ଚର୍ଚ୍ଚିତ କବିରାଜ ହତ୍ୟାକାଣ୍ଡର ପର୍ଦ୍ଦାଫାଶ

ରାଇରଙ୍ଗପୁର,(ୱାଇଏନଏସ): ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଖେଜୁରୀ ଜଙ୍ଗଲରେ ଚାଞ୍ଚଲ୍ୟକର କବିରାଜ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ। ପୂର୍ବ ଶତ୍ରୁତା ଓ ଗ୍ରାମୀଣ ବିବାଦକୁ କେନ୍ଦ୍ର କରି ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ପୋଲିସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି। ଏହି ମାମଲାରେ ତାଣ୍ଡିପାଣି ଗାଁ ର ହତ୍ୟାକାରୀ ଜେନା ନାଏକଙ୍କୁ ଗିରଫ କରିଛି ପୋଲିସ। ସୂଚନା ଅନୁସାରେ ଗତ ୨୫ତାରିଖ ବିଶୋଇ ହାଟରୁ ଚେରମୁଳୀ ଔଷଧ ବିକ୍ରି କରି ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ଟାଣ୍ଡିପାଣି ଗ୍ରାମର କବିରାଜ ରାମେଶ୍ୱର ପିଙ୍ଗୁଆଙ୍କୁ ଅତି ନୃଶଂସ ଭାବେ ହାଣି ହତ୍ୟା କରାଯାଇଥିଲା। ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତେବେ ଟାଣ୍ଡିପାଣି ଗାଁର ଜେନା ନାଏକ ନାମକ ବ୍ୟକ୍ତି ଏହି ହତ୍ୟାକାଣ୍ଡ ଘଟାଇଥିବା ତଦନ୍ତରୁ ସୂଚନା ପାଇଛି ପୋଲିସ। ଅଭିଯୁକ୍ତ ଜେନା ନାଏକ ନାଁରେ ପୂର୍ବରୁ ଚୋରି ମାମଲା ରହିଥିବାବେଳେ ସେ ଜେଲ ସଜା ମଧ୍ୟ କାଟିଛି। ମୃତକ ରାମେଶ୍ୱର ପିଙ୍ଗୁଆ ଗାଁର ମୁଖିଆ ବା ମାଝୀ ବାବା ଥିବାରୁ, ତାଙ୍କରି ପଦକ୍ଷେପ ଯୋଗୁଁ ହିଁ ଜେନାକୁ ଜେଲ ଯିବାକୁ ପଡ଼ିଥିଲା ବୋଲି ସେ ମନରେ ଆକ୍ରୋଶ ରଖିଥିଲା। ତେଣୁ ତାଙ୍କୁ ରାସ୍ତାରୁ ସବୁଦିନ ପାଇଁ ହଟାଇଦେବାକୁ ଯୋଜନା କରି ମାଝୀବାବା ରାମେଶ୍ୱର ପିଙ୍ଗୁଆଙ୍କୁ ଏକ କଟୁରୀରେ ହାଣି ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଛି ଜେନା ନାଏକ। ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏସପି ସୁରେଶ ଚନ୍ଦ୍ର ପାତ୍ର, ସାମ୍ବାଦିକ ସମ୍ମିଳନୀରେ ଏସପିଙ୍କ ସହିତ ରାଇରଙ୍ଗପୁର ଏସଡିପିଓ ବୀରେନ୍ଦ୍ର ସେନାପତି , ଗୋରୁମହିଷାଣୀ ଥାନାଧିକାରୀ ଜଗନ୍ନାଥ ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ