ପ୍ରଳୟଙ୍କରୀ ବନ୍ୟାରେ ଆସିକା ଉପ-କାରାଗାରର ବ୍ୟାପକ କ୍ଷତି
ଆସିକା (ୱାଇଏନ୍ଏସ୍) : ନିଜ ନିଜ ଦାୟିତ୍ୱ ଏବଂ କର୍ତ୍ତବ୍ୟ ଆଗରେ ହାର୍ ମାନିଛି ଆସିକା ସବ୍ଜେଲରେ କାର୍ଯ୍ୟରତ କର୍ମଚାରୀଙ୍କ ପରିବାରର ସୁରକ୍ଷା ଚିନ୍ତା । ଗତ ୨୯ ତାରିଖ ଦିନ ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଗୋଟିଏ ପଟେ ବନ୍ୟା ପାଣିର ପ୍ରଖର ସ୍ରୋତ ଆସିକା ଉପ-କାରାଗାର ମଧ୍ୟକୁ ପ୍ରବେଶ କରୁଥିଲା ବେଳେ ନିଜ ପରିବାରବର୍ଗଙ୍କ ସୁରକ୍ଷାକୁ ସଂପୁର୍ଣ୍ଣ ରୂପେ ଜଳାଞ୍ଜଳି ଦେଇ ନିଜ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସୁଚାରୂ ରୂପେ ସଂପାଦନ କରିଥିଲେ କାର୍ଯ୍ୟରତ କର୍ମଚାରୀ । ଆସିକା ସବ୍-ଜେଲ୍ କର୍ମଚାରୀଙ୍କ ଏଭଳି କର୍ତ୍ତବ୍ୟପରାୟଣତା ଏବଂ ଦାୟିତ୍ୱବୋଧତାକୁ ସାଧାରଣରେ ସ୍ୱାଗତ ଏବଂ ଉଚ୍ଚ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳୁଛି । ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଗତ ୨୯ ତାରିଖ ଦିନ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ଆସିକା ସବ୍-ଜେଲ୍ ପରିସରରେ ପ୍ରାୟ ୧୦ ଫୁଟ ପାଣି ଦୀର୍ଘ ସମୟ ଧରି ଲହୁଡି ମାରିଥିଲା । ପ୍ରଳୟଙ୍କରୀ ବନ୍ୟାର ପ୍ରକୋପ ହ୍ରାସ ପାଇସାରିଥିଲା ବେଳେ ବର୍ତ୍ତମାନ ସୁଦ୍ଧା ଆସିକା ସବ୍-ଜେଲ୍ ସ୍ୱଭାବିକ ଅବସ୍ଥାକୁ ଫେରିପାରି ନଥିବା ଜଣାପଡିଛି । ପ୍ରଳୟଙ୍କରୀ ବନ୍ୟାର ପ୍ରକୋପରେ ଆସିକା ଉପ-କାରାଗାରର ପାଚେରୀ ଦୁର୍ବଳ ହୋଇପଡିଥିଲା ବେଳେ କର୍ମଚାରୀମାନେ ରହୁଥିବା କ୍ୱାର୍ଟରଗୁଡିକ ମଧ୍ୟ ଜରାଜୀର୍ଣ୍ଣ ଅବସ୍ଥା ଆସିବା ସାଙ୍ଗକୁ ସମସ୍ତ ଆସବାବପତ୍ର ବନ୍ୟାପାଣିରେ ଭିଜି ନଷ୍ଟ ହୋଇଥିଲା ବେଳେ ସିସିଟିଭି ମଧ୍ୟ ଅଚଳ ହୋଇପଡିଛି । ଆସିକା ସବ୍-ଜେଲରେ ୫ଟି ୱାର୍ଡ ଓ ୭ଟି ସେଲ୍ ରହିଥିଲା ବେଳେ ପ୍ରଳୟଙ୍କରୀ ବନ୍ୟା ସମୟରେ ୬ ଜଣ ମହିଳା ଏବଂ ୧୫୪ ଜଣ ପୁରୁଷଙ୍କୁ ମିଶାଇ ୧୬୦ ଜଣ ବନ୍ଦୀ ଥିଲେ । ପ୍ରଳୟଙ୍କରୀ ବନ୍ୟାର ପ୍ରକୋପରେ ଆସିକା ସବ୍-ଜେଲ୍ ମଧ୍ୟରେ ପାଣି ପଶିବା କ୍ଷଣି ବନ୍ଦୀମାନଙ୍କୁ ଉପର ମହଲାରେ ଥିବା ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା । ପ୍ରଳୟଙ୍କରୀ ବନ୍ୟା ଦିନ ଆସିକା ସବ୍-ଜେଲରେ ସହକାରୀ କାରାପାଳ ଦୋଳଗୋବିନ୍ଦ ବେହେରା, ସବ୍-ଆସିଷ୍ଟାଣ୍ଟ ଜେଲର୍ ଅନଞ୍ଜୟ ପ୍ରଧାନ, ମୁଖ୍ୟ ୱାର୍ଡର ସାଇବ ପ୍ରଧାନ, ୱାର୍ଡର୍ ଉତ୍ତମ ନାୟକ, ମହିଳା ୱାର୍ଡର ବିଳାସିନୀ ରାଉତ, ରମେଶ ନାଇକଙ୍କ ସହ ଅନ୍ୟ କର୍ମଚାରୀମାନେ ଦାୟିତ୍ୱ ସଂପାଦନ କରୁଥିଲେ । ପ୍ରଳୟଙ୍କରୀ ବନ୍ୟା ଦିନ ଗୋଟିଏ ପଟେ ବନ୍ଦୀମାନଙ୍କ ସୁରକ୍ଷା ଚିନ୍ତା ଏବଂ ଅନ୍ୟପଟେ ପରିବାରବର୍ଗଙ୍କ ନିରାପଦକୁ ନେଇ କାର୍ଯ୍ୟରତ ଜେଲ୍ କର୍ମଚାରୀମାନେ ଚିନ୍ତିତ ହୋଇପଡିଥିଲେ ମଧ୍ୟ ନିଜ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସୁଚାରୂ ରୂପେ ସଂପାଦନ କରିଥିବା ଦେଖିବାକୁ ମିଳିଥିଲା । ପ୍ରଳୟଙ୍କରୀ ବନ୍ୟାରେ ଆସିକା ସବ୍-ଜେଲର ବ୍ୟାପକ କ୍ଷତି ହୋଇଥିଲା ବେଳେ ଅଫିସ୍ କମ୍ପ୍ୟୁଟର, ଚେୟାର୍, ଟେବୁଲ୍, ସିସିଟିଭି ସମେତ ଅନ୍ୟାନ୍ୟ ସାମଗ୍ରୀ ଓ ଆସବାବପତ୍ର ସଂପୁର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିବା ଜଣାପଡିଛି । ବନ୍ଦୀମାନଙ୍କ ସ୍ୱାସ୍ଥ୍ୟପରୀକ୍ଷା ପାଇଁ ସ୍ଥାପିତ ଥିବା ଯନ୍ତ୍ରାଂଶ ମଧ୍ୟ ବର୍ଷାପାଣିରେ ବୁଡି ନଷ୍ଟ ହୋଇଯାଇଛି । କାର୍ଯ୍ୟରତ କର୍ମଚାରୀମାନଙ୍କ ସରକାରୀ କ୍ୱାର୍ଟର ଗୁଡିକ ପାଣି ଅଭାବରୁ ସଫାସୁତରା ହୋଇପାରି ନାହିଁ । ସବୁ ଆସବାବପତ୍ରକୁ କାଦୁଆ ମାଡିଯାଇଛି । ରାଜ୍ୟ ସରକାର ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ସବ୍-ଜେଲର ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପାଚେରୀ ନିର୍ମାଣ, କର୍ମଚାରୀମାନଙ୍କ କ୍ୱାର୍ଟର ପୁନରୁଦ୍ଧାର ଓ ମରାମତି, ସିସିଟିଭି କାର୍ଯ୍ୟକ୍ଷମ, ପାନୀୟଜଳର ସୁବନ୍ଦୋବସ୍ତ, ବିଚାରାଧୀନ ବନ୍ଦୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ସବ୍-ଜେଲର ପ୍ରବେଶପଥ ମରାମତି କରିବା ଅତ୍ୟନ୍ତ ଜରୁରୀ ବୋଲି ମତ ପ୍ରକାଶ ପାଉଛି । ଆସିକା ସବ୍-ଜେଲରେ ପ୍ରଳୟଙ୍କରୀ ବନ୍ୟାର ପ୍ରକୋପରେ ପ୍ରଭୁତ କ୍ଷତି ସଂକ୍ରାନ୍ତରେ ଜେଲ୍ ଅଧୀକ୍ଷକ ଖଗେଶ୍ୱର ସିଂଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିବା ପାଇଁ ସମସ୍ତ ପ୍ରକାର ପ୍ରୟାସ ଜାରି ରହିଛି । ବାତ୍ୟା ଅର୍ଣ୍ଣବର ପ୍ରଭାବରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ଆସିକା ସବ୍-ଜେଲ୍ର ବ୍ୟାପକ କ୍ଷତି ହୋଇଥିଲା ବେଳେ ସରକାରୀ ଫାଇଲ୍ ଠାରୁ ଆରମ୍ଭ କରି କମ୍ପ୍ୟୁଟର, ସିସିଟିଭି ସମେତ ସମସ୍ତ ଆସବାବପତ୍ର ବନ୍ୟାପାଣିରେ ଭିଜି ନଷ୍ଟ ହୋଇଯାଇଥିବା ଜଣାପଡିଛି ।


