ଆଧାର କାର୍ଡ ଅଭାବରୁ ପେନସନ ଓ ରାସନ କାର୍ଡରୁ ବଞ୍ଚିତ ୭୧ ବର୍ଷୀୟା ବୃଦ୍ଧା
ମାଲକାନଗିରି, (ମନୋଜ କୁମାର ସାହା): ମାଲକାନାଗିରି ଜିଲ୍ଲା ଖଇରପୁଟ ବ୍ଲକ ଆଧାର କାର୍ଡ ନଥିବାରୁ ଜଣେ ୭୧ ବର୍ଷୀୟା ବୃଦ୍ଧା ସରକାରୀ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ନାଲିଗୁଡା ଗାଁର ଲକ୍ଷ୍ମୀ ନାଲି, ସ୍ୱାମୀ ହରିସଚନ୍ଦ୍ର ନାଲିଙ୍କ ଆଧାର କାର୍ଡ ନଥିବାରୁ ସେ ପେନସନ ଓ ରାସନ କାର୍ଡ ଭଳି ଅତ୍ୟାବଶ୍ୟକ ସରକାରୀ ସୁବିଧାରୁ ବଞ୍ଚିତ ରହିଥିବା ଜଣାପଡ଼ିଛି। ବୃଦ୍ଧାବସ୍ଥାରେ ସରକାରୀ ସହାୟତାର ଆବଶ୍ୟକତା ଥିବା ସତ୍ତ୍ୱେ ଜଣେ ବୃଦ୍ଧା ଆଧାର କାର୍ଡ ଅଭାବରୁ ମୌଳିକ ସରକାରୀ ସୁବିଧା ପାଇପାରୁ ନଥିବାରୁ ସେ ଚିନ୍ତା ପ୍ରକାଶ କରିଛନ୍ତି। ଏଭଳି କ୍ଷେତ୍ରରେ ସମ୍ପୃକ୍ତ ବୃଦ୍ଧାଙ୍କ ସମସ୍ୟାକୁ ଗୁରୁତ୍ୱର ସହ ବିଚାର କରି ତାଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବା ଦିଗରେ ପ୍ରଶାସନର ପଦକ୍ଷେପ ଜରୁରୀ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।ଏହି ସମସ୍ୟାକୁ ଲୋକଲୋଚନକୁ ଆଣିବା ସହ ଗ୍ରାମାଞ୍ଚଳର ବିଭିନ୍ନ ଜନସମସ୍ୟାର ସମାଧାନ ପାଇଁ ଶ୍ରମଜୀବୀ ସଂଗଠନର କାର୍ଯ୍ୟକର୍ତ୍ତା ଶୁକ୍ରା ଗୁରୁତେଲି ପ୍ରୟାସ ଜାରି ରଖିବା ସହ ବିଭିନ୍ନ ଅଧିକାରୀଙ୍କୁ ଅବଗତ କରାଇଛନ୍ତି। ଏବେ ନାଲିଗୁଡା ଗାଁର ଏହି ବୃଦ୍ଧାଙ୍କ ସମସ୍ୟାର ସମାଧାନ କରି ତାଙ୍କୁ ଆଧାର କାର୍ଡ ପ୍ରାପ୍ତି ପାଇଁ ଆବଶ୍ୟକ ସହଯୋଗ ଏବଂ ନିୟମାନୁଯାୟୀ ପେନସନ ଓ ରାସନ କାର୍ଡର ସୁବିଧା ଯୋଗାଇଦେବାକୁ ସମ୍ପୃକ୍ତ ପ୍ରଶାସନ ନିକଟରେ ଦାବି ହୋଇଛି। ତେବେ ଏନେଇ ସ୍ଥାନୀୟ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମହିଳାଙ୍କ ଆଧାର କାର୍ଡ କରାଇ ପେନସନ ପ୍ରଦାନ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି।


