ଗଜଲକ୍ଷ୍ମୀ ପୂଜାର ଶତବାର୍ଷିକୀ ପ୍ରସ୍ତୁତି

କେନ୍ଦ୍ରାପଡ଼ା(ଚିତ୍ତ ରଞ୍ଜନ ଦାଶ) :ଚଳିତବର୍ଷ କେନ୍ଦ୍ରାପଡା ଗଜଲକ୍ଷ୍ମୀ ପୂଜାକୁ ଶହେବର୍ଷ ପୁରୁଛି। ପୂଜାକୁ ଶାନ୍ତି,ଶୃଙ୍ଖଳାର ସହ ସମାପନ କରିବା ପାଇଁ ସୋମବାର ସନ୍ଧ୍ୟାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଶହେବର୍ଷ ପୂର୍ତ୍ତି ହେଉଥିବାରୁ ପୂଜାକୁ ଅଧିକ ରଙ୍ଗାୟିତ କରିବା ପାଇଁ ମେଲୋଡି କାର୍ଯ୍ୟକ୍ରମକୁ ରାତି ୧୨ଟା ପର୍ଯ୍ୟନ୍ତ ଚଲାଇ ରଖିବା, ପୂଜା ଆରମ୍ଭ ଦିନରୁ ପ୍ରତ୍ୟେହ ରାତ୍ର ୧୨ଟା ପର୍ଯ୍ୟନ୍ତ ମାଇକ ବଜାଇବା ପାଇଁ ଅନୁମତି ଓ ମେଲଣ ଏବଂ ଭଷାଣୀ ଦିନ ରାତି ୧୨ଟା ପର୍ଯ୍ୟନ୍ତ ସାଉଣ୍ଡସିଷ୍ଟମ ଓ ବାଜା ବଜାଇବାକୁ ଅନୁମତି ପ୍ରଦାନ ପାଇଁ ଦାବି କରାଯାଇଥିଲା। ଗତ ବର୍ଷ ଭଷାଣୀ ଉତ୍ସବରେ ରାତି ୧୦ଟା ବାଜିବା କ୍ଷଣି ପୋଲିସ ମାଇକ ଓ ବାଜାକୁ ବନ୍ଦ କରିଦେବାରୁ କମିଟି ସଦସ୍ୟଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଥିଲା। ପରେ ପୁନର୍ବାର ବାଜା ବଜାଇବାକୁ ଅନୁମତି ପ୍ରଦାନ କରାଯିବା ପରେ ଶାନ୍ତି,ଶୃଙ୍ଖଳା ସହିତ ଭଷାଣୀ ଉତ୍ସବ ସମାପନ ହୋଇଥିଲା। ଚଳିତ ବର୍ଷ ସେଭଳି ନକରିବାକୁ ନିବେଦନ କରାଯାଇଥିଲା। ଏଥିସହ ବୈଠକରେ ଗଜଲକ୍ଷ୍ମୀ ପୂଜା ପାଇଁ ସମନ୍ୱୟ କମିଟି ଗଠନ, ପୂଜା କମିଟି ଗୁଡ଼ିକୁ ସିଙ୍ଗଲ ଉଇଣ୍ଡୋ ମାଧ୍ୟମରେ ଅନୁମତି ପତ୍ର ପ୍ରଦାନ, ଆଇନଶୃଙ୍ଖଳା, ସୂଚନା କେନ୍ଦ୍ର, ରାସ୍ତାଘାଟ ମରାମତି, ସ୍ୱାସ୍ଥ୍ୟସେବା, ପରିମଳ, ଆଲୋକୀକରଣ ଓ ଜଳ ଯୋଗାଣ, ଅଗ୍ନି ନିରାପତ୍ତା, ଟ୍ରାଫିକ ନିୟନ୍ତ୍ରଣ, ପାର୍କିଂ ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ, ବେଆଇନ ଚାନ୍ଦା ଆଦାୟ ରୋକିବା ଏବଂ ନିଶା ନିବାରଣ ପ୍ରଭୃତି ବିଷୟ ଗୁଡିକ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଚଳିତ ବର୍ଷ କେନ୍ଦ୍ରାପଡ଼ାର ଗଜଲକ୍ଷ୍ମୀ ପୂଜା ୧୦୦ ବର୍ଷ ପୂରଣ କରୁଥିବାରୁ ଏହି ଶତବାର୍ଷିକୀକୁ ମହାଆଡମ୍ବର ସହକାରେ ପାଳନ କରାଯିବା ନିମନ୍ତେ ବିଶେଷ ପ୍ରସ୍ତୁତି ଉପରେ ଆଲୋଚନା କରାଯାଇଥିଲା। ଶତବାର୍ଷିକୀ ଉପଲକ୍ଷେ ୧୦୦ ବର୍ଷ ପୂର୍ତ୍ତିର ତୋରଣ ସ୍ଥାପନ କରାଯିବା ସହିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଆମ୍ବୁଲାନ୍ସ କରିଡର ନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ପୂଜା ସମୟରେ ଭିଡ଼ ନିୟନ୍ତ୍ରଣ, ଯାତାୟାତ ବ୍ୟବସ୍ଥାକୁ ସୁଗମ କରିବା, ଜରୁରୀକାଳୀନ ସେବା ପାଇଁ ରାସ୍ତା ସୁଗମ ରଖିବା ଏବଂ ଶ୍ରଦ୍ଧାଳୁଙ୍କ ସୁରକ୍ଷା ନିମନ୍ତେ ସମସ୍ତ ବିଭାଗ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ସଂପୃକ୍ତ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇ କହିଲେ ଆସନ୍ତା ୧୩ତାରିଖ ମଧ୍ୟରେ ପୈାରାଞ୍ଚଳ ଅନ୍ତର୍ଗତ ସମସ୍ତ ରାସ୍ତାର ମରାମତି କାର୍ଯ୍ୟ ଶେଷ କରିିବାକୁ ପୈାର ନିର୍ବାହୀ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏଥିସହିତ କେନ୍ଦ୍ରାପଡା ସହରକୁ ସଂଯୋଗ କରୁଥିବା ବିଭିନ୍ନ ବିଭାଗର ରାସ୍ତା ଗୁଡିକର ମରାମତି ମଧ୍ୟ ଆସନ୍ତା ୧୩ତାରିଖ ମଧ୍ୟରେ ଶେଷ କରିବାକୁ ସଂପୃକ୍ତ ବିଭାଗର ଅଧିକାରୀମାନଙ୍କୁ ସେ ପରାମର୍ଶ ଦେଇଥିଲେ। ଏହାବ୍ୟତିତ ଗଜଲକ୍ଷ୍ମୀ ପୂଜା ଆରମ୍ଭ ଠାରୁ ଭଷାଣୀ ପର୍ଯ୍ୟନ୍ତ ଦୈନିକ ରାତି ୧୨ଟା ପର୍ଯ୍ୟନ୍ତ ମାଇକ ବଜାଇବା ପାଇଁ ଅନୁମତି ଦେବାକୁ ବିଧାୟକ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ। ତିନିମୁହାଣୀ ଛକରେ ଗଜଲକ୍ଷ୍ମୀ ପୂଜା ଶତବାର୍ଷିକୀ ଉପଲକ୍ଷେ ପୈାରସଂସ୍ଥା ପକ୍ଷରୁ ଏକ ତୋରଣ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସେହିପରି ଦୁହୁରିଆ, ଗୁଲନଗର ଓ କପାଳେଶ୍ୱର ପଞ୍ଚାୟତର ଗରାପୁର ଛକରେ ଶତବାର୍ଷିକୀ ଉପଲକ୍ଷେ ତୋରଣ ଓ ଲାଇଟ ସାଜସଜ୍ଜା ସହ ଅସ୍ଥାୟୀ ପରିମଳ ବ୍ୟବସ୍ଥା କରାଯିବାକୁ ଜିଲ୍ଲାପାଳ କେନ୍ଦ୍ରାପଡା ବିଡିଓ ଅଭିଷେକ ସ୍ୱାଇଁଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଦ୍ୱାରା ପୂଜା ସମୟରେ ସହରରେ ଖୋଲି ଥିବା ବିଭିନ୍ନ ଜଳଖିଆ ଓ ହୋଟେଲ ଗୁଡିକ ଦ୍ୱାରା ପ୍ରସ୍ତୁତ ଖାଦ୍ୟପଦାର୍ଥକୁ ଉପଯୁକ୍ତ ଯାଞ୍ଚ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ ଓ କେନ୍ଦ୍ରାପଡ଼ା ପୌରାଧ୍ୟକ୍ଷା ସରିତା ସାହୁ ପୂଜାକୁ ଶାନ୍ତି,ଶୃଙ୍ଖଳାର ସହିତ ଏବଂ ଭାଇଚାରାର ପରମ୍ପରା ମଧ୍ୟରେ ଶେଷ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ବୈଠକରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କାଟ୍ଟାରିଆ, ସାଂସଦଙ୍କ ପ୍ରତିନିଧି କିଶୋର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କ ସମେତ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା, ଶାନ୍ତି କମିଟି ସଦସ୍ୟ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ