୍ବ ଯୋଗୁଁ ବୟସ୍କ ଓ ଅସହାୟ ହିତାଧିକାରୀଙ୍କ ଜୀବନଯାପନ ପ୍ରଭାବିତ ହେଉଥିବା ବେଳେ ଏହାର ଶୀଘ୍ର ସମାଧାନ ପାଇଁ ଦାବି ଜୋର ଧରିଛି। ପୂର୍ବଭଳି ପ୍ରତି ମାସର ୧୫ ତାରିଖରେ ନିୟମିତ ଭତ୍ତା ପ୍ରଦାନ କରିବା ସହ ବ୍ୟାଙ୍କ ଖାତା ମାଧ୍ୟମରେ ଭତ୍ତା ପାଇବାରେ ଦେଖାଦେଇଥିବା ସମସ୍ୟାର ତୁରନ୍ତ ସମାଧାନ କରିବାକୁ ସୁବାସ ରଣା, ଅନନ୍ତ ଚରଣ ନାୟକ, ଗୁଣ୍ଠି ଦାସ, ବିନୋଦ କୁମାର ସାହୁ, ଦୁର୍ଯ୍ୟୋଧନ ଜେନା, କଣ୍ଢେଇ ସାହୁ ଓ ମିନି ଶଙ୍ଖୁଆ ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ହାଟଡିହି ବିଡିଓ ରଞ୍ଜନ କୁମାର ପରିଡ଼ାଙ୍କୁ ପଚାରିବାରୁ, ବ୍ଲକ ସ୍ତରରେ ଏଥିନେଇ କୌଣସି ସମସ୍ୟା ନାହିଁ ବୋଲି ସେ କହିଥିଲେ। ଭତ୍ତା ଅର୍ଥ ଜିଲ୍ଲା ସ୍ତରରୁ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପଠାଯାଉଥିବା ବେଳେ ଚଳିତ ମାସ ଶେଷ ସୁଦ୍ଧା ଭତ୍ତା ମିଳିବ ବୋଲି ଶୁଣିବାକୁ ମିଳୁଥିବା ସେ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ