ପ୍ରଧାନଶିକ୍ଷକ ସୁନାରାମ ହାଁସଦାଙ୍କ ଅକାଳ ବିୟୋଗ
ହାଟଡିହି,(ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ଅଞ୍ଚଳର ପୁରୁଣାପାଣି ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁନାରାମ ହାଁସଦାଙ୍କର ମାତ୍ର ୪୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ଗତ କିଛିଦିନ ଧରି କିଡ୍ନୀ ରୋଗରେ ପୀଡ଼ିତ ଥିଲେ। ତାଙ୍କ ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳ ସହ ଶିକ୍ଷକ ମହଲରେ ଶୋକର ଛାୟା ଖେଳିଯାଇଛି। ସ୍ୱର୍ଗତ ହାଁସଦା ଜଣେ ସମୟାନୁବର୍ତ୍ତୀ, ଛାତ୍ରବତ୍ସଳ ଓ ଆଦର୍ଶ ଶିକ୍ଷକ ଭାବେ ଅଞ୍ଚଳରେ ବେଶ୍ ପରିଚିତ ଥିଲେ। ଶିକ୍ଷାଦାନ ପ୍ରତି ତାଙ୍କର ନିଷ୍ଠା, ଛାତ୍ରଛାତ୍ରୀଙ୍କ ପ୍ରତି ସ୍ନେହ ଓ ନିଜ କର୍ତ୍ତବ୍ୟ ପ୍ରତି ଦାୟିତ୍ୱବୋଧ ତାଙ୍କୁ ସମସ୍ତଙ୍କ ନିକଟରେ ପ୍ରିୟଭାଜନ କରିଥିଲା। ତାଙ୍କ ଅକାଳ ବିୟୋଗରେ ଶିକ୍ଷା ଜଗତ ଜଣେ ନିଷ୍ଠାପର ଶିକ୍ଷକଙ୍କୁ ହରାଇଥିବା ବେଳେ ଛାତ୍ରଛାତ୍ରୀମାନେ ମଧ୍ୟ ଜଣେ ସ୍ନେହଶୀଳ ଶିକ୍ଷକଙ୍କୁ ହରାଇଛନ୍ତି। ତାଙ୍କ ପରଲୋକ ଖବର ପାଇ ସିଆରସିସି ନିରଞ୍ଜନ ପଣ୍ଡାଙ୍କ ସମେତ ଶିକ୍ଷକ ନରେନ୍ଦ୍ର ହୋ, ଲକ୍ଷ୍ମଣ ମାଝୀ, ଦୁର୍ଗାଚରଣ ପୂର୍ତ୍ତି, ଗଣେଶ ଗଇପଇ, ପ୍ରଫୁଲ୍ଲ କୁମାର ସାହୁ, ସୁନାଲି ମାଝୀ ଓ ଦମୟନ୍ତୀ ମାରାଣ୍ଡି ପ୍ରମୁଖ ଶିକ୍ଷକ-ଶିକ୍ଷୟିତ୍ରୀ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ଏଥିସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାର ସଦ୍ଗତି କାମନା କରିଥିଲେ। ତାଙ୍କ ଅକାଳ ବିୟୋଗରେ ପରିବାରବର୍ଗ, ସହକର୍ମୀ, ଛାତ୍ରଛାତ୍ରୀ ଓ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି।


