ଶୈଳଶ୍ରୀ ପ୍ୟାଲେସରେ ପାରମ୍ପରିକ ଲାଖବିନ୍ଧା ଉତ୍ସବ ପାଳିତ
ବଲାଙ୍ଗିର,(ଓ୍ବାଇଏନଏସ) : ବଲାଙ୍ଗୀର ସହରସ୍ଥିତ ଶୈଳଶ୍ରୀ ପ୍ୟାଲେସ ପରିସରରେ ପବିତ୍ର ବିଜୟା ଦଶମୀ ଅବସରରେ ପାରମ୍ପରିକ ଲାଖବିନ୍ଧା ଉତ୍ସବ ଆୟୋଜିତ ହୋଇଯାଇଛି। ପାଟଣା ରାଜ୍ୟ ଅମଳରୁ ପ୍ରଚଳିତ ଏହି ପାରମ୍ପରିକ ଉତ୍ସବ ଆଜି ମଧ୍ୟ ବଲାଙ୍ଗିରର ଐତିହ୍ୟ, ସଂସ୍କୃତି ଓ ଧାର୍ମିକ ପରମ୍ପରାର ଏକ ଅନନ୍ୟ ପରିଚୟ ହୋଇ ରହିଛି। ଶୈଳଶ୍ରୀ ପ୍ୟାଲେସରେ ମା’ ପାଟଣେଶ୍ୱରୀ, ମା’ ସମଲେଶ୍ୱରୀ, ମା’ ଦଶମତୀ ଓ ପାଟଖଣ୍ଡା ଦେବୀଙ୍କୁ ରାଜପରିବାରର କୁଳଦେବୀ ଭାବେ ପୂଜାର୍ଚ୍ଚନା କରାଯାଇଥାଏ। ଦଶହରା ଅବସରରେ ରାଜପରିବାର ପକ୍ଷରୁ ବିଭିନ୍ନ ଶୁଭକାର୍ଯ୍ୟର ଶୁଭାରମ୍ଭ କରିବାର ପରମ୍ପରା ମଧ୍ୟ ରହିଛି। ପୂର୍ବରୁ ବଲାଙ୍ଗିର ସହରର ସୁଦପଡ଼ା ଓ ତୁଳସୀନଗର ଅଞ୍ଚଳରେ ଲାଖବିନ୍ଧା ଉତ୍ସବ ଆୟୋଜିତ ହେଉଥିଲା। ଶୈଳଶ୍ରୀ ପ୍ୟାଲେସରୁ ଛତ୍ର, ବୈରଗ ଓ ପାରମ୍ପରିକ ପଟୁଆର ସହିତ ପାଟଖଣ୍ଡାଙ୍କୁ ନିଆଯାଇ ଏହି ଉତ୍ସବ ପାଳନ କରାଯାଉଥିଲା। କାଳକ୍ରମେ ଏହି ପରମ୍ପରାରେ ପରିବର୍ତ୍ତନ ଆସିଥିଲେ ମଧ୍ୟ ଶୈଳଶ୍ରୀ ପ୍ୟାଲେସରେ ଏହାକୁ ଜୀବନ୍ତ ରଖିବାର ପ୍ରୟାସ ଜାରି ରହିଛି। ଚଳିତ ବର୍ଷ ମଧ୍ୟ ପାଟଖଣ୍ଡାଙ୍କୁ ମନ୍ଦିରରୁ ବାହାର କରାଯାଇ ନୀଳକଣ୍ଠ ମହାଦେବ ମନ୍ଦିରକୁ ନିଆଯାଇଥିଲା। ସେଠାରେ ପୂଜାର୍ଚ୍ଚନା ପରେ ପାରମ୍ପରିକ ରୀତିନୀତି ଅନୁସାରେ ଲାଖବିନ୍ଧା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଏହି ଅବସରରେ ରାଜପୁରୋହିତ ଶ୍ରୀ ସନ୍ତୋଷ କୁମାର ଦାଶ ନଡ଼ିଆକୁ ଭେଦ କରି ଲାଖବିନ୍ଧା ପରମ୍ପରା ସମ୍ପନ୍ନ କରିଥିଲେ। ଏହି ଉତ୍ସବ କେବଳ ଏକ ଧାର୍ମିକ ଆୟୋଜନ ନୁହେଁ, ବରଂ ବଲାଙ୍ଗିରର ଗୌରବମୟ ଇତିହାସ, ରାଜକୀୟ ପରମ୍ପରା ଓ ଲୋକସଂସ୍କୃତିର ଏକ ଜୀବନ୍ତ ପ୍ରତୀକ। ଆଧୁନିକତାର ପ୍ରଭାବ ମଧ୍ୟରେ ଏପରି ପାରମ୍ପରିକ ଉତ୍ସବର ସଂରକ୍ଷଣ ଓ ପୁନରୁଦ୍ଧାର ଆଗାମୀ ପିଢ଼ିକୁ ନିଜ ଐତିହ୍ୟ ସହ ଯୋଡ଼ି ରଖିବାରେ ସହାୟକ ହେବ। ଏହି ଅବସରରେ ଦେବାଳୟ ଐତିହ୍ୟ ସୁରକ୍ଷା କମିଟିର ସଭାପତି ଶ୍ରୀ ଜୟକୃଷ୍ଣ ମିଶ୍ର, ସମ୍ପାଦକ ଶ୍ରୀ ପ୍ରଶାନ୍ତ ମହାକୁର, ରିଣ୍ଟୁ ସାହୁ, କୋଷାଧ୍ୟକ୍ଷ ଶ୍ରୀ ଭବାନୀ ଶଙ୍କର ଭୋଇ, ବିଶିଷ୍ଟ ଲେଖକ କବିରାଜ ଭୋଇ, ଜୟ କୁମାର ଆଚାର୍ଯ୍ୟଙ୍କ ସମେତ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହି ଏହି ପାରମ୍ପରିକ ଉତ୍ସବରେ ସାମିଲ ହୋଇଥିଲେ। ଲାଖବିନ୍ଧାର ଏହି ପରମ୍ପରା ବଲାଙ୍ଗିରର ଐତିହ୍ୟ ଓ ସାଂସ୍କୃତିକ ଅସ୍ମିତାର ଏକ ଅମୂଲ୍ୟ ସମ୍ପଦ। ଏହାର ସୁରକ୍ଷା ଓ ପ୍ରଚାରପ୍ରସାର ପାଇଁ ସାମୂହିକ ଉଦ୍ୟମ ଆବଶ୍ୟକ।


