ଭତ୍ତା ହଡ଼ପ ଘଟଣାକୁ ନେଇ ଗୋଷ୍ଠୀ ସଂଘର୍ଷ, ୨ ଆହତ

ହାଟଡିହି,(ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ଶାଳଣିଆଁ ବଜାରରେ ରବିବାର ରାତିରେ ଡଅଁର ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଦୁଇଜଣ ଆହତ ହୋଇଛନ୍ତି। ଆହତ ଦୁଇଜଣ ହେଲେ ଅଜୟ ଦାସ (୩୯) ଏବଂ ଡଅଁର ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ମଣିଚରଣ ଜେନା (୫୩)। ଉଭୟଙ୍କୁ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପଞ୍ଚାୟତରେ ଭତ୍ତା ବଣ୍ଟନକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ବିବାଦ ଏହି ସଂଘର୍ଷର ମୁଖ୍ୟ କାରଣ ବୋଲି ଜଣାପଡ଼ିଛି। ରବିବାର ରାତିରେ ଅଜୟ ଦାସ ଶାଳଣିଆଁ ବଜାରକୁ ଆସିଥିବା ବେଳେ ମଣିଚରଣ ଜେନାଙ୍କ ସହ ମୁହାଁମୁହିଁ ହୋଇଥିଲେ। ଏହାକୁ ନେଇ ପ୍ରଥମେ ଯୁକ୍ତିତର୍କ ଓ ପରେ ହାତାହାତି ହୋଇଥିବା ଜଣାପଡ଼ିଛି। ସଂଘର୍ଷ ପରେ ଡଅଁର ଗ୍ରାମରେ ଉତ୍ତେଜନା ଲାଗି ରହିଥିବାରୁ ଖବର ପାଇ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା। ଉଭୟ ପକ୍ଷ ପୁଲିସର ଦ୍ୱାରସ୍ଥ ହୋଇଥିବା ବେଳେ ଲିଖିତ ଅଭିଯୋଗ ମିଳିବା ପରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଡଅଁର ପଞ୍ଚାୟତରେ ୪୦ରୁ ଊର୍ଦ୍ଧ୍ୱ ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଉଠାଯାଇଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ଗ୍ରାମରେ କିଛିଦିନ ଧରି ଅସନ୍ତୋଷ ଓ ଉତ୍ତେଜନା ଲାଗି ରହିଥିବା ବେଳେ ରବିବାର ରାତିରେ ତାହା ସଂଘର୍ଷର ରୂପ ନେଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ