ବାତ୍ୟା ‘ଅର୍ଣ୍ଣବ’ ପରେ ଓସିଏସ ମେନ୍ ପରୀକ୍ଷା ପରିଚାଳନା ନେଇ ହାଇକୋର୍ଟଙ୍କ ଜବାବ ତଲବ

କଟକ, (ଓ୍ବାଇଏନଏସ): ବାତ୍ୟା ‘ଅର୍ଣ୍ଣବ’ ପରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ୍ (ଓସିଏସ) ମୁଖ୍ୟ ପରୀକ୍ଷାକୁ ନେଇ ଏବେ ଆଇନଗତ ବିବାଦ ଦେଖାଦେଇଛି। ବାତ୍ୟା ଓ ତତ୍‌ଜନିତ ଆକସ୍ମିକ ବନ୍ୟା ଏବଂ ଭୂସ୍ଖଳନରେ ପ୍ରଭାବିତ ଅଞ୍ଚଳରେ କିଭଳି ପରୀକ୍ଷା ପରିଚାଳନା କରାଯାଇଥିଲା, ସେ ସମ୍ପର୍କରେ ରାଜ୍ୟ ସରକାର ଓ ଓପିଏସସି ଙ୍କୁ ଜବାବ ତଲବ କରିଛନ୍ତି ହାଇକୋର୍ଟ। ଆସନ୍ତା ଶୁକ୍ରବାର ସୁଦ୍ଧା ସତ୍ୟପାଠ ଜରିଆରେ ସମ୍ପୂର୍ଣ୍ଣ ତଥ୍ୟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳ ବିଶେଷ ଭାବେ ପ୍ରଭାବିତ ହୋଇଥିଲା। ବିଶେଷକରି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହେବା ସହ ଅନେକ ସ୍ଥାନରେ ଯୋଗାଯୋଗ ବ୍ୟବସ୍ଥା ବିଚ୍ଛିନ୍ନ ହୋଇଥିଲା। ଏଭଳି ପରିସ୍ଥିତିରେ ପରୀକ୍ଷାର୍ଥୀମାନେ କିପରି ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ ଏବଂ ପରୀକ୍ଷା ସୁରୁଖୁରୁରେ ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ କେଉଁ ସବୁ ବ୍ୟବସ୍ଥା କରାଯାଇଥିଲା, ତାହାକୁ ନେଇ ପ୍ରଶ୍ନ ଉଠିଛି। ଏହି ପ୍ରସଙ୍ଗକୁ ନେଇ ଦାଖଲ ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଉଭୟ ପକ୍ଷଙ୍କଠାରୁ ତଥ୍ୟ ମାଗିଛନ୍ତି। ବିଶେଷକରି ବନ୍ୟା ଓ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳର ପରୀକ୍ଷାର୍ଥୀଙ୍କ ଯାତାୟାତ ପାଇଁ କି ପ୍ରକାର ବ୍ୟବସ୍ଥା କରାଯାଇଥିଲା, ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ପାଇଁ କି ପଦକ୍ଷେପ ନିଆଯାଇଥିଲା ଏବଂ କେତେଜଣ ପରୀକ୍ଷାର୍ଥୀ ପରୀକ୍ଷାରୁ ବଞ୍ଚିତ ହୋଇଥିଲେ, ସେ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ଦେବାକୁ ଆବେଦନକାରୀ ଦାବି କରିଛନ୍ତି।ଉଲ୍ଲେଖଯୋଗ୍ୟ, ବାତ୍ୟା ‘ଅର୍ଣ୍ଣବ’ ପରେ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ଅନେକ ଆଶାୟୀ ସାମାଜିକ ଗଣମାଧ୍ୟମରେ ଦାବି କରିଥିଲେ। ତେବେ ସେହି ଦାବିକୁ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇନଥିଲା। ପରୀକ୍ଷା ସ୍ଥଗିତ ହେଲେ ପୁନର୍ବାର ଆୟୋଜନ କରିବା ପାଇଁ ପ୍ରାୟ ଛଅ ମାସ ସମୟ ଲାଗିପାରେ ବୋଲି କୁହାଯାଇଥିଲା। ଏହାସହ ପ୍ରଭାବିତ ଅଞ୍ଚଳର ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବାର ଦାୟିତ୍ୱ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ଉପରେ ନ୍ୟସ୍ତ କରାଯାଇଥିଲା। ଏବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଓପିଏସସି ଓ ରାଜ୍ୟ ସରକାରଙ୍କ ସତ୍ୟପାଠ ଉପରେ ସମସ୍ତଙ୍କ ନଜର ରହିଛି। ପ୍ରଭାବିତ ଅଞ୍ଚଳରେ ପରୀକ୍ଷା ପରିଚାଳନାର ବାସ୍ତବ ସ୍ଥିତି, ପ୍ରଶାସନିକ ପଦକ୍ଷେପ ଏବଂ ପରୀକ୍ଷାର୍ଥୀଙ୍କ ଉପସ୍ଥାନ ସମ୍ପର୍କରେ ସରକାରଙ୍କ ଜବାବରୁ ସ୍ଥିତି ସ୍ପଷ୍ଟ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ