ଅଗ୍ନିବୀର ଆଶାୟୀଙ୍କ ପାଇଁ ୧୦ ଦିନିଆ ପ୍ରଶିକ୍ଷଣ ଶିବିର

ମାଲକାନଗିରି/ବାଲିମେଳା, (ଡଃ ଶିବ ନାରାୟଣ ପାତ୍ର): ଯୁବପିଢ଼ିଙ୍କ ମଧ୍ୟରେ ଦେଶସେବାର ଭାବନା ଜାଗ୍ରତ କରିବା ସହ ଅଗ୍ନିବୀର ନିଯୁକ୍ତି ପାଇଁ ଆଶାୟୀମାନଙ୍କୁ ଶାରୀରିକ ଭାବେ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ବାଲିମେଳା ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟରେ ଏନଏସଏସ ପକ୍ଷରୁ ଓଡିଶା ସରକାରଙ୍କ ଗ୍ରାମୋଦୟ ଯୋଜନାରେ ୧୦ ଦିନିଆ ଅଗ୍ନିବୀର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ଆୟୋଜିତ ଉଦ୍ଘାଟନୀ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସୁବାସଚନ୍ଦ୍ର ମାଝି, ଏନଏସଏସ ଜିଲ୍ଲା ନୋଡାଲ ଅଫିସର ଶ୍ରୀ ସରୋଜ କୁମାର ମହାପାତ୍ର, ଶାରୀରିକ ପ୍ରଶିକ୍ଷକ ଶ୍ରୀ ଆଲୋକ କୁମାର ମହାପାତ୍ର, ଏନଏସଏସ ପ୍ରୋଗ୍ରାମ ଅଫିସର ଶ୍ରୀ ତପନ କାର୍ଯ୍ୟି ଉପସ୍ଥିତ ଥିଲେ। ଏନଏସଏସ ପ୍ରୋଗ୍ରାମ ଅଫିସରଙ୍କ ଦ୍ୱାରା ସଭା ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମରେ ଚୟନିତ ୩୦ ଜଣ ଅଗ୍ନିବୀର ଆଶାୟୀ ଉତ୍ସାହର ସହ ଯୋଗଦେଇଥିଲେ।

ଉପସ୍ଥିତ ଅତିଥିମାନେ ଆଶାୟୀମାନଙ୍କୁ ଶୃଙ୍ଖଳା, ନିଷ୍ଠା, ଆତ୍ମବିଶ୍ୱାସ ଓ କଠିନ ପରିଶ୍ରମକୁ ସଫଳତାର ମୁଖ୍ୟ ଚାବିକାଠି ଭାବେ ଗ୍ରହଣ କରିବାକୁ ଆହ୍ୱାନ କରିଥିଲେ। ଦେଶର ସୁରକ୍ଷା ବ୍ୟବସ୍ଥାରେ ଯୁବପିଢ଼ିଙ୍କ ଭୂମିକା ଓ ଦାୟିତ୍ୱ ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା। ଉଦ୍ଘାଟନୀ ସଭା ପରେ ଶାରୀରିକ ପ୍ରଶିକ୍ଷକଙ୍କ ନେତୃତ୍ୱରେ ଆଶାୟୀମାନଙ୍କୁ ବିଭିନ୍ନ ଶାରୀରିକ ବ୍ୟାୟାମ ଓ ଫିଜିକାଲ୍ ଟ୍ରେନିଂ ପ୍ରଦାନ କରାଯାଇଥିଲା। ଏହି ପ୍ରଶିକ୍ଷଣ ଯୁବ ଆଶାୟୀମାନଙ୍କ ଶାରୀରିକ ଦକ୍ଷତା, ସହନଶକ୍ତି ଓ ମନୋବଳ ବୃଦ୍ଧିରେ ସହାୟକ ସହିତ ଭାରତୀୟ ସେନା ବାହିନୀ ରେ ଯୋଗଦାନ ଦେବେ ବୋଲି ଆଶା ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ