ଇଂରାଜୀ ଗଳ୍ପ ରଚନାରେ ରାୟଗଡ଼ାର ମହିମା ଗନ୍ତାୟତଙ୍କ କୃତିତ୍ବ
ଗୁଣପୁର, (ୱାଇ ଏନ ଏସ): ରାୟଗଡ଼ାର ଯୁବ ଲେଖିକା ମହିମା ଗନ୍ତାୟତ ଜାତୀୟସ୍ତରୀୟ ପ୍ରଫିସିଏଣ୍ଟ ଆୱାର୍ଡସ୍ ୨୦୨୫ ରେ ଇଂରାଜୀ ଗଳ୍ପ ରଚନା କରି ପ୍ରଥମ ସ୍ଥାନ ହାସଲ କରିଛନ୍ତି। ମହାରାଷ୍ଟ୍ରର ଥାଣେସ୍ଥିତ “ପୋଏଟିକ ଏସେନ୍ସ ପବ୍ଲିକେସନ୍’ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଛାତ୍ର ଜୀବନରୁ ହିଁ ସାହିତ୍ୟ ପ୍ରତି ଗଭୀର ଅନୁରାଗ ଓ ପ୍ରତିଭାର ପରିଚୟ ଦେଇ ଆସିଥିବା ମହିମା ବର୍ତ୍ତମାନ ରାୟଗଡ଼ା ମହିଳା ମହାବିଦ୍ୟାଳୟରେ ଇଂରାଜୀ ସ୍ନାତକ ସମ୍ମାନର ପ୍ରଥମ ବର୍ଷର ଛାତ୍ରୀ । ଉଭୟ ଇଂରାଜୀ ଓ ହିନ୍ଦୀ ସାହିତ୍ୟରେ ସୃଜନଶୀଳ ରଚନା କ୍ଷେତ୍ରରେ ସାଫଲ୍ୟ ସହିତ ବକ୍ତୃତା, କବିତା ଆବୃତ୍ତ ଓ ମଞ୍ଚ ସଂଚାଳନ ଆଦି ବିବିଧ କ୍ଷେତ୍ରରେ ମଧ୍ୟ ସେ ନିଜର ପ୍ରତିଭା ପ୍ରଦର୍ଶନ କରି ପୁରସ୍କୃତ ହୋଇଛନ୍ତି। ନିକଟରେ ପ୍ରକାଶିତ ତାଙ୍କର ପ୍ରଥମ ହିନ୍ଦୀ କବିତା ସଂକଳନ ଅନକହୀ ବାମେଁ’ ପାଠକଙ୍କ ଆଦୃତି ଲାଭ କରିଥିଲା। ଲେଖିକା ମହିମା ହେଉଛନ୍ତି ଜଣାଶୁଣା ସ୍ତମ୍ଭକାର ତଥା ବିଶିଷ୍ଟ ସାହିତ୍ୟିକ ସତ୍ୟନାରାୟଣ ଗନ୍ତାୟତ ଏବଂ ରୀନା ଗନ୍ତାୟତଙ୍କ ଝିଅ।ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ସାହିତ୍ୟକ ଶୁଭେଚ୍ଛା ଜଣାଇଛନ୍ତି ।


