ଶ୍ରୀହନୁମାନଜୀଉଙ୍କ ପୂଜା ଅନୁଷ୍ଠିତ
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ଜିଲ୍ଲାର ଅନ୍ୟତମ ପ୍ରମୁଖ ଧାର୍ମିକ ପରମ୍ପରା ତଥା ଉତ୍ସାହର ପ୍ରତୀକ ସାଜିଥିବା ନେମ୍ବରା(କୁହୁଡି)ସ୍ଥିତ ‘ଟେନସନ ପୂଜା କମିଟି’ ଆନୁକୂଲ୍ୟରେ ମହାଆଡ଼ମ୍ବର ଓ ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ମାରୁତିନନ୍ଦନ ଶ୍ରୀହନୁମାନଜୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି। ଧନଦାତ୍ରୀ ମା’ ଲକ୍ଷ୍ମୀଙ୍କ ପବିତ୍ର ପୂଜା ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାରମ୍ପରିକ ରୀତିନୀତି, ବୈଦିକ ମନ୍ତ୍ରୋଚ୍ଚାରଣ ଏବଂ ନିଷ୍ଠାର ସହ ଏହି ପୂଜାର୍ଚ୍ଚନା ସମ୍ପନ୍ନ ହୋଇଛି। ପ୍ରକାଶ ଥାଉକି, ଏହି ପୂଜା ଦୀର୍ଘ ୩୦ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଅନୁଷ୍ଠିତ ହୋଇଆସୁଛି। ଏହି ତିନି ଦଶନ୍ଧି ଧରି ଅଞ୍ଚଳରେ ଧାର୍ମିକ ସଦ୍ଭାବନା, ଭ୍ରାତୃଭାବ ଏବଂ ଏକତାର ବାର୍ତ୍ତା ବାଣ୍ଟିବାରେ ଏହି ପୂଜା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଶ୍ରୀହନୁମାନଜୀଙ୍କ ଆରାଧନା ସହ ପ୍ରତିବର୍ଷ ଏଠାରେ ଆୟୋଜିତ ହେଉଥିବା ଭବ୍ୟ ମେଳଣ ଅଞ୍ଚଳବାସୀଙ୍କ ପାଇଁ ଏକ ମୁଖ୍ୟ ଆକର୍ଷଣ ପାଲଟିଛି। ରାସ୍ତାଘାଟ ଆଲୋକମାଳାରେ ସଜ୍ଜିତ ହେବା ସହ ମେଳଣ ପଡ଼ିଆରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି। ପୂଜା ଉପଲକ୍ଷେ ସକାଳୁ ଘଟସ୍ଥାପନ, ସୂର୍ଯ୍ୟପୂଜା, ଗୋପୂଜା ଏବଂ ଶ୍ରୀହନୁମାନଙ୍କ ମହାସ୍ନାନ ପରେ ଯଥାବିଧି ହୋମଯଜ୍ଞ ଓ ସନ୍ଧ୍ୟା ଆଳତି ଅନୁଷ୍ଠିତ ହୋଇଥିଲା। ସଙ୍କଟମୋଚନଙ୍କ ଦର୍ଶନ ନିମନ୍ତେ ଆଖପାଖ ଅଞ୍ଚଳରୁ ବହୁସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା। ‘ଜୟ ଶ୍ରୀରାମ’ ଓ ‘ଜୟ ବଜରଙ୍ଗବାଲୀ’ ଧ୍ୱନିରେ ସମଗ୍ର ପରିବେଶ ଆଧ୍ୟାତ୍ମିକମୟ ହୋଇଉଠିଥିଲା। ଭକ୍ତମାନଙ୍କ ମଧ୍ୟରେ ପ୍ରସାଦ ସେବନର ସୁବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଏହି ବିରାଟ ଆୟୋଜନକୁ ସଫଳ କରିବାରେ ସ୍ଥାନୀୟ ଅଞ୍ଚଳର ଉଦୀୟମାନ ତଥା ଉତ୍ସାହୀ ଯୁବକମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଯୁବନେତୃତ୍ୱ ପ୍ରଶାନ୍ତ କୁମାର ମଲ୍ଲିକ ଓ ଗଗନବିହାରୀ ମଲ୍ଲିକଙ୍କ ତତ୍ତ୍ୱାବଧାନରେ କାଳିଆ ସ୍ୱାଇଁ, ଦିପୁନୀ, ବାପୁନୀ, ତନୁଜ, କାଳିଆ, ପାପୁନୀ, ସୌମ୍ୟ, ନଳିନୀ, ପ୍ରଶାନ୍ତ, ବାବନ, ଧନଞ୍ଜୟ, ଲିପୁ ଏବଂ ବୁଧିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ମଣ୍ଡପ ସାଜସଜ୍ଜାଠାରୁ ଆରମ୍ଭ କରି ଶାନ୍ତିଶୃଙ୍ଖଳା ରକ୍ଷା ଏବଂ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱକୁ କମିଟିର ସଦସ୍ୟମାନେ ସୁଚାରୁ ରୂପେ ତୁଲାଇଥିଲେ। ଦୀର୍ଘ ୩୦ ବର୍ଷର ଗୌରବମୟ ଯାତ୍ରାକୁ ମନେ ପକାଇ ସ୍ଥାନୀୟ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀମାନେ ଯୁବପିଢ଼ିଙ୍କ ଏତାଦୃଶ ଧର୍ମନିଷ୍ଠ ଓ ଏକତାବଦ୍ଧ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଛନ୍ତି। ଆଗାମୀ ଦିନରେ ଏହି ପରମ୍ପରାକୁ ଅଧିକ ବ୍ୟାପକ ତଥା ଭବ୍ୟ ରୂପେ ପାଳନ କରିବା ପାଇଁ କମିଟି ପକ୍ଷରୁ ସଂକଳ୍ପ ନିଆଯାଇଛି। ସମସ୍ତ କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଥିବା ଜଣାପଡ଼ି


