କାର୍ତ୍ତିକ ମାସ ସୋମବାର ଓ ପୂର୍ଣିମା ସୁପରିଚାଳନା ପାଇଁ ପ୍ରସ୍ତୁତି ବୈଠକ

ବୁଗୁଡ଼ା,(ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ପଞ୍ଚ ଶମ୍ଭୁ ପୀଠ ତଥା ପର୍ଯ୍ୟଟନ କ୍ଷେତ୍ର ବୁଦ୍ଧଖୋଲରେ ଚଳିତ ବର୍ଷ କାର୍ତ୍ତିକ ମାସର ପ୍ରତି ସୋମବାର ଓ କାର୍ତ୍ତିକ ପୂର୍ଣିମା ଦିନ ପଞ୍ଚ ଶମ୍ଭୁଙ୍କ ଦର୍ଶନ ପାଇ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଥିବା ବେଳେ ସମସ୍ତ କାର୍ଯ୍ୟ ସୁପରିଚାଳନା ପାଇଁ ବୁଦ୍ଧଖୋଲ ଉନ୍ନୟନ ସମିତିର ଏକ ପ୍ରସ୍ତୁତି ବୈଠକ ୨୨/୧୦/୨୬ ତାରିଖ ଅପରାହ୍ନ ୪ ଘଣ୍ଟା ସମୟରେ ବୁଦ୍ଧଖୋଲ ପାଦଦେଶରେ ଥିବା ଓଟିଡିସିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରସ୍ତୁତି ବୈଠକରେ ବୁଦ୍ଧଖୋଲ ଉନ୍ନୟନ ସମିତିର ସ୍ଥାୟୀ ସଭାପତି ତଥା ପୋଲସରା ନିର୍ବାଚନ ମଣ୍ଡଳି ବିଧାୟକ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଅଧ୍ୟକ୍ଷତା କରିଥିଲେ। ସମିତିର ସାଧାରଣ ସମ୍ପାଦକ ଗଙ୍ଗାଧର ବିଶୋଇ ବୈଠକର ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ସମସ୍ତଙ୍କୁ ସ୍ଵାଗତ, ଅତିଥି ପରିଚୟ ଓ ଆସନ ଅଳଙ୍କୃତ ପାଇ ନିମନ୍ତ୍ରଣ କରିଥିଲେ। କାର୍ତ୍ତିକ ମାସର ଏହି ପାର୍ବଣ ଦିବସରେ ପାନୀୟଜଳ ଯୋଗାଣ, ରାସ୍ତା ସଫା, ମନ୍ଦିର ଚତୁର୍ଦ୍ଦିଗ ସଫା, ଟ୍ରାଫିକ ନିୟନ୍ତ୍ରଣ  ଯାନବାହାନ ଚଳାଚଳ ନିୟନ୍ତ୍ରଣ, ଶ୍ରଦ୍ଧାଳୁଙ୍କ ଧାଡ଼ି ଦର୍ଶନ, ପାର୍କିଂ ବ୍ୟବସ୍ଥା, ଶ୍ରଦ୍ଧାଳୁଙ୍କ ସୁରକ୍ଷା ବ୍ୟବସ୍ଥା, ଅଧିକା ଚାରି ଗୋଟି ସିସି କ୍ୟାମେରା ସଂଯୋଗ, ଶୃଙ୍ଖଳା ଓ ଆନୁସାଙ୍ଗୀକ କାର୍ଯ୍ୟ ଉପରେ ବୈଠକରେ ଆଲୋଚନା ହୋଇଥିଲା। ମାନ୍ୟବର ମନ୍ତ୍ରୀ ଶ୍ରୀ ମଲ୍ଲିକ ସମସ୍ତ କାର୍ଯ୍ୟ ସମ୍ପାଦନ ନିମନ୍ତେ  ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ପଞ୍ଚ ମହାଦେବ ପୀଠରେ ସୋମବାର ଓ ପୂର୍ଣ୍ଣମୀ ଦିନ ଶାନ୍ତି ଶୃଙ୍ଖଳା ଉପରେ ଗୁରୁତ୍ବ ଦେଇଥିଲେ l ଏଥି ସହିତ ବୁଦ୍ଧଖୋଲ ଉନ୍ନୟନ ସମିତି ଟ୍ରଷ୍ଟ ନବିକରଣ ୨୦/୧୧/୨୬ ତାରିଖ ମଧ୍ୟରେ କରିବା ପାଇଁ  ଟ୍ରଷ୍ଟ କର୍ମକର୍ତ୍ତା ଏବଂ ବୁଗୁଡ଼ା ବିଡିଓ ଦୁତିକୃଷ୍ଣ ପାତ୍ର ଓ ତହସଲଦାର ତାପସ ରାଉତଙ୍କୁ ପରାମର୍ଶ ଦିଆଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବୈଠକରେ ବନାଞ୍ଚଳ ଅଧିକାରୀ ମାନସ କୁମାର ସାହୁ, ସମିତିର କାର୍ଯ୍ୟକାରୀ ସଭାପତି ଟି ସଂଜୀବ କୁମାର ପାତ୍ର, ଉପ ସଭାପତି ଗଙ୍ଗାଧର ନାୟକ, ସମ୍ପାଦକ ହରିକୃଷ୍ଣ ସାହୁ, ସହ ସମ୍ପାଦକ କେଦାରନାଥ ମହାରଣା, କୋଷାଧ୍ଯକ୍ଷ କୃଷ୍ଣ ଚନ୍ଦ୍ର ମହାପାତ୍ର, ଉପଦେଷ୍ଟା ଗୌର ଚରଣ ପ୍ରଧାନ, ଇଂ ବସନ୍ତ କୁମାର ଦଳେଇ, ପାନୀୟ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ଇଂ ପ୍ରଦୀପ କୁମାର ତ୍ରିପାଠୀ, ଟିପିଏସଓଡିଏଲ୍ ସହକାରୀ ଯନ୍ତ୍ରୀ ପୃଥିବୀରାଜ ଦାସ, ପୁଲିସ ବିଭାଗ ପ୍ରତିନିଧି, ଅଗ୍ନିଶମ ବିଭାଗ ପ୍ରତିନିଧି, ସ୍ୱାସ୍ଥ୍ୟ ବିଭାଗ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରାଯାଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ