ପ୍ଲାଷ୍ଟିକ୍ ମୁକ୍ତ ହେବ ଚଳିତ ବର୍ଷର ବାଲିଯାତ୍ରା
କଟକ, (ଓ୍ବାଇଏନଏସ): ଚଳିତ ବର୍ଷ କଟକର ଐତିହାସିକ ବାଲିଯାତ୍ରାକୁ ପରିବେଶ ଅନୁକୂଳ କରିବା ସହ ପ୍ଲାଷ୍ଟିକ୍ ମୁକ୍ତ ମହୋତ୍ସବ ଭାବେ ଆୟୋଜନ କରିବାକୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଆସନ୍ତା ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଆଠ ଦିନ ଧରି ଏହି ଐତିହାସିକ ମହାମେଳା ଆୟୋଜିତ ହେବ। ଏଥର ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ, ଶୃଙ୍ଖଳିତ ଓ ଆନ୍ତର୍ଜାତିକ ସ୍ତରରେ ପରିଚିତ କରିବା ସହ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ବାଲିଯାତ୍ରାର ସଫଳ ଆୟୋଜନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ କୋଟି ଟଙ୍କାର ଅନୁଦାନ ପ୍ରସ୍ତାବ ରହିଛି।ଅନ୍ୟପକ୍ଷରେ ଓରମାସ୍ ପକ୍ଷରୁ ୫୦୦ଟି ଷ୍ଟଲ୍ ମାଧ୍ୟମରେ ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ, ହସ୍ତଶିଳ୍ପ ଓ ବିଭିନ୍ନ କାରିଗରୀ ସାମଗ୍ରୀ ପ୍ରଦର୍ଶନ କରାଯିବ। ଏହାଦ୍ୱାରା ରାଜ୍ୟର କାରିଗର ଓ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ନିଜ ଉତ୍ପାଦର ବଜାର ସୃଷ୍ଟି କରିବା ସହ ନିଜର କଳା ଓ କୌଶଳ ପ୍ରଦର୍ଶନ ପାଇଁ ଏକ ବଡ଼ ମଞ୍ଚ ମିଳିବ।ଚଳିତ ବର୍ଷର ବାଲିଯାତ୍ରାର ଅନ୍ୟତମ ଆକର୍ଷଣ ହେବ ଓଡ଼ିଶା ଓ ବାଲି ଦ୍ୱୀପ ମଧ୍ୟରେ ରହିଥିବା ପ୍ରାଚୀନ ଐତିହାସିକ ଓ ସାଂସ୍କୃତିକ ସମ୍ପର୍କ। ଏଥିପାଇଁ ବାଲି ଦେଶରୁ ଏକ ପ୍ରତିନିଧି ମଣ୍ଡଳୀ ଯୋଗଦେବାର ଯୋଜନା ରହିଛି। କଟକ-ଇନ୍-କଟକ ପାଭିଲିୟନରେ ଏହି ଐତିହାସିକ ସମ୍ପର୍କକୁ ଆଧାର କରି ସ୍ୱତନ୍ତ୍ର ପ୍ରଦର୍ଶନୀ ଓ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିସହ ଦର୍ଶକଙ୍କ ପାଇଁ ଏକ ସ୍ୱତନ୍ତ୍ର ଡିଜିଟାଲ୍ ଇନ୍ଫର୍ମେସନ୍ ୱାଲ୍ର ବ୍ୟବସ୍ଥା ରହିବ। ଏହା ମାଧ୍ୟମରେ ବାଲି ଓ ପ୍ରାଚୀନ କଳିଙ୍ଗ ମଧ୍ୟରେ ଥିବା ସମ୍ପର୍କ, ନୌବାଣିଜ୍ୟ, ଐତିହ୍ୟ ଓ ସାଂସ୍କୃତିକ ପରମ୍ପରା ସମ୍ପର୍କରେ ଦର୍ଶକମାନେ ବିଭିନ୍ନ ତଥ୍ୟ ଜାଣିବାର ସୁଯୋଗ ପାଇବେ।ବାଲିଯାତ୍ରାକୁ ଏକ ଆନ୍ତର୍ଜାତିକ ସାଂସ୍କୃତିକ ମଞ୍ଚରେ ପରିଣତ କରିବା ସହ ପରିବେଶ ସୁରକ୍ଷାକୁ ଏହାର ମୁଖ୍ୟ ଆଧାର କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ପ୍ଲାଷ୍ଟିକ୍ ବ୍ୟବହାର ହ୍ରାସ, ପରିମଳ ବ୍ୟବସ୍ଥାର ସୁଦୃଢ଼ୀକରଣ ଓ ପରିବେଶ ଅନୁକୂଳ ଆୟୋଜନ ମାଧ୍ୟମରେ ଏଥରର ମହୋତ୍ସବକୁ ଏକ ନୂଆ ପରିଚୟ ଦେବାକୁ ଯୋଜନା କରାଯାଇଛି। ଏ ସମ୍ପର୍କରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବାଲିଯାତ୍ରାର ସୁପରିଚାଳନା, ବିଭିନ୍ନ ବିଭାଗର ଦାୟିତ୍ୱ, ଆର୍ଥିକ ବ୍ୟବସ୍ଥା, ଷ୍ଟଲ୍ ପରିଚାଳନା ଓ ସାଂସ୍କୃତିକ ଆୟୋଜନ ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଛି। ସାମଗ୍ରିକ ଭାବେ ଚଳିତ ବର୍ଷର ବାଲିଯାତ୍ରା କେବଳ ଏକ ବାଣିଜ୍ୟିକ ଓ ମନୋରଞ୍ଜନ ମେଳା ମଧ୍ୟରେ ସୀମିତ ନ ରହି ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ଇତିହାସ, ପାରମ୍ପରିକ କଳା ଓ ଆନ୍ତର୍ଜାତିକ ସାଂସ୍କୃତିକ ସମ୍ପର୍କର ଏକ ଜୀବନ୍ତ ପ୍ରତିଛବି ଭାବେ ଉଭା ହେବାକୁ ଯାଉଛି।


