ରାସ୍ତାରେ ବେଆଇନ ପାର୍କିଂ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ

ଧାମନଗର (ଓ୍ବାଇଏନଏସ): ଧାମନଗରରେ ଜବରଦଖଲ ଓ  ପାର୍କିଂ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ଟ୍ରାଫିକ୍ ଯନ୍ତ୍ରଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏନ ଏ ସି ଅନ୍ତର୍ଗତ ବାସନ୍ତୀ ଦୁର୍ଗା ମଣ୍ଡପଠାରୁ ବଡ଼ବଜାର,ଥାନା ଛକ,ହାଟଦେଇ ମେଡିକାଲ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ଉଠାଦୋକାନ ଓ ରାସ୍ତା ଉପରେ ଗାଡ଼ି ପାକିଂ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହେଉଛି। ବିଶେଷକରି ସନ୍ଧ୍ୟା ସମୟରେ ଟ୍ରାଫିକ୍ ଜାମ୍ ଯୋଗୁଁ ଲୋକେ ହଇରାଣ ହେଉଛନ୍ତି। ଫାଷ୍ଟଫୁଡ୍ ଓ ଅନ୍ୟ ଖାଦ୍ୟ ଦୋକାନ ନିକଟରେ ଗାଡ଼ି ରଖି ଖାଦ୍ୟ ଖାଉଥିବାରୁ ରାସ୍ତା ସଂକୁଚିତ ହୋଇପଡ଼ଛି। ଫଳରେ ଭଦ୍ରକରୁ ଷେଣ୍ଢପୁର ଯାତାୟାତ କରୁଥିବା ବସ୍,ଟ୍ରକ୍ ସମେତ ଅନ୍ୟ ଯାନବାହନ ଜାମ୍‌ରେ ଫସ ରହୁଛନ୍ତି। ରବିବାର ଓ ବୁଧବାର ହାଟବାରି ହୋଇଥିବାରୁ ଦିନରୁ ସନ୍ଧ୍ୟା ପର୍ଯ୍ୟନ୍ତ ବଜାରରେ ଭିଡ଼ ଲାଗି ରହୁଛି। ଏଥିଯୋଗୁଁ ପଥଚାରୀଙ୍କ ଯାତାୟାତ ମଧ୍ଯ କଷ୍ଟକର ହେଉଛି। ପୂର୍ବରୁ ତକାଳୀନ ତହସିଲଦାର ରମେଶ ଜେନାଙ୍କ ଉଦ୍ୟମରେ ବଜାରରେ ମାପଚୁପ କରାଯାଇ ଜବରଦଖଲ ଉଚ୍ଛେଦ ହୋଇଥିଲା। ଏଥିସହ (ଆର ଆଣ୍ଡ ବି)ବିଭାଗ ପକ୍ଷରୁ ରାସ୍ତାର ସୀମା ନିର୍ଦ୍ଧାରଣ କରାଯାଇ କଂକ୍ରିଟ ପିଲର ପୋତାଯାଇଥିଲା। ମାତ୍ର କିଛି ବର୍ଷ ମଧ୍ଯରେ ପିଲରଗୁଡ଼ିକ ଭାଙ୍ଗିଯିବା ପରେ ପୁନର୍ବାର ଜବରଦଖଲ ବଢ଼ିବାରେ ଲାଗିଛି। କେତେକ ସ୍ଥାନରେ ଘର ଓ ଦୋକାନ ନିର୍ମାଣ ହୋଇଥିବା ବେଳେ ଅନ୍ୟ କେତେକ ସ୍ଥାନରେ ନିର୍ମାଣ କାର୍ଯ୍ୟ ଚାଲିଥିବା ଅଭିଯୋଗ ହେଉଛି। ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଜବରଦଖଲ ନିୟନ୍ତ୍ରଣ,ଉଠାଦୋକାନ ସ୍ଥାନାନ୍ତର ଓ ବେଆଇନ ନିର୍ମାଣ ଉଚ୍ଛେଦ ଦିଗରେ ପଦକ୍ଷେପ ନିଆଯିବା ଆବଶ୍ୟକ। ମାଷ୍ଟର ପ୍ଲାନ୍ ନଥିବା ଏବଂ ରାସ୍ତା ଉପରେ ପାକିଂ ନିୟନ୍ତ୍ରଣ ହେଉନଥିବା ଯୋଗୁଁ ରାସ୍ତା ଜାମ ହେବାରୁ ଆମ୍ବୁଲାନ୍ସ ଯାତାୟାତ ସହିତ ବିଭିନ୍ନ ସମସ୍ୟା ଓ ଉତ୍ତେଜନା ସୃଷ୍ଟି ହେଉଛି। ସରକାରଙ୍କ ନିୟମକୁ ଉଲଘଂନ କରି ସରକାରୀ ଜମି ଅଧିଗ୍ରହଣ କରି ସେଠାରେ ନିର୍ମାଣ ଗୃହକୁ ଭାଙ୍ଗିବା ପାଇଁ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପରେ ମଧ୍ୟ ପ୍ରଶାସନ ପକ୍ଷରୁ କୈଣସି ପଦକ୍ଷେପ ନିଆଯାଉ ନାହିଁ। ତେବେ  ଧାମନଗର ରେ ସରକାରୀ ଜମି ଜବରଦଖଲ ଉଛେଦ ସହ ଟ୍ରାଫିକ୍ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ନୂତନ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ମହୋଦୟ ଉକ୍ତ ସମସ୍ୟା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଯଥାଶୀଘ୍ର ତଦନ୍ତ କରି ଆଇନଗତ ପଦକ୍ଷେପ ନେବାକୁ ଧାମନଗର ତହସିଲଦାର ଜ୍ଞାନରଞ୍ଜନ ସାହୁ,ଏନଏସି ର ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଦେବବ୍ରତ ମହାପାତ୍ରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ସାଧାରଣ ଜନତା ଓ ବୁଦ୍ଧିଜୀବୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ