ବ୍ରାଉନ୍ ସୁଗାର ଜବତ, ୨ ଗିରଫ

ନାଉଗାଁ  (ପ୍ରଦୋଷ ମହାନ୍ତି)  : ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ପୁଲିସ ଚଢ଼ଉ କରି ୧୦.୮୭ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ଏଥିସହ ଏକ ଟୟୋଟା ଗ୍ଲାଞ୍ଜା କାର୍ ଓ ୩ଟି ସ୍ମାର୍ଟଫୋନ୍ ଜବତ ହୋଇଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଗୋବିନ୍ଦପୁର ଗ୍ରାମର ଜାନି ସାହା (୨୫) ଓ ଅଜିଜୁଲ୍ଲା ସାହା (୨୪)। ପୁଲିସ ସୂଚନା ଅନୁଯାୟୀ, ଉଭୟ ଏକ ଧଳା ରଙ୍ଗର ଟୟୋଟା ଗ୍ଲାଞ୍ଜା କାର୍ (ନଂ. ଓଡି୧୭ୱାଇ-୮୬୫୭)ରେ ବ୍ରାଉନ୍ ସୁଗାର ନେଇ ନାଉଗାଁ ବଜାର ଓ ଏହାର ଆଖପାଖ ଅଞ୍ଚଳକୁ ଯାଉଥିଲେ। ଗୁପ୍ତ ସୂଚନା ଆଧାରରେ ଗତ ୬ ତାରିଖ ଅପରାହ୍ନରେ ନାଉଗାଁ ପୁଲିସ ଦେବୀଦୋଳ ରାସ୍ତାରେ ଯାଞ୍ଚ କରି ଉକ୍ତ କାର କୁ  ଅଟକାଇଥିଲା। ତଲାସୀ ବେଳେ କାର୍ ରୁ ୧୦.୮୭ ଗ୍ରାମ ବ୍ରାଉନ୍ ସୁଗାର ସହ ୩ଟି ସ୍ମାର୍ଟଫୋନ୍ ଜବତ କରାଯାଇଥିଲା। ଏ ସଂକ୍ରାନ୍ତରେ ନାଉଗାଁ ଥାନାରେ ମାମଲା ନଂ. ୨୨୮/୦୬.୧୦.୨୦୨୬ରେ ଏନଡିପିଏସ୍ ଆଇନର ଧାରା ୨୧(ବି)/୨୯(୧) ଅନୁଯାୟୀ ମାମଲା ରୁଜୁ ହୋଇଛି। ନାଉଗାଁ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ତଥା ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ତଲାସୀ ଓ ଜବତ ପ୍ରକ୍ରିୟା ସମ୍ପନ୍ନ କରାଯାଇଥିଲା। ପରେ ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଘଟଣାରେ ନିଶାଦ୍ରବ୍ୟ ଚାଲାଣ ସହ ଅନ୍ୟ କୌଣସି ବ୍ୟକ୍ତିଙ୍କ ସଂପୃକ୍ତି ରହିଛି କି ନାହିଁ, ସେନେଇ ତଦନ୍ତ ଜାରି ରହିଥିବା ନାଉଗାଁ ଥାନାଧିକାରୀ ଦେବାଶିଷ ପଣ୍ଡା କହିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ