ନଭେମ୍ବର ୨ରୁ, ୧୦ ଯାଏଁ ଚାଲିବ ବାଲିଯାତ୍ରା ପ୍ଲଟ୍ ନିଲାମ ପ୍ରକ୍ରିୟା

କଟକ, (ଓ୍ବାଇଏନଏସ): ଐତିହାସିକ କଟକ ବାଲିଯାତ୍ରା ପାଇଁ ପ୍ଲଟ୍ ପଞ୍ଜୀକରଣ ଅବଧିକୁ ଆଉ ଗୋଟିଏ ଦିନ ବୃଦ୍ଧି କରିଛି ପ୍ରଶାସନ। ଆସନ୍ତା ୩୧ ଅକ୍ଟୋବର ପର୍ଯ୍ୟନ୍ତ ବ୍ୟବସାୟୀମାନେ ପ୍ଲଟ୍ ପାଇଁ ପଞ୍ଜୀକରଣ କରିପାରିବେ। ଏହା ପରେ ନଭେମ୍ବର ୨ ତାରିଖରୁ ଆରମ୍ଭ ହେବ ପ୍ଲଟ୍ ନିଲାମ ପ୍ରକ୍ରିୟା। ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ନଅ ଦିନ ଧରି ଏହି ନିଲାମ ଚାଲିବ। ପ୍ରଶାସନିକ ସୂଚନା ଅନୁଯାୟୀ, ଚଳିତ ବର୍ଷ ବିଭିନ୍ନ ପ୍ଲଟ୍ ପାଇଁ ଏକାଧିକ ଆବେଦନ ହୋଇଥିବାରୁ ପ୍ରାୟ ୩୦୦ରୁ ୪୦୦ଟି ପ୍ଲଟ୍ ନିଲାମ ପ୍ରକ୍ରିୟାରେ ସାମିଲ ହେବାର ସମ୍ଭାବନା ରହିଛି। ନିଲାମକୁ ସ୍ୱଚ୍ଛ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରାୟ ୭ଟି ଟିମ୍ ଗଠନ କରାଯାଇଛି।
ନଭେମ୍ବର ୨ରୁ ପ୍ରତିଦିନ ସକାଳ ୧୦ଟାରୁ ନିଲାମ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ଅପରାହ୍ନ ୨ଟାରୁ ୩ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ବିରତି ରଖାଯାଇଛି। ନିଲାମରେ ଭାଗ ନେବା ପାଇଁ ପଞ୍ଜୀକରଣ କରିଥିବା ବ୍ୟକ୍ତି ଯଦି ନିଲାମ ପ୍ରକ୍ରିୟାରେ ଅନୁପସ୍ଥିତ ରହନ୍ତି, ତେବେ ସେମାନଙ୍କ ଦାଖଲ କରିଥିବା ପଞ୍ଜୀକରଣ ଫି’ ଫେରସ୍ତ କରାଯିବ ନାହିଁ।
ପ୍ଲଟ୍ ପଞ୍ଜୀକରଣ ପାଇଁ ବେସ୍ ପ୍ରାଇସ୍ ୬୦ରୁ ୬୫ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି। ନିଲାମ ସମୟରେ ସମସ୍ତ ବିଡରଙ୍କ ଉପସ୍ଥିତି ବାଧ୍ୟତାମୂଳକ ରହିବ। କୌଣସି ବିଡର ନିର୍ଦ୍ଧାରିତ ସମୟରେ ଉପସ୍ଥିତ ନହେଲେ, ତାଙ୍କ ପାଇଁ ସର୍ବାଧିକ ଦୁଇ ଘଣ୍ଟା ଅପେକ୍ଷା କରାଯିବ। ଚଳିତ ବର୍ଷ ବାଲିଯାତ୍ରାର ପ୍ଲଟ୍ ନିଲାମ ପ୍ରକ୍ରିୟାକୁ ସୁରୁଖୁରୁ, ନିରପେକ୍ଷ ଓ ସ୍ୱଚ୍ଛତାର ସହ ସମ୍ପନ୍ନ କରିବାକୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଛି ବୋଲି ଅତିରିକ୍ତ ଜିଲ୍ଲାପାଳ କମଲଜିତ ଦାସ ସୂଚନା ଦେଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ