ଅକ୍ଟୋବର ୮ ଓଡ଼ିଶା ବନ୍ଦ ପାଇଁ କଟକ କଂଗ୍ରେସର ପ୍ରସ୍ତୁତି ଜୋରଦାର
କଟକ (ଓ୍ବାଇଏନଏସ): ବିଭିନ୍ନ ଜନସମସ୍ୟା ଓ ସରକାରଙ୍କ ନୀତିକୁ ବିରୋଧ କରି ଆସନ୍ତା ୮ ତାରିଖରେ କଂଗ୍ରେସ ଆହ୍ୱାନ ଦେଇଥିବା ଓଡ଼ିଶା ବନ୍ଦକୁ କଟକରେ ସଫଳ କରିବା ପାଇଁ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।ଏନେଇ ଓଏମ୍ପି ଡାକବଙ୍ଗଳାଠାରେ କଟକ ନଗର କଂଗ୍ରେସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। କଟକ ନଗର କଂଗ୍ରେସର ପ୍ରାକ୍ତନ ମୁଖପାତ୍ର ତଥା କଟକ-ଚୌଦ୍ୱାର ନିର୍ବାଚନମଣ୍ଡଳୀର ମୁଖ୍ୟ ସଂଯୋଜକ ମାନସ ପରିଡ଼ାଙ୍କ ଆବାହକତ୍ୱ ଓ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ବନ୍ଦକୁ କଟକ ସହରର ବିଭିନ୍ନ ଅଞ୍ଚଳରେ ସଫଳ କରିବା ପାଇଁ ସାଂଗଠନିକ ରଣନୀତି ଉପରେ ଆଲୋଚନା ହୋଇଥିଲା। ପିସିସି ପକ୍ଷରୁ ପର୍ଯ୍ୟବେକ୍ଷକ ସତ୍ୟଜିତ ପଟ୍ଟନାୟକ ଓ ସହ ପର୍ଯ୍ୟବେକ୍ଷକ ଅଜୟ କୁମାର ସାହୁ ବୈଠକରେ ଯୋଗଦେଇ ବନ୍ଦ ପାଳନର ରୂପରେଖ ଏବଂ କର୍ମୀ ମାନଙ୍କ ଭୂମିକା ସମ୍ପର୍କରେ ଦଳୀୟ ନେତା ଓ କର୍ମୀଙ୍କୁ ଅବଗତ କରାଇଥିଲେ। ବୈଠକରେ ସଂଶୋଧିତ ନୂତନ ଖଣି ନୀତି ପ୍ରତ୍ୟାହାର, ଏସ୍ଆଇଆର୍ ପ୍ରତ୍ୟାହାର, ସିଇସି ଜ୍ଞାନେଶ କୁମାରଙ୍କ ବହିଷ୍କାର ଓ ଗିରଫ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ବନ୍ୟା ପରିସ୍ଥିତି ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତା ଭଳି ପ୍ରସଙ୍ଗ ଉଠାଯାଇଥିଲା। ଏହି ସବୁ ପ୍ରସଙ୍ଗକୁ ନେଇ ଆହ୍ୱାନ ଦିଆଯାଇଥିବା ବନ୍ଦରେ ଅଧିକରୁ ଅଧିକ ଜନସମର୍ଥନ ହାସଲ କରିବା ଉପରେ ନେତାମାନେ ଗୁରୁତ୍ୱ ଦେଇଥିଲେ। କଟକରେ ବନ୍ଦକୁ ବ୍ୟାପକ କରିବା ପାଇଁ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ବ୍ଲକ୍ର ସହଯୋଗୀ ଦଳଗୁଡ଼ିକୁ ମଧ୍ୟ ସାମିଲ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା।ସ୍ଥାନୀୟ ସ୍ତରରେ ଦଳୀୟ କର୍ମୀ ଓ ନେତାମାନେ ଲୋକଙ୍କ ନିକଟରେ ପହଞ୍ଚି ବନ୍ଦର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇବେ ବୋଲି କୁହାଯାଇଛି।ବୈଠକରେ ପିସିସି ସାଧାରଣ ସମ୍ପାଦକ ହରିଶଙ୍କର ରାଉତ, ମୁଖପାତ୍ର ଅଶୋକ କୁମାର ସ୍ୱାଇଁ, ବାରବାଟୀ ନିର୍ବାଚନ ମଣ୍ଡଳୀର ମୁଖ୍ୟ ସଂଯୋଜକ ଜଗନ୍ନାଥ ସାହୁ, ପ୍ରାକ୍ତନ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ତଥା ଯୁବନେତା ସୁକାନ୍ତ ଚନ୍ଦ୍ର ସାହାଣି, ପ୍ରାକ୍ତନ କର୍ପୋରେଟର ରମଜାନ ଖାନ୍ ଓ ପ୍ରଶାନ୍ତ ଭୋଇ, ପିସିସି ସମ୍ପାଦକ ପ୍ରଦୀପ ପ୍ରଧାନ, ନଗର କଂଗ୍ରେସ ସାଧାରଣ ସମ୍ପାଦକ ନିର୍ମଳ ସ୍ୱାଇଁ, ଅଶୋକ ନାୟକ, ବ୍ଲକ୍ ସଭାପତି ଅଲେଖ ଚନ୍ଦ୍ର ବେହେରା, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ବିଶ୍ୱରଞ୍ଜନ ଜେଠୀ, ପ୍ରାକ୍ତନ ସମ୍ପାଦକ ଦିଲ୍ଲୀପ ଦଳାଇ ଓ ସଚ୍ଚିଦାନନ୍ଦ ରାଉତ, ସଂଖ୍ୟାଲଘୁ ସେଲ୍ ଅଧ୍ୟକ୍ଷ ଶେଖ ଜାଫର, ଓବିସି ନେତା ପ୍ରତ୍ୟୁଷ ସାହୁ, ଆଇନଜୀବୀ ପ୍ରଦୋଷ ଦାସ, ଯୁବ କଂଗ୍ରେସ କର୍ମକର୍ତ୍ତା ଦୀପକ ସାହୁ, ଲିପୁଲ ରାଉତ ଓ ସ୍ୱପ୍ନ କୁମାର ସ୍ୱାଇଁ, ଛାତ୍ରନେତା ଜଗନ ସାହୁ ଓ ସୁନୀଲ ଜେନାଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗଦେଇଥିଲେ। ବନ୍ଦ ପାଳନ ସମୟରେ ଜରୁରୀ ସେବା ଯେପରି ବାଧାପ୍ରାପ୍ତ ନହୁଏ, ସେଥିପ୍ରତି ଦଳ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ଆମ୍ବୁଲାନ୍ସ, ଜରୁରୀକାଳୀନ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଯାନ ଏବଂ ଅନ୍ୟାନ୍ୟ ଜରୁରୀ ସେବାକୁ କୌଣସି ପ୍ରକାର ବାଧା ଦିଆଯିବ ନାହିଁ ବୋଲି ନେତାମାନେ କହିଛନ୍ତି। ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରି ଏହାକୁ ସଫଳ କରିବାକୁ ଦଳ ପକ୍ଷରୁ ନେତା, କର୍ମୀ ଓ ସାଧାରଣ ଲୋକଙ୍କୁ ନିବେଦନ କରାଯାଇଛି।


