କେନ୍ଦ୍ରାପଡା ଗଜଲକ୍ଷ୍ମୀ ପୂଜାରେ ସ୍ୱଛତାର ଆହ୍ୱାନ: ଝାଡୁ ଧରିଲେ ଜିଲ୍ଲାପାଳ ଓ ପୈାରାଧ୍ୟକ୍ଷା
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାକୁ ସ୍ୱଚ୍ଛ, ସୁନ୍ଦର ତଥା ପ୍ଲାଷ୍ଟିକ୍ ମୁକ୍ତ ରଖିବା ପାଇଁ ଆଗେଇ ଆସିଛି ଜିଲ୍ଲା ପ୍ରଶାସନ ଓ ପୌରପାଳିକା। କଥାରେ ନୁହେଁ, ବରଂ କାର୍ଯ୍ୟରେ ଉଦାହରଣ ସୃଷ୍ଟି କରି ନିଜେ ରାସ୍ତାରେ ଝାଡୁ ଧରି ସଫେଇ ଅଭିଯାନ ଆରମ୍ଭ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟର। ତାଙ୍କ ସହିତ କେନ୍ଦ୍ରାପଡ଼ା ପୌରପାଳିକାର ଅଧ୍ୟକ୍ଷା ସରିତା ସାହୁ ମଧ୍ୟ ହାତରେ ଝାଡୁ ଧରି ରାସ୍ତା ଝାଡୁ କରିବା ସହ ସହରବାସୀଙ୍କୁ ପରିମଳ ଓ ପରିବେଶ ସୁରକ୍ଷାର ଏକ ଦୃଢ଼ ବାର୍ତ୍ତା ଦେଇଛନ୍ତି। ଆଜି ପ୍ରତ୍ୟୁଷରେ ସହରର ଗରାପୁର ଭିଆଇପି ରୋଡ୍ ପରିସରରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଧାରଣ ଲୋକଙ୍କ ଭଳି ଉଭୟ ଜିଲ୍ଲାପାଳ ଓ ପୌରାଧ୍ୟକ୍ଷା ରାସ୍ତାରେ ପଡ଼ିଥିବା ଆବର୍ଜନା ସଫା କରିବା ସହ ଏଭଳି କରିବା ପାଇଁ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଥିଲେ। କେବଳ ସଫେଇ ନୁହେଁ, ରାସ୍ତା କଡ଼ରେ ହୋଇଥିବା ବେଆଇନ ଜବରଦଖଲ ଉଚ୍ଛେଦ ମଧ୍ୟ ଏହି ଅବସରରେ କରାଯାଇଛି, ଯାହାଫଳରେ ଆଗାମୀ ପାର୍ବଣ ଋତୁରେ ଟ୍ରାଫିକ୍ ନିୟନ୍ତ୍ରଣ ଓ ଯାତାୟାତ ସୁବିଧାଜନକ ହୋଇପାରିବ। ପୂଜା ସମୟରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ସମାଗମ ହେଉଥିବାରୁ ସହରକୁ ପରିଷ୍କାର ରଖିବା ଏକ ବଡ଼ ଆହ୍ୱାନ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଶ୍ରୀ ଆୟର ନିଜେ ସ୍ଥାନୀୟ ବାସିନ୍ଦା, ଦୋକାନୀ ଓ ବ୍ୟବସାୟୀମାନଙ୍କ ସହିତ ଆଲୋଚନା କରିଥିଲେ। ସେ ସମସ୍ତଙ୍କୁ ବ୍ୟକ୍ତିଗତ ଭାବେ ବୁଝାଇ କହିଥିଲେ ଯେ କୌଣସି ପରିସ୍ଥିତିରେ ବି ପଲିଥିନ୍ କିମ୍ବା ଥରକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ବ୍ୟବହାର କରନ୍ତୁ ନାହିଁ। ଦୋକାନ କିମ୍ବା ଘରୁ ବାହାରୁଥିବା କୁଢ଼ କୁଢ଼ ଅଳିଆକୁ ଖୋଲା ରାସ୍ତା ଉପରକୁ ନ ଫିଙ୍ଗି ଡଷ୍ଟବିନରେ ରଖିବାକୁ ଏବଂ ଉଚିତ ଆବର୍ଜନା ପରିଚାଳନା ପଦ୍ଧତି ଆପଣାଇବାକୁ ପରାମର୍ଶ ଦେଇଥିଲେ। ଗଜଲକ୍ଷ୍ମୀ ପୂଜାକୁ ଶାନ୍ତିପୂର୍ଣ୍ଣ ଓ ସଫଳ କରିବା ପାଇଁ ପ୍ରଶାସନ ସବୁ ପ୍ରକାର ପଦକ୍ଷେପ ନେଉଛି। କିନ୍ତୁ ଜନସାଧାରଣ ଓ ବ୍ୟବସାୟୀଙ୍କ ସକ୍ରିୟ ସହଯୋଗ ବିନା କୌଣସି ପଦକ୍ଷେପ ସମ୍ପୂର୍ଣ୍ଣ ହୋଇପାରିବ ନାହିଁ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ସହରର ଗୌରବ ବଜାୟ ରଖିବା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ବୋଲି ସେ ମନେ ପକାଇ ଦେଇଥିଲେ। ଅନ୍ୟପକ୍ଷରେ ପୌରାଧ୍ୟକ୍ଷା ସରିତା ସାହୁ କହିଛନ୍ତି ଯେ, ସ୍ୱଚ୍ଛତା କେବଳ ଏକଦିନିଆ କାର୍ଯ୍ୟକ୍ରମ ନୁହେଁ, ଏହା ଏକ ଅଭ୍ୟାସ ହେବା ଦରକାର। ଗଜଲକ୍ଷ୍ମୀ ପୂଜା ସମୟରେ କେନ୍ଦ୍ରାପଡ଼ାକୁ ଆସୁଥିବା ଅତିଥି ଓ ଶ୍ରଦ୍ଧାଳୁମାନଙ୍କ ସମ୍ମୁଖରେ ସହରର ଏକ ସୁନ୍ଦର, ସ୍ୱଚ୍ଛ ଓ ସବୁଜ ଛବି ଉପସ୍ଥାପନ କରିବା ଆମ ସମସ୍ତଙ୍କ ଲକ୍ଷ୍ୟ ହେବା ଉଚିତ। ଏହି ସାମୂହିକ ସଫେଇ ଅଭିଯାନରେ କେନ୍ଦ୍ରାପଡ଼ା ପୈାରସଂସ୍ଥାର ବିଭିନ୍ନ ୱାର୍ଡର କାଉନ୍ସିଲର ପ୍ରଦୀପ ଜେନା, ସ୍ୱାଧୀନ ନାୟକ, ପୌର କର୍ମଚାରୀ, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ପରିମଳ କର୍ମଚାରୀ ତଥା ସ୍ଥାନୀୟ ସ୍ୱେଚ୍ଛାସେବୀମାନେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ। ପ୍ରଶାସନର ମୁଖ୍ୟଙ୍କ ଏଭଳି ପଦକ୍ଷେପ ସ୍ଥାନୀୟ ବାସିନ୍ଦାଙ୍କ ମନରେ ନୂଆ ଉତ୍ସାହ ସୃଷ୍ଟି କରିଛି ଏବଂ ସହରର ବିଭିନ୍ନ ମହଲରେ ଏହାକୁ ଭୂୟସୀ ପ୍ରଶଂସା କରାଯାଉଛି।


