ଆନ୍ତଃ ମନ୍ତ୍ରଣାଳୟ କେନ୍ଦ୍ରୀୟ ଦଳର ଆସିକା ଗସ୍ତ : ପ୍ରଳୟଙ୍କରୀ ବନ୍ୟାଜନିତ କ୍ଷୟକ୍ଷତିର ଆକଳନ

ଆସିକା (ୱାଇଏନ୍‍ଏସ୍‍) ବାତ୍ୟା ଅର୍ଣ୍ଣବର ପ୍ରଭାବରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ଆସିକା ଅଞ୍ଚଳରେ ହୋଇଥିବା ପ୍ରଭୂତ କ୍ଷତିର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଆନ୍ତଃ ମନ୍ତ୍ରଣାଳୟ କେନ୍ଦ୍ରୀୟ ଦଳର ୮ ଜଣିଆ ପ୍ରତିନିଧି ଦଳ ଆସିକା ଗସ୍ତରେ ଆସି ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଫେରିଥିବା ଜଣାପଡିଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରବିଶଙ୍କରଙ୍କ ନେତୃତ୍ୱରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ବିଭାଗ ପାଟଣା ଧାନବିକାଶ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡଃ ମାନସ ସିଂ, କେନ୍ଦ୍ର ବ୍ୟୟ ବିଭାଗ (ଅର୍ଥ ମନ୍ତ୍ରଣାଳୟ)ର ଉପନିର୍ଦ୍ଦେଶକ ରାହୁଳ ଚୌରାସିଆ, କେନ୍ଦ୍ର ଜଳ ମନ୍ତ୍ରଣାଳୟ ଆୟୋଗ (ଭୂବନେଶ୍ୱର)ର ନିର୍ଦ୍ଦେଶକ ଦିଲୀପ କୁମାର ଜେନା, କେନ୍ଦ୍ରୀୟ ଶକ୍ତି ବିଭାଗର କରଣ ସରେନ୍‍, ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ, ଭୂବନେଶ୍ୱରର ଅଧୀକ୍ଷଣ ଯନ୍ତ୍ରୀ ସୁନିଲ୍‍ କୁମାର, ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ନୁଆଁଦିଲୀର ଅଜୟ କୁମାର ସାହୁ, ଜାତୀୟ ସୂଦୁର ସମ୍ବେଦନ କେନ୍ଦ୍ର ଇସ୍ରୋର ବୈଜ୍ଞାନିକ ସିଆଇ କ୍ରିଷ୍ଣା ଆସିକା ଗସ୍ତରେ ଆସି ପ୍ରଳୟଙ୍କରୀ ବନ୍ୟାରେ ବିଶେଷ ଭାବେ ପ୍ରଭାବିତ ହୋଇଥିବା ଆସିକା ଉପଖଣ୍ଡ ଚିକିତ୍ସାଳୟର ବିଭିନ୍ନ ବିଭାଗକୁ ଗସ୍ତ କରି କ୍ଷୟକ୍ଷତି ଅନୁଧ୍ୟାନ କରିବା ସାଙ୍ଗକୁ ମଙ୍ଗଳପୁର ଗ୍ରାମ ପଞ୍ଚାୟତର ନବରତ୍ନପୁର ଗ୍ରାମକୁ ଗସ୍ତ କରି କ୍ଷୟକ୍ଷତିର ଆକଳନ କରି ଫେରିଥିବା ଜଣାପଡିଛି । କେନ୍ଦ୍ରୀୟ ଦଳ ଆସିକା ଅଞ୍ଚଳର ବନ୍ୟା ପ୍ରଭାବିତ କ୍ଷେତ୍ର ପରିଦର୍ଶନ ସମୟରେ କୃଷି ଓ ଫସଲ କ୍ଷୟକ୍ଷତି ସାଙ୍ଗକୁ ରାସ୍ତାଘାଟ, ବିଦ୍ୟୁତ, ସ୍ୱାସ୍ଥ୍ୟ, ଜଳସଂପଦ ସମେତ ଅନ୍ୟାନ୍ୟ ଜରୁରୀ ସେବା କ୍ଷେତ୍ରର ସ୍ଥିତି ଅନୁଧ୍ୟାନ କରିବା ସାଙ୍ଗକୁ ଉଦ୍ଧାର ଏବଂ ରିଲିଫ୍‍ ଓ ଥଇଥାନ କାର୍ଯ୍ୟର ଅଗ୍ରଗତି, ବନ୍ୟା ପ୍ରଭାବିତ ଲୋକଙ୍କୁ ମିଳୁଥିବା ସହାୟତା ଏବଂ ଅତ୍ୟାବଶ୍ୟକୀୟ ସେବାର ପୁନଃସ୍ଥାପନ ସଂପର୍କରେ ତଥ୍ୟ ସଂଗ୍ରହ କରିଥିବା ଦେଖିବାକୁ ମିଳିଥିଲା । ବାତ୍ୟା ଅର୍ଣ୍ଣବ ପ୍ରଭାବରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାଜନିତ କ୍ଷୟକ୍ଷତିର ଆକଳନ ପାଇଁ ଆସିଥିବା ଆନ୍ତଃ ମନ୍ତ୍ରଣାଳୟ କେନ୍ଦ୍ରୀୟ ଦଳର ଗସ୍ତ ସମୟରେ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ବିଜୟ ଅମୃତ କୁଲାଙ୍ଗେ, ଗଞ୍ଜାମ ଜିଲ୍ଲାପାଳ ଭି.କିର୍ତ୍ତୀଭାସନ, ଭଂଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଅନିମା ପରିଡା, ଆସିକା ତହସିଲଦାର ସଙ୍ଗୀତା ସେଣ, ଅତିରିକ୍ତ ତହସିଲଦାର ଅମରେଶ୍‍ ସାବତ ଏବଂ ଶୁଭଦର୍ଶିନୀ ରାଉତରାୟ, ଆସିକା ବିଡିଓ ରାଜେନ୍ଦ୍ର ପ୍ରସାଦ ନାୟକ, ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବାଲ୍‍ଗୋପାଳ ବେହେରା, ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସୌରଭ ରଂଜନ ପ୍ରଧାନ, ଆସିକାର ଭାରପ୍ରାପ୍ତ ଥାନା ଅଧିକାରୀ ସୌମ୍ୟରଂଜନ ଜେନା, କୋଟିନଡା ଥାନା ଅଧିକାରୀ ଦାମୋଦର ବିହାରୀ, ସମନ୍ୱିତ ଶିଶୁବିକାଶ ଅଧିକାରିଣୀ ଶାନ୍ତିକରସୁଧା ପଟ୍ଟନାୟକଙ୍କ ସମେତ ବିଭିନ୍ନ ବିଭାଗର ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ରୀୟ ଦଳକୁ ବାତ୍ୟାଜନିତ କ୍ଷୟକ୍ଷତି ଓ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଅବଗତ କରାଯାଇଥିଲା । କେନ୍ଦ୍ରୀୟ ପ୍ରତିନିଧି ଦଳ ବିଶେଷକରି କୃଷି, ଫସଲ, ସ୍ୱାସ୍ଥ୍ୟ, ରାସ୍ତାଘାଟ, ବିଦ୍ୟୁତ ଭିତ୍ତିଭୂମୀ, ଜଳସଂପଦ ଓ ଅନ୍ୟାନ୍ୟ ଜରୁରୀ ସେବା କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିଥିଲେ । ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବାଲ୍‍ଗୋପାଳ ବେହେରା ପ୍ରଳୟଙ୍କରୀ ବନ୍ୟାରେ ନଷ୍ଟ ହୋଇଥିବା ଆସିକା ମେଡିକାଲ ସ୍ୱାସ୍ଥ୍ୟସେବା ଉପରେ କେନ୍ଦ୍ରୀୟ ପ୍ରତିନିଧି ଦଳର ଦୃଷ୍ଟି ଆକର୍ଷଣ କରିଥିବା ଦେଖିବାକୁ ମିଳିଥିଲା । କେନ୍ଦ୍ରୀୟ ଦଳର ଏହି ଆସିକା ଗସ୍ତ ବିପର୍ଯ୍ୟୟ ପରବର୍ତ୍ତୀ କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର ପ୍ରକ୍ରିୟା ପାଇଁ ବେଶ୍‍ ଗୁରୁତ୍ୱ ବହନ କରିବ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିଲା ବେଳେ କ୍ଷେତ୍ର ପରିଦର୍ଶନର ରିପୋର୍ଟ ଆଧାରର କେନ୍ଦ୍ରୀୟ ସହୟତା ନେଇ ପରବର୍ତ୍ତୀ ନିଷ୍ପତ୍ତି କଣ ହେବ ତାହା ଉପରେ ଏବେ ଆସିକାର ସଚେତନ ନାଗରିକଙ୍କ ନଜର ରହିଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ