୪୦ବର୍ଷରେ ପଦାର୍ପଣ କଲା ମେଡିକାଲ ବଜାର ଦୁର୍ଗାପୂଜା

ଧାମନଗର (ଓ୍ବାଇଏନଏସ): ଧାମନଗର ଏନ ଏ ସି ଅଧିନସ୍ଥ ଶାମପୁର ସ୍ଥିତ ମେଡିକାଲ ବଜାର ଦୁର୍ଗାପୂଜା ୪୦ବର୍ଷରେ ପଦାର୍ପଣ କରିଛି। ଜଗଜ୍ଜନନୀ ମା’ ଦୁର୍ଗାଙ୍କ ଆଗମନ ପାଇଁ ପୂଜା କମିଟି ସମସ୍ତ ପ୍ରକାର ଆୟୋଜନ କରିଛି। ମେଡିକାଲ ବଜାର ଦୁର୍ଗା ମଣ୍ଡପରେ ମା’ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରିରେ ଶେଷ ସ୍ପର୍ଶ ଦେଉଛି କାରିଗର। ଏହି ଉପଲକ୍ଷେ ଧାମନଗର ସହରାଞ୍ଚଳ ଉତ୍ସବ ମୁଖର ହୋଇଉଠିଛି। ପୂଜା କମିଟିର କର୍ମକର୍ତ୍ତା ମାନେ ଚଳିତ ବର୍ଷ ପୂଜା ମଣ୍ଡପ ଓ ତୋରଣକୁ ଆକର୍ଷଣୀୟ କରିବା ସହ ରୀତିନୀତି ଅନୁସାରେ ପୂଜା ଆରାଧନା କରିବାଲାଗି ପ୍ରସ୍ତୁତି ତ୍ବରାନ୍ବିତ କରିଛନ୍ତି।୧୯୮୭ ମସିହାରେ ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜା କମିଟି ନାମରେ ସୃଷ୍ଟି ହୋଇଥିଲା ମେଡିକାଲ ବଜାର ଦୁର୍ଗାପୂଜା।ପ୍ରଥମ ବର୍ଷରୁ ଆକର୍ଷଣୀୟ ତୋରଣ,ଆଲୋକ ସଜ୍ଜା ଓ ସାଂସ୍କୁତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇ ଏଯାବତ ପୂଜାକମିଟି ତା’ର ପରମ୍ପରାକୁ ବଜାୟ ରଖିଛି। ଏହି ପୂଜା କମିଟିର ପ୍ରତିଷ୍ଠାତା ଭାବେ ସ୍ବର୍ଗତ ଯଦୁନାଥ ମହାପାତ୍ର,ବାସୁଦେବ ତ୍ରିପାଠୀ, ହରେକୃଷ୍ଣ ଦେବତା,ନବକୃଷ୍ଣ ମହାନ୍ତି,ରସାନନ୍ଦ ମହାପାତ୍ର, ସ୍ବର୍ଗତ ଗଣେଶ ଚନ୍ଦ୍ର ମହାପାତ୍ର,ମାନଗୋବିନ୍ଦ ମହାପାତ୍ର, ବ୍ଯବସାୟୀ ସ୍ବର୍ଗତ ଭାଗବତ ଦାଶ ପ୍ରମୁଖଙ୍କୁ ନେଇ ପ୍ରଥମେ ପୂଜାକମିଟି ଗଠନ କରାଯାଇ ଦୁର୍ଗାପୂଜା ଆରମ୍ଭ କରାଯାଇଥିଲା। ପରବର୍ତ୍ତୀ ବର୍ଷ ମାନଙ୍କରେ ସ୍ବର୍ଗତ ମଦନମୋହନ ବସନ୍ତିଆ,ସ୍ବର୍ଗତ ଶରତ କୁମାର ରାଉତ, ନାରାୟଣ ଚନ୍ଦ୍ର ମହାପାତ୍ର,ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ,ସତ୍ଯରଞ୍ଜନ ତ୍ରିପାଠୀ,ରଘୁନାଥ ନାୟକ,ବିଜୟ କୁମାର ମହାପାତ୍ର,ସ୍ବର୍ଗତ ବ୍ରଜକିଶୋର ବେହେରା,ସ୍ବର୍ଗତ ଦୟାଲ ଦତ୍ତ ପ୍ରମୁଖ ବହୁ ବ୍ଯକ୍ତି ଓ ଯୁବକ ସାମିଲ ହୋଇଥିଲେ।୨୦୧୨ ମସିହାରେ ଧାମନଗର ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜା କମିଟି ତା’ର ୨୫ ବର୍ଷ ପୂର୍ତ୍ତି ଅବସରରେ “ରୌପ୍ଯ ଜୟନ୍ତୀ” ଉତ୍ସବ ପାଳନ କରିଥିଲା। ଆକର୍ଷଣୀୟ ସାଜସଜ୍ଜା,ଚିତାକର୍ଷକ ରାବଣପୋଡି,ପ୍ରତିଭାବାନଙ୍କୁ ସମ୍ବର୍ଦ୍ଧନା ଓ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଲୋକେ ଆଜିବି ମନେ ପକାଉଛନ୍ତି।ଆଜି ଏହି ମର୍ଯ୍ୟାଦାଜନକ ପୂଜାକମିଟି ୪୦ବର୍ଷରେ ପଦାର୍ପଣ କରିଛି।କମିଟିର ସଭାପତି ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର,ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ରାଉତଙ୍କ ନେତୃତ୍ବରେ ବହୁ ଯୁବକ ଓ ଅନୁଷ୍ଠାନ ପ୍ରେମୀ ଏହି ପୂଜା କମିଟିରେ ଯୋଡି ହୋଇ ପରମ୍ପରାକୁ ଜାରି ରଖିଛନ୍ତି। ଧାମନଗରର ଏକ ପ୍ରମୁଖ ଅନୁଷ୍ଠାନ ଭାବେ ମେଡିକାଲ ବଜାର ଦୁର୍ଗାପୂଜା କମିଟି ସ୍ୱତନ୍ତ୍ର ପରିଚୟ ଲାଭ କରିଛି। ସେହିପରି ଧାମନଗର ବ୍ଲକ ଓ ସହରାଞ୍ଚଳରେ ମୋଟ ୧୨ଟା ଅଧିକସ୍ଥାନରେ ପୂଜା ପାଇବେ ଜଗତଜନନୀ ମା’ ଦୁର୍ଗା। ସେଥିପାଇଁ ସମଗ୍ର ଧାମନଗର ଅଞ୍ଚଳ ଉତ୍ସବ ମୁଖର ହୋଇ ଉଠିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ