ଓଡ଼ିଶା ବନ୍ଦରୁ ଦୂରେ ରହିବ କଟକ ମାଲଗୋଦାମ

କଟକ, (ଓ୍ବାଇଏନଏସ): କଂଗ୍ରେସ ନେତୃତ୍ୱାଧୀନ ‘ଇଣ୍ଡି’ ମେଣ୍ଟ ପକ୍ଷରୁ ଗୁରୁବାର ଦିଆଯାଇଥିବା ‘ଓଡ଼ିଶା ବନ୍ଦ’ ଡାକରେ ସାମିଲ ହେବ ନାହିଁ କଟକ ମାଲଗୋଦାମ ବ୍ୟବସାୟୀ ସଂଘ। ହଠାତ୍ ବନ୍ଦ ଡାକରେ ସାମିଲ ହୋଇ ବ୍ୟବସାୟିକ କାରବାର ବନ୍ଦ କରିବା ସଂଘ ପକ୍ଷରେ ସମ୍ଭବ ନୁହେଁ ବୋଲି ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଛାଟୋଇ ସ୍ପଷ୍ଟ କରିଛନ୍ତି। ସଂଘ ପକ୍ଷରୁ କୁହାଯାଇଛି ଯେ, କୌଣସି ରାଜନୈତିକ ଦଳ କିମ୍ବା ସଂଗଠନ ଓଡ଼ିଶା ବନ୍ଦ କିମ୍ବା ଭାରତ ବନ୍ଦ ଡାକରା ଦେଲେ, ମାଲଗୋଦାମ ବ୍ୟବସାୟୀ ସଂଘ ନିକଟରେ ପ୍ରଥମେ ଲିଖିତ ଭାବେ ଅନୁରୋଧ କରାଯାଇଥାଏ। ଏହା ପରେ ସଂଘ ଏବଂ ଏହା ସହ ଜଡ଼ିତ ବିଭିନ୍ନ ବ୍ୟବସାୟିକ ଓ ଶ୍ରମିକ ସଂଗଠନ ସହ ଆଲୋଚନା କରାଯାଇ ସାମୂହିକ ଭାବେ ନିଷ୍ପତ୍ତି ନିଆଯାଏ। ଚଳିତ ବନ୍ଦ ପାଇଁ ସେଭଳି ପ୍ରକ୍ରିୟା ହୋଇନଥିବାରୁ ସଂଘ ବନ୍ଦରେ ସାମିଲ ହେଉନାହିଁ। ମାଲଗୋଦାମ ବ୍ୟବସାୟୀ ସଂଘ ସହ କଟକ ଚାମ୍ବର ଅଫ୍ କମର୍ସ, ରାଇସ୍ ମର୍ଚାଣ୍ଟ ଆସୋସିଏସନ୍, ରିଟେଲ୍ ଡିଲର୍ସ ଆସୋସିଏସନ୍, ଲେବର ଆସୋସିଏସନ୍ ଏବଂ ଟ୍ରକ୍-ଲରୀ ଆସୋସିଏସନ୍ ସମେତ ଅନ୍ୟାନ୍ୟ ସଂଗଠନ ଜଡ଼ିତ ଅଛନ୍ତି। ଏସବୁ ସଂଗଠନର ପ୍ରତିନିଧିଙ୍କ ସହ ଆଲୋଚନା ପରେ ହିଁ ମାଲଗୋଦାମ ସମ୍ପର୍କିତ ବଡ଼ ନିଷ୍ପତ୍ତି ନିଆଯାଇଥାଏ। ପ୍ରଫୁଲ୍ଲ ଛାଟୋଇ କହିଛନ୍ତି ଯେ, ମାଲଗୋଦାମ କେବଳ ଏକ ସାଧାରଣ ବ୍ୟବସାୟିକ କେନ୍ଦ୍ର ନୁହେଁ। ଏଠାରୁ ଚାଉଳ, ଡାଲି, ଗହମ ଭଳି ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ନିୟମିତ ଭାବେ ଯୋଗାଣ ହୋଇଥାଏ। କଟକ ସମେତ ରାଜ୍ୟର ପ୍ରାୟ ୬ରୁ ୭ଟି ଜିଲ୍ଲାର ବ୍ୟବସାୟୀ ଓ ଗ୍ରାହକ ମାଲଗୋଦାମରୁ ହେଉଥିବା ଯୋଗାଣ ଉପରେ ନିର୍ଭରଶୀଳ। ତେଣୁ ହଠାତ୍ କାରବାର ବନ୍ଦ କରିଦେଲେ ଏହାର ସିଧାସଳଖ ପ୍ରଭାବ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଉପରେ ପଡ଼ିପାରେ। ଅନ୍ୟପକ୍ଷରେ, ଗଣତାନ୍ତ୍ରିକ ଅଧିକାର ଓ ଲୋକଙ୍କ ସ୍ୱାର୍ଥ ସୁରକ୍ଷା ସହ ବିଭିନ୍ନ ଦାବି ନେଇ ‘ଇଣ୍ଡି’ ମେଣ୍ଟ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଏସଆଇ ପ୍ରସଙ୍ଗ ସହ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ ସମ୍ପୂର୍ଣ୍ଣ ପ୍ରତ୍ୟାହାର, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ତୁରନ୍ତ ବରଖାସ୍ତ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ବନ୍ୟା ପ୍ରଭାବିତ ଲୋକଙ୍କୁ ତୁରନ୍ତ ରିଲିଫ୍ ଓ ପୁନର୍ବାସ ସହାୟତା ଯୋଗାଣ ଭଳି ଦାବି ନେଇ ମେଣ୍ଟ ଏହି ବନ୍ଦ ପାଳନ କରୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ