ଚୋରାମଦ ଜବତ: ୬ ଗିରଫ
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ପାର୍ବଣ ଋତୁକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲାରେ ଚୋରାମଦ କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ମିଳିତ ଭାବେ ବ୍ୟାପକ ଚଢ଼ାଉ କରାଯାଇଛି। ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା ଟାଉନ ଓ ମାର୍ଶାଘାଇ ଥାନା ଅଧିନ ବିଭିନ୍ନ ସ୍ଥାନରେ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ କରଞ୍ଜିଆ ଗ୍ରାମର ଅମୀରଞ୍ଜନ ଲେଙ୍କା(୩୮)ଙ୍କ ନିକଟରୁ ୩୫ ଲିଟର ଚୋରା ଦେଶୀ ମଦ, କାନପୁର ଗ୍ରାମର ସଞ୍ଜୟ କୁମାର ପରିଡ଼ା(୪୭)ଙ୍କ ନିକଟରୁ ୨୯ ଲିଟର ଚୋରା ବିଦେଶୀ ମଦ, କଜଳା ଗ୍ରାମର କୁନି ଦାସ(୬୦)ଙ୍କ ନିକଟରୁ ୨୭ ଲିଟର ଚୋରା ବିଦେଶୀ ମଦ, ନିମପୁର ଗ୍ରାମର ସୂର୍ଯ୍ୟନାରାୟଣ ରାଉତ(୩୫)ଙ୍କ ନିକଟରୁ ୧୮ ଲିଟର ଚୋରା ବିଦେଶୀ ମଦ ସହ ଗୋଟିଏ ମୋଟରସାଇକେଲ ଏବଂ ତେଲଙ୍ଗାବସନ୍ତ ଗ୍ରାମର ତ୍ରିଲୋଚନ ସାହୁ(୪୭)ଙ୍କ ନିକଟରୁ ୧୬ ଲିଟର ଚୋରା ବିଦେଶୀ ମଦ ଜବତ କରାଯାଇଥିଲା। ସେହିପରି ବଳଗଣ୍ଡୀ ଗ୍ରାମର କଳ୍ପନା ସାହୁ(୪୨)ଙ୍କ ନିକଟରୁ ୨୫ ଲିଟର ଚୋରା ବିଦେଶୀ ମଦ ଜବତ ହୋଇଛି। ଏହି ଚଢ଼ାଉରେ ମୋଟ ୧୫୦ ଲିଟର ଚୋରା ମଦ ସହ ଗୋଟିଏ ମୋଟରସାଇକେଲ ଜବତ କରାଯାଇଛି। ଘଟଣା ସମ୍ପର୍କରେ ବିଭିନ୍ନ ଅବକାରୀ ମାମଲା ରୁଜୁ କରାଯାଇଥିବା ବେଳେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଉପନିରୀକ୍ଷକ ରଞ୍ଜନ କୁମାର ପାତ୍ର, ପ୍ରିୟଦର୍ଶୀ ମାନସରଞ୍ଜନ ମିଶ୍ର, ଦୀପକ କୁମାର ଜେନାଙ୍କ ସମେତ ଅବକାରୀ ବିଭାଗର ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ।


