ନିଶା ନିବାରଣ ଅଭିଯାନ ପକ୍ଷରୁ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ଜିଲ୍ଲା କମିଟି ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅବସରରେ ଗରାପୁର ସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ନିକଟରେ ଧାରଣା ଆନ୍ଦୋଳନ ସଂଗଠିତ ହୋଇଯାଇଛି। ରାଜ୍ୟରେ ନିଶା ନିବାରଣ ଆଇନ-୧୯୫୬କୁ କାର୍ଯ୍ୟକାରୀ କରି ଓଡ଼ିଶାକୁ ନିଶାମୁକ୍ତ ରାଜ୍ୟ ଭାବେ ଘୋଷଣା କରିବା ଦାବିରେ ରାଜଧାନୀ ଭୁବନେଶ୍ୱରରେ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ଠାରୁ ମଧୁବାବୁଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ୧୧୪ ଦିନ ହେଲା ପ୍ରତ୍ୟେହ ଚାଲିଥିବା ତ୍ରିରଙ୍ଗା ଯାତ୍ରାକୁ ସମର୍ଥନ ଜଣାଇ ସଂଗଠନର କର୍ମକର୍ତ୍ତାମାନେ ଏହି ଧାରଣା ସଂଗଠିତ ହୋଇଥିଲା। ସଂଗଠନର ଜିଲ୍ଲା ସଂପାଦକ ଆଦିକନ୍ଦ ରାଉଳଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ଧାରଣାରେ ଯୋଗଦେଇ ସଂଗଠନର କେନ୍ଦ୍ରାପଡ଼ା ବ୍ଲକ ସଭାପତି ଦ୍ରୈାପଦୀ ରାଉତ, ଇଂ ବିଶ୍ୱନାଥ ବେହେରା, ଭାଗୀରଥି ଜେନା, ଅଧ୍ୟାପକ ଅଜୟ ସାମଲ, ରମଣୀରଞ୍ଜନ ରାଉତରାୟ, ସରୋଜକାନ୍ତ ନାୟକ ପ୍ରମୁଖ ଗାନ୍ଧିଜୀଙ୍କ ରାମରାଜ୍ୟର ଭାରତ ଗଠନ ନିମନ୍ତେ ନିଶା ନିବାରଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଏଥିସହିତ ବର୍ତ୍ତମାନର ରାଜ୍ୟ ସରକାରର ନେତୃତ୍ୱ ନେଉଥିବା ବିଜେପି ୨୦୨୪ ନିର୍ବାଚନ ପୂର୍ବର ଘୋଷଣା ପତ୍ରରେ ଓଡ଼ିଶାକୁ ନିଶାମୁକ୍ତ କରିବାର ମିଥ୍ୟା ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିବା ପରେ ଏବେ ମଦ ପ୍ରସାର କାର୍ଯ୍ୟରେ ଲାଗିଥିବାରୁ ଆନ୍ଦୋଳନ କାରୀମାନେ କଟୁ ସମାଲୋଚନା କରିଥିଲେ। ସରକାର ଏଥିରୁ ନିବୃତ ରହି ତୁରନ୍ତ ନିଶା ନିବାରଣ ଆଇନ କାର୍ଯ୍ୟକାରୀ ନକଲେ ଆସନ୍ତା ନଭେମ୍ବର ୨୩ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ଠାରୁ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ