୨୦୨୯ ସୁଦ୍ଧା ଓଡ଼ିଶାକୁ ଶିଶୁ ଶ୍ରମମୁକ୍ତ କରିବା ଲକ୍ଷ୍ୟ, କଟକରେ ଟାସ୍କ ଫୋର୍ସ ବୈଠକ

କଟକ, (ଓ୍ବାଇଏନଏସ): ଓଡ଼ିଶାର ସମସ୍ତ ଗ୍ରାମପଞ୍ଚାୟତକୁ ୨୦୨୯ ସୁଦ୍ଧା ଶିଶୁ ଶ୍ରମମୁକ୍ତ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୪୪ ଦିନିଆ ରାଜ୍ୟବ୍ୟାପୀ ସଚେତନତା ଅଭିଯାନ ଜାରି ରହିଛି। ଅକ୍ଟୋବର ୨ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନ ଅନ୍ତର୍ଗତ ଶିଶୁ ଶ୍ରମର କୁପରିଣାମ ସମ୍ପର୍କରେ ଜନସଚେତନତା ସୃଷ୍ଟି ସହ ଆଇନର କାର୍ଯ୍ୟକାରିତାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଅତିରିକ୍ତ ଜିଲ୍ଲାପାଳ କମଲଜିତ ଦାସଙ୍କ ଅଧ୍ୟକ୍ଷତାରେ ଶିଶୁ ଓ କିଶୋର ଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଆଇନ, ୧୯୮୬ ସମ୍ପର୍କିତ ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଶିଶୁ ଶ୍ରମମୁକ୍ତ ଓଡ଼ିଶା ଗଠନ ପାଇଁ ସମୂହ ଶପଥ ପାଠ କରାଯାଇଥିଲା। ଗ୍ରାମାଞ୍ଚଳରେ ଶିଶୁ ଶ୍ରମ ବିରୋଧରେ ବ୍ୟାପକ ସଚେତନତା ସୃଷ୍ଟି କରିବା ସହ ପ୍ରତ୍ୟେକ ଗ୍ରାମପଞ୍ଚାୟତକୁ ଶିଶୁ ଶ୍ରମମୁକ୍ତ କରିବା ଦିଗରେ ସମସ୍ତେ ନିଜ ନିଜ ସ୍ତରରେ ଦାୟିତ୍ୱବାନ ଭୂମିକା ନିର୍ବାହ କରିବା ଆବଶ୍ୟକ ବୋଲି ଶ୍ରୀ ଦାସ କହିଥିଲେ। ଶିଶୁମାନଙ୍କୁ ଶୋଷଣରୁ ମୁକ୍ତ ରଖିବା ସହ ସେମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତକୁ ଫେରାଇ ଆଣିବା ପାଇଁ ପ୍ରଶାସନର ବିଭିନ୍ନ ବିଭାଗ, ସ୍ଥାନୀୟ ସଂସ୍ଥା ଓ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକର ସମନ୍ୱିତ ପ୍ରୟାସ ଅପରିହାର୍ଯ୍ୟ ବୋଲି ସେ ମତ ଦେଇଥିଲେ। ବୈଠକରେ ଜିଲ୍ଲା ଶ୍ରମ ଅଧିକାରୀ ଅନନ୍ତ ପଦ୍ମନାଭ ମହାମାନସିଂହ, ପ୍ରଭାଗୀୟ ଶ୍ରମ ଆୟୁକ୍ତ ହରପ୍ରିୟା ନାୟକ, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ମାନସ ବିଶ୍ୱାଳ ଏବଂ ଭାରତୀୟ ମଜଦୁର ସଂଘର ଶ୍ରମିକ ନେତା ବସନ୍ତ କୁମାର ସାହୁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧିମାନେ ଯୋଗ ଦେଇଥିଲେ।ବୈଠକରେ ଶିଶୁ ଓ କିଶୋର ଶ୍ରମିକଙ୍କୁ ଚିହ୍ନଟ କରିବା, ସେମାନଙ୍କୁ ଉଦ୍ଧାର କରିବା, ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ଗ୍ରହଣ କରିବା ଏବଂ ଉଦ୍ଧାର ହୋଇଥିବା ଶିଶୁମାନଙ୍କୁ ଶିକ୍ଷା ଓ ସୁରକ୍ଷାର ସୁଯୋଗ ଯୋଗାଇଦେବା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଶିଶୁ ଶ୍ରମର ନିରାକରଣ କେବଳ ଆଇନ ପ୍ରଣୟନରେ ସୀମିତ ନରହି ସାମାଜିକ ଦାୟିତ୍ୱ ଓ ସମୂହ ସହଯୋଗ ମାଧ୍ୟମରେ ସଫଳ ହୋଇପାରିବ। ତେଣୁ ଶିଶୁମାନଙ୍କୁ ଶ୍ରମରୁ ଦୂରେଇ ରଖି ସେମାନଙ୍କ ପାଇଁ ଶିକ୍ଷା, ସୁରକ୍ଷା ଓ ସାମଗ୍ରିକ ବିକାଶର ଅନୁକୂଳ ପରିବେଶ ସୃଷ୍ଟି କରିବା ଏହି ଅଭିଯାନର ପ୍ରମୁଖ ଉଦ୍ଦେଶ୍ୟ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ