ଅଙ୍ଗନବାଡ଼ି କେନ୍ଦ୍ରରୁ ପାଣି ମଟର ଓ ଗ୍ୟାସ ସିଲିଣ୍ଡର ଚୋରି
ନାଉଗାଁ, (ପ୍ରଦୋଷ ମହାନ୍ତି) :ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଜାମୁଗାଁ ପଞ୍ଚାୟତର ଧମିଲାପାରି ଗ୍ରାମସ୍ଥିତ ଜାମୁଗାଁ ଅଙ୍ଗନବାଡ଼ି କେନ୍ଦ୍ର-୩ରୁ ପାଣି ମଟର ଓ ଗ୍ୟାସ ସିଲିଣ୍ଡର ଚୋରି ହୋଇଥିବା ନେଇ ନାଉଗାଁ ଥାନାରେ ଗୁରୁବାର ଅଭିଯୋଗ ହୋଇଛି। ଅଞ୍ଚଳରେ ବାରମ୍ବାର ପାଣି ମଟର ଚୋରି ଘଟଣା ଘଟୁଥିବାରୁ ଏହାକୁ ନେଇ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ଚଳିତ ମାସ ୨୩ ତାରିଖ ଶୁକ୍ରବାର ବିଳମ୍ବିତ ରାତିରେ ବିଦ୍ୟୁତ୍ ସରବରାହ ବନ୍ଦ ଥିବା ସମୟରେ କେହି ଦୁର୍ବୃତ୍ତ ଏହାର ସୁଯୋଗ ନେଇ ଧମିଲାପାରି ଗ୍ରାମସ୍ଥିତ ଜାମୁଗାଁ ଅଙ୍ଗନବାଡ଼ି କେନ୍ଦ୍ର-୩ ରୁ ଗୋଟିଏ ପାଣି ମଟର ଓ ଇଣ୍ଡିଆନ ଗ୍ୟାସ ସିଲିଣ୍ଡର ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ଏନେଇ କେନ୍ଦ୍ରର ସହାୟିକା ଶୁଚିସ୍ମିତା ମହାପାତ୍ର ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ଜୁନ୍ ମାସରେ ଅଲଣା ପଞ୍ଚାୟତର ମଧୁପୁର ଅଙ୍ଗନବାଡ଼ି କେନ୍ଦ୍ରର ତାଲା କାଟି ପାଣି ମଟର ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ସେହି ମାସରେ ମଧୁପୁର ୟୁପି ସ୍କୁଲରୁ ମଧ୍ୟ ପାଣି ମଟର ଚୋରି ହୋଇଥିଲା । ଏହାଛଡ଼ା କିଛି ମାସ ପୂର୍ବେ ମୁଣ୍ଡାଳ ଗ୍ରାମରୁ ଦୁଇଟି ପାଣି ମଟର ଚୋରି ହୋଇଥିବା ଜଣାପଡ଼ିଛି। କ୍ରମାଗତ ଭାବେ ଏଭଳି ଚୋରି ଘଟଣା ଘଟୁଥିବାରୁ ଏହା ପଛରେ ଏକ ବଡ଼ ରାକେଟ୍ର ସମ୍ପୃକ୍ତି ଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଛି। ତେବେ ଏହାର ସତ୍ୟତା ତଦନ୍ତସାପେକ୍ଷ। ଏଭଳି ଘଟଣା ରୋକିବା ପାଇଁ ନାଉଗାଁ ପୋଲିସ ରାତ୍ରିକାଳୀନ ପାଟ୍ରୋଲିଂକୁ ଜୋରଦାର କରିବା ସହ ନିଶା କାରବାର ଉପରେ କଡ଼ା ନଜର ରଖିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।


