ଗହମ ବିକ୍ରିକରିି ଝାଡଖଣ୍ଡରୁ ଚମ୍ପଟ ମାରିଥିଲା ଅଭିଯୁକ୍ତ, କେନ୍ଦ୍ରାପଡାରେ ପହଞ୍ଚିଲା ରାଞ୍ଚି ପୋଲିସ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଝାଡ଼ଖଣ୍ଡରେ ଗହମ ବୋଝେଇ ଏକ ଟ୍ରକ୍ ଖାଲି କରି ବଜାରରେ ବିକ୍ରି କରିବା ପରେ ଫେରାର୍ ହୋଇଯାଇଥିବା ଜଣେ ଅଭିଯୁକ୍ତଙ୍କୁ ଖୋଜି ଖୋଜି ଶେଷରେ କେନ୍ଦ୍ରାପଡ଼ାରେ ପହଞ୍ଚିଛି ଝାଡ଼ଖଣ୍ଡ ପୋଲିସ। ଅଭିଯୁକ୍ତଙ୍କ ଘର ସମ୍ମୁଖରେ ରାଞ୍ଚିି କୋର୍ଟର ୱାରେଣ୍ଟ ଲଗାଇବା ସହ ଆସନ୍ତା ୧୫ ଦିନ ମଧ୍ୟରେ ଅଦାଲତରେ ହାଜର ହେବା ପାଇଁ ସମୟ ଦେଇଛି ପୋଲିସ। ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ସେ ହାଜର ନହୁଅନ୍ତି, ତେବେ ତାଙ୍କ ଘରବାଡ଼ି ବାଜ୍ୟାପ୍ତି କରାଯିବ ବୋଲି ପୋଲିସ ନେତାବନୀ ଦେଇଛି। ଘଟଣାରୁ ପ୍ରକାଶ ଯେ ଗତ ଜୁଲାଇ ମାସରେ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରୁ ଏକ ଟ୍ରକରେ ବିପୁଳ ପରିମାଣର ଗହମ ବୋଝେଇ ହୋଇ ନିର୍ଦ୍ଦିଷ୍ଟ ଗନ୍ତବ୍ୟ ସ୍ଥଳକୁ ଯାଉଥିଲା। ତେବେ ଗନ୍ତବ୍ୟ ସ୍ଥଳରେ ଗହମ ନପହଞ୍ଚାଇ ମଝି ବାଟରେ ପୁରା ଟ୍ରକ୍ ଗହମକୁ ବିକ୍ରି କରିଦିଆଯାଇଥିଲା। ଏହି ଚୋରି ପଛରେ କେନ୍ଦ୍ରାପଡ଼ା ଜିଲ୍ଲାର ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗ୍ରାମର ଧନଞ୍ଜୟ ପାତ୍ର ନାମକ ବ୍ୟକ୍ତି ସମ୍ପୃକ୍ତ ଥିବା ତଦନ୍ତରୁ ଜଣାପଡ଼ିଥିଲା। ଗହମ ବିକ୍ରି କରି ଲକ୍ଷାଧିକ ଟଙ୍କା ହଡ଼ପ କରିବା ପରେ ଧନଞ୍ଜୟ ଘଟଣାସ୍ଥଳରୁ ଚମ୍ପଟ ମାରି ନିଜ ଗାଁକୁ ପଳାଇ ଆସିଥିଲେ। ଗହମ ମାଲିକଙ୍କ ଅଭିଯୋଗ ଆଧାରରେ ରାଞ୍ଚି ସ୍ଥିତ ସ୍ଥାନୀୟ ଥାନାରେ ଚୋରି ମାମଲା ରୁଜୁ ହୋଇଥିଲା। ଘଟଣାର ତଦନ୍ତ ପରେ ରାଞ୍ଚି କୋର୍ଟଙ୍କ ପକ୍ଷରୁ ଅଭିଯୁକ୍ତ ଧନଞ୍ଜୟଙ୍କ ନାମରେ ନୋଟିସ ଜାରି କରାଯାଇଥିଲା। ତେବେ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ୍ୱ ସେ ହାଜର ନହେବାରୁ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଝାଡ଼ଖଣ୍ଡ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ କେନ୍ଦ୍ରାପଡ଼ା ଅଭିମୁଖେ ବାହାରିଥିଲା। ଆଜି ଝାଡ଼ଖଣ୍ଡ ରାଞ୍ଚି ପୋଲିସର ଏକ ତଦନ୍ତକାରୀ ଦଳ ନିକିରାଇ ଥାନା ଅଞ୍ଚଳର ପାଳକଣା ଗ୍ରାମରେ ପହଞ୍ଚିଥିଲେ। ସ୍ଥାନୀୟ ପ୍ରଶାସନ ଓ ପୋଲିସ ସହାୟତାରେ ଅଭିଯୁକ୍ତ ଧନଞ୍ଜୟ ପାତ୍ରଙ୍କ ଘର ଚାରିପାଖ ଯାଞ୍ଚ କରିବା ସହ ଘର କାନ୍ଥ ଏବଂ କବାଟ ଆଗରେ ରାଞ୍ଚି କୋର୍ଟର ନୋଟିସ ଲଗାଇଥିଲେ। ଏ ସମ୍ପର୍କରେ ତଦନ୍ତକାରୀ ଦଳର ମୁଖ୍ୟ ରାଞ୍ଚିି ପୋଲିସ ଅଧିକାରୀ ବସନ୍ତ ରାମ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଗତ ଜୁଲାଇ ମାସରେ ରାଞ୍ଚିରୁ ଏକ ଟ୍ରକ୍ ଗହମ ଚୋରି କରି ବେଆଇନ ଭାବେ ବିକ୍ରି କରିବା ଘଟଣାରେ ଧନଞ୍ଜୟ ପାତ୍ର ମୁଖ୍ୟ ଅଭିଯୁକ୍ତ। ତାଙ୍କ ନାମରେ ଠକେଇ ମାମଲା ରହିଛି। ଆଜି ତାଙ୍କ ଘରେ ନୋଟିସ ଲଗାଯାଇଛି। ଆସନ୍ତା ୧୫ ଦିନ ମଧ୍ୟରେ ରାଞ୍ଚି କୋର୍ଟରେ ହାଜର ହେବା ପାଇଁ ମହଲତ ଦିଆଯାଇଛି। ଯଦି ନିର୍ଦ୍ଧାରିତ ସମୟ ସୀମା ଭିତରେ ସେ ଅଦାଲତରେ ଆତ୍ମସମର୍ପଣ ନକରନ୍ତି ତେବେ ଆଇନ ଅନୁଯାୟୀ ତାଙ୍କ ସଂପତ୍ତି ବାଜ୍ୟାପ୍ତି କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


