ବ୍ରାଉନ୍ ସୁଗାର ଜବତ, ୨ ଗିରଫ
ନାଉଗାଁ (ପ୍ରଦୋଷ ମହାନ୍ତି) : ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ପୁଲିସ ଚଢ଼ଉ କରି ୧୦.୮୭ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ଏଥିସହ ଏକ ଟୟୋଟା ଗ୍ଲାଞ୍ଜା କାର୍ ଓ ୩ଟି ସ୍ମାର୍ଟଫୋନ୍ ଜବତ ହୋଇଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଗୋବିନ୍ଦପୁର ଗ୍ରାମର ଜାନି ସାହା (୨୫) ଓ ଅଜିଜୁଲ୍ଲା ସାହା (୨୪)। ପୁଲିସ ସୂଚନା ଅନୁଯାୟୀ, ଉଭୟ ଏକ ଧଳା ରଙ୍ଗର ଟୟୋଟା ଗ୍ଲାଞ୍ଜା କାର୍ (ନଂ. ଓଡି୧୭ୱାଇ-୮୬୫୭)ରେ ବ୍ରାଉନ୍ ସୁଗାର ନେଇ ନାଉଗାଁ ବଜାର ଓ ଏହାର ଆଖପାଖ ଅଞ୍ଚଳକୁ ଯାଉଥିଲେ। ଗୁପ୍ତ ସୂଚନା ଆଧାରରେ ଗତ ୬ ତାରିଖ ଅପରାହ୍ନରେ ନାଉଗାଁ ପୁଲିସ ଦେବୀଦୋଳ ରାସ୍ତାରେ ଯାଞ୍ଚ କରି ଉକ୍ତ କାର କୁ ଅଟକାଇଥିଲା। ତଲାସୀ ବେଳେ କାର୍ ରୁ ୧୦.୮୭ ଗ୍ରାମ ବ୍ରାଉନ୍ ସୁଗାର ସହ ୩ଟି ସ୍ମାର୍ଟଫୋନ୍ ଜବତ କରାଯାଇଥିଲା। ଏ ସଂକ୍ରାନ୍ତରେ ନାଉଗାଁ ଥାନାରେ ମାମଲା ନଂ. ୨୨୮/୦୬.୧୦.୨୦୨୬ରେ ଏନଡିପିଏସ୍ ଆଇନର ଧାରା ୨୧(ବି)/୨୯(୧) ଅନୁଯାୟୀ ମାମଲା ରୁଜୁ ହୋଇଛି। ନାଉଗାଁ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ତଥା ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ତଲାସୀ ଓ ଜବତ ପ୍ରକ୍ରିୟା ସମ୍ପନ୍ନ କରାଯାଇଥିଲା। ପରେ ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଘଟଣାରେ ନିଶାଦ୍ରବ୍ୟ ଚାଲାଣ ସହ ଅନ୍ୟ କୌଣସି ବ୍ୟକ୍ତିଙ୍କ ସଂପୃକ୍ତି ରହିଛି କି ନାହିଁ, ସେନେଇ ତଦନ୍ତ ଜାରି ରହିଥିବା ନାଉଗାଁ ଥାନାଧିକାରୀ ଦେବାଶିଷ ପଣ୍ଡା କହିଛନ୍ତି।


